ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ବିଜେଡି ପକ୍ଷରୁ ଶୋକ ପ୍ରକାଶ...
ଓଡ଼ିଆ ସଙ୍ଗୀତ ଜଗତର ବର୍ଷିୟାନ ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଘଟିଛି।
ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଜେଡି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ବିଜେଡି ପକ୍ଷରୁ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଶୋକ ବାର୍ତ୍ତା ପ୍ରକାଶ କରିଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି ଯେ, ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସଙ୍ଗୀତ ଜଗତର ଜଣେ ମହାରଥୀ ଚାଲି ଯାଇଛନ୍ତି।
ଶ୍ରୀ ପଟ୍ଟନାୟକଙ୍କ "ରେ ଆତ୍ମନ ନିଦ୍ରା ପରିହରି" ଠାରୁ ଆରମ୍ଭ କରି “ମାଝି ରେ”, “ମୁଁ କେଉଁ ସହରେ” ଆଦି ଅନେକ କାଳଜୟୀ ଗୀତରେ ତାଙ୍କ କଣ୍ଠ ରହିଛି।
ଓଡ଼ିଆ ସଙ୍ଗୀତ ଜଗତକୁ ଅବଦାନ ପାଇଁ ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଦିରେ ସମ୍ମାନିତ ହୋଇଥିଲେ।
ତାଙ୍କ ସଙ୍ଗୀତ ମଣିଷର ଆତ୍ମ ଓ ମନକୁ ଛୁଇଁ ପାରୁଥିଲା। ଅଭୁଲା ସଙ୍ଗୀତ ଜଗତର ସେ ଥିଲେ ଅମର ଗାୟକ।
ସେ ନାହାଁନ୍ତି କିନ୍ତୁ ଜଣେ କୃତବିଦ ଗାୟକ ଭାବରେ ତାଙ୍କ ସଙ୍ଗୀତର ମୂର୍ଚ୍ଛନା ପ୍ରତି ସଙ୍ଗୀତ ପ୍ରେମୀ ଅନୁରାଗୀ ଓ ପ୍ରଶଂସକଙ୍କ ହୃଦୟତନ୍ତ୍ରୀକୁ ସ୍ପନ୍ଦିତ କରି ଚାଲିଥିବ। ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କ ଅଭୁଲା ସ୍ୱର ଓ ସୁମଧୁର ଗାୟନ ଶୈଳୀ ଅନେକ ଓଡ଼ିଆ ସଙ୍ଗୀତକୁ ଲୋକଙ୍କ ହୃଦୟରେ କାଳଜୟୀ କରିଛି।
ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇଛି।
ଏହାସହିତ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦିବଂଗତ ଅମର ଆତ୍ମାର ସଦଗତି କାମନା କରାଯାଇଛି।