ଭୟାବହ ଅଗ୍ନିକାଣ୍ଡ ;୪ ମୃତ
ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଶାହଦରାର ଶାସ୍ତ୍ରୀନଗର ଅଞ୍ଚଳରେ ଗୁରୁବାର ଏକ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅଣନିଶ୍ୱାସୀ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଏକ ଦମ୍ପତି ରହିଛନ୍ତି। ଭୋର ପ୍ରାୟ ୫ଟା୨୦ରେ ଶାହଦରାର ଶାସ୍ତ୍ରୀନଗର ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟି ଥିବା ନେଇ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଦିଲ୍ଲୀର ଦମକଳ କର୍ମଚାରୀ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ଟିମ୍, ୪ଟି ଦମକଳ ଗାଡି, ଆମ୍ବୁଲାନ୍ସ ତୁରନ୍ତ ପହଞ୍ଚିଥିଲେ। ଦମକଳ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଘଟିଥିବା ଅଟ୍ଟାଳିକା ୪ ମହଲା ବିଶିଷ୍ଟ। ଭୂତଳ ଅଞ୍ଚଳରେ ପାର୍କିଂ ସ୍ଥାନ ମଧ୍ୟ ଥିଲା। ନିଆଁ ପାର୍କିଂ ସ୍ଥାନରୁ ଆରମ୍ଭ ହୋଇ ଧୂଆଁ ୪ ମହଲା ପର୍ୟ୍ୟନ୍ତ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟେକ ମହଲାରେ ଭଲ ଭାବେ ଯାଞ୍ଚ କରାଯାଉଛି। ତଦନ୍ତ ପରେ ନିଆଁ ଲାଗିବାର କାରଣ ଜଣାପଡିବ। ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।