୨୩ରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌‌ ମରାମତି

ପୁରୀ : ଗରୁଡ଼ ସ୍ତମ୍ଭ ଉପର ମୁଖ୍ୟ ବିମ୍‌‌ରେ ହୋଇଥିବା ଫାଟ ମରାମତି ହେବ। ଏହାକୁ ସପୋର୍ଟ ଦିଆଯିବ। ତଳୁ ୪ଟି ଷ୍ଟେନଲେସ୍‌‌ ଷ୍ଟିଲ ବିମ୍‌‌ ଲଗାଯିବ। ତେବେ ଏହି ମରାମତି ସମୟରେ କେମିତି ରହିବ ଦର୍ଶନ ବ୍ୟବସ୍ଥା, ସେ ନେଇ ମଙ୍ଗଳବାର ନୀଳାଦ୍ରି ଭକ୍ତନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସ୍ତୃତ ଭାବେ ଆଲୋଚନା ପରେ ଆସନ୍ତା ୨୩ ତାରିଖରୁ କାମ ଆରମ୍ଭ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଏପ୍ରିଲ ସୁଦ୍ଧା ନାଟମଣ୍ଡପ ମରାମତି ସମ୍ପୂର୍ଣ୍ଣ କରିବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଛତିଶା ନିଯୋଗରେ ମରାମତିର ରୂପରେଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୩ରୁ କାମ ଆରମ୍ଭ ହୋଇ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା କାମ ଶେଷ କରିବ ଏଏସ୍‌‌ଆଇ। ଏହି ୨୫ ଦିନ ପ୍ରତ୍ୟହ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ନାଟମଣ୍ଡପ ମରାମତି ହେବ। ଏଥିପାଇଁ ନୀତି ସବ୍‌-କମିଟି ପକ୍ଷରୁ ଯେଉଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା, ସେଥିରେ ମୋହର ମାରିଛି ଛତିଶା ନିଯୋଗ। ଅର୍ଥାତ୍‌‌ ଏହି ୨୫ ଦିନ ରାତି ୨ଟାରୁ ଦ୍ୱାର ଫିଟି ନୀତିକାନ୍ତି ଆରମ୍ଭ କରାଯିବ। ସେହିପରି ରାତି ୧୧ଟାରେ ପହୁଡ଼ ପଡ଼ିବ। ଦୈନିକ ୬ ଘଣ୍ଟା ସମୟ ପାଇ ଭଲ ଭାବେ ମରାମତି କରିବ ଏଏସ୍‌‌ଆଇ। ଏହି ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ପ୍ରକାର ସମସ୍ୟା ହେବ ନାହିଁ। ସେମାନେ ଯେଉଁଭଳି ଦର୍ଶନ ସୁବିଧା ପାଉଥିଲେ ସେହିଭଳି କରିବେ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ବର୍ମା କହିଛନ୍ତି। କିନ୍ତୁ ମରାମତି ସମୟରେ ନାଟମଣ୍ଡପରୁ ଦର୍ଶନ ବ୍ୟବସ୍ଥା ହେବ ନାହିଁ।

Feb 21, 2024 - 15:39
 475
୨୩ରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌‌ ମରାମତି