ଭାରତର ଐତିହାସିକ ବିଜୟ...
ୱେଷ୍ଟଇଣ୍ଡିଜକୁ ୮ ୱିକେଟ୍ରେ ହରାଇଲା;
ଅଧିନାୟକ ଗିଲ୍ଙ୍କ ଦ୍ରୁତତମ ଦ୍ୱିଶତକ
ଗୁଆହାଟୀର ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ପରାସ୍ତ କରିଛି।
୪୦୬ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର ୪୩.୩ ଓଭର୍ରେ ୨ଟି ୱିକେଟ୍ ହରାଇ ବିଜୟ ହାସଲ କରିନେଇଛି।
ଅଧିନାୟକ ଶୁଭମନ୍ ଗିଲ୍ ଦ୍ୱିତୀୟ ଦ୍ରୁତତମ ଦ୍ୱିଶତକ ହାସଲ କରିଛନ୍ତି। ଅନ୍ୟପଟେ ରୋହିତ ଶର୍ମା ମଧ୍ୟ ଏକ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି।
ଭାରତ କେବଳ ନିଜ କ୍ରିକେଟ୍ ଇତିହାସର ସର୍ବବୃହତ ରନ୍-ଚେଜ୍ କରିନାହିଁ, ବରଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ସଫଳ ଦିନିକିଆ ରନ୍-ଚେଜ୍ ଭାବେ ରେକର୍ଡ କରିଛି।
ଏହି ବିଜୟର ମୁଖ୍ୟ ଶ୍ରେୟ ଅଧିନାୟକ ଶୁଭମନ୍ ଗିଲ୍ଙ୍କୁ ଯାଉଛି, ଯିଏ ଗୁଆହାଟୀରେ ଏକ ଅବିସ୍ମରଣୀୟ ଇନିଂସ୍ ଖେଳିଥିଲେ।
୧୩୩ଟି ବଲ୍ରୁ ତାଙ୍କର ଅପରାଜିତ ୨୨୩ ରନ୍ର ବିସ୍ଫୋରକ ପାଳି ବଳରେ ଭାରତ ୩୯ଟି ବଲ୍ ବାକି ଥାଇ ୪୦୬ ରନ୍ର ବିଶାଳ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା।
ଏଥିସହ ରୋହିତ ଶର୍ମା ମଧ୍ୟ ଦମଦାର ଶତକ ହାସଲ କରିବା ସହିତ ଦିନିକିଆ କ୍ରିକେଟ୍ରେ ନିଜର ୧୨,୦୦୦ ରନ୍ ପୂରଣ କରିଛନ୍ତି।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭର୍ରେ ୭ ୱିକେଟ୍ ବିନିମୟରେ ୪୦୫ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିଲା।
ଦଳ ପକ୍ଷରୁ ଜନ୍ କ୍ୟାମ୍ପବେଲ୍, ଶାଇ ହୋପ୍ ଏବଂ ଅମୀର ଜାଙ୍ଗୁ ଶତକ ହାସଲ କରିଥିଲେ।
କ୍ୟାମ୍ପବେଲ୍ ମାତ୍ର ୬୫ ବଲ୍ରେ ଶତକ ମାରି ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଦ୍ରୁତତମ ଦିନିକିଆ ଶତକର ରେକର୍ଡ କରିଥିଲେ।
ହୋପ୍ ୯୪ ବଲ୍ରେ ୧୦୪ ରନ୍ କରିଥିବା ବେଳେ ଜାଙ୍ଗୁ ୭୭ ବଲ୍ରେ ୧୧୪ ରନ୍ର ଧୂଆଁଧାର ଇନିଂସ୍ ଖେଳିଥିଲେ।
ଭାରତ ତରଫରୁ ଗୁରନୁର ବ୍ରାର, କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ୨-୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ଏହି ମ୍ୟାଚ୍ ଜରିଆରେ କୁଲଦୀପ ଯାଦବ ଦିନିକିଆରେ ନିଜର ୨୦୦ ୱିକେଟ୍ ମଧ୍ୟ ପୂରଣ କରିଛନ୍ତି।