ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତରେ ୨.୧ ଲକ୍ଷ କୋଟି ନିବେଶ ପାଇଁ ଏମଓୟୁ ପ୍ରସଙ୍ଗ...

Sep 10, 2026 - 16:54
 5
ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତରେ ୨.୧ ଲକ୍ଷ କୋଟି ନିବେଶ ପାଇଁ ଏମଓୟୁ ପ୍ରସଙ୍ଗ...

ଏହା ପୂର୍ବ ଘୋଷଣାର ପୁନରାବୃତ୍ତି ନୁହେଁ ତ ବୋଲି
ପ୍ରଶ୍ନ କଲା ବିଜେଡି

ରାଜ୍ୟ ବିଜେପି ସରକାର ଏହାର ସ୍ପଷ୍ଟୀକରଣ ରଖନ୍ତୁ

ଧୂଅାଁବାଣ ଛାଡିବାରେ ସିଦ୍ଧହସ୍ତ ବିଜେପି

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ଫଳ ଶୁନ୍ୟ ଥିଲା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତ ଅବସରରେ, ରାଜ୍ୟ ସରକାରଙ୍କ ସହିତ ୨.୧ ଲକ୍ଷ କୋଟିର ନିବେଶ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିବା କଥା ଯାହା କୁହାଯାଇଛି, ତାହା ୨୦୨୫ ଜାନୁଆରୀର ଉକ୍ରର୍ଷ ଓଡିଶା ସମୟରେ ହୋଇଥିବା ଘୋଷଣାର ପୁନରାବୃତ୍ତି ନୁହେଁ ତ ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।  

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ।  

ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ ଯେ, ଆବୁଧାବିରେ ଆଦାନୀ ଗ୍ରୁପ ଓ ଆଇଏଚସି ଗ୍ରୁପ ସହ ଓଡ଼ିଶା ସରକାରଙ୍କ ୨.୧ ଲକ୍ଷ କୋଟିର ନିବେଶ ପ୍ରସ୍ତାବକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି, ଏହା ସମ୍ପୂର୍ଣ୍ଣ ନୂଆ ନିବେଶ, ନା ପୂର୍ବରୁ ଘୋଷଣା ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ନୂଆ ପ୍ୟାକେଜ୍ ଭାବେ ପୁଣି ଉପସ୍ଥାପନ କରାଯାଇଛି? 

ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୨୦୨୫ର ଉକ୍ରର୍ଷ ଓଡିଶା, ମେକ୍ ଇନ ଓଡିଶା କନ୍କ୍ଳେଭରେ ଆଦାନୀ ଗ୍ରୁପ ଓଡ଼ିଶାରେ ଆଗାମୀ ୫ ବର୍ଷରେ ୨.୩ ଲକ୍ଷ କୋଟି ନିବେଶ କରିବାକୁ ଘୋଷଣା କରାଯାଇଥିଲା । ଏଥିରେ ପାୱାର, ସିମେଣ୍ଟ, ଇଣ୍ଡଷ୍ଟ୍ରିଆଲ ପାର୍କ, ଆଲୁମିନିୟମ ଓ ସିଟି ଗ୍ୟାସ ଇତ୍ୟାଦି କ୍ଷେତ୍ର ସାମିଲ ଥିଲା । 

ଏବେ ଆବୁଧାବିରେ ଆଦାନୀ ଗ୍ରୁପ ଓ ଆଇଏଚସି ଗ୍ରୁପ ମିଳିତ ଭାବେ ଓଡ଼ିଶାରେ ୧୪ଟି ପ୍ରକଳ୍ପରେ ପ୍ରାୟ ୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା ନେଇ ଏମଓୟୁ କରିଛନ୍ତି ବୋଲି କୁହାଯାଇଛି । ତେବେ ଏହି ଦୁଇ ଘୋଷଣା ମଧ୍ୟରେ କେତେ ନିବେଶ ଓ ପ୍ରକଳ୍ପ ପରସ୍ପର ସହ ମେଳ ଖାଉଥିବାରୁ ରାଜ୍ୟ ସରକାର ଏହାକୁ ସ୍ପଷ୍ଟ କରିବା ଦରକାର । 

ଶ୍ରୀ ଦାସ ଆହୁରି କହିଥିଲେ ଯେ, ବିଭିନ୍ନ ମିଥ୍ୟା କଥା କହିବାରେ, ସରକାରଙ୍କ ଛୋଟ ଉପଲବ୍ଧôକୁ ଅତିରଞ୍ଜିତ କରି ବର୍ଣ୍ଣନା କରିବାରେ ଓ ରାଜ୍ୟବାସୀଙ୍କୁ ଧୂଅାଁବାଣ ମାରିବାରେ ବିଜେପି ସିଦ୍ଧହସ୍ତ । 

ତେଣୁ ଉକ୍ରର୍ଷ ଓଡିଶା ସମୟରେ ଘୋଷଣା ହୋଇଥିବା ପ୍ରକଳ୍ପ ଓ ୟୁଏଇରେ ସ୍ୱାକ୍ଷରିତ ହୋଇଥିବା ଏମଓୟୁରେ ଥିବା ପ୍ରକଳ୍ପରେ ସମାନତା ଦେଖିବାକୁ ମିଳୁଥିବାରୁ, ଏହା ପୂର୍ବ ଘୋଷଣାର ପୁନରାବୃତ୍ତି ବୋଲି ସନେ୍ଦହ ଉପୁଜିଛି । 

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ହେଉଥିବା ଘୋଷଣା ଓ ବାସ୍ତବତା ଭିତରେ ବଡ଼ ବ୍ୟବଧାନ ପରିଲକ୍ଷିତ । ସରକାରଙ୍କ କାର୍ଯ୍ୟ କେବଳ ଫିତା କଟାରେ ସୀମିତ ରହୁଛି । ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି । 

ଘୋଷଣା ଉପରେ ଘୋଷଣା ହେଉଛି । କିନ୍ତୁ ଫଳ ଶୂନ । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ ସମୟରେ ଆନୁଷ୍ଠାନିକ ଭାବେ କୌଣସି ଏମଓୟୁ ସ୍ୱାକ୍ଷରିତ ହୋଇନଥିଲେ ମଧ୍ୟ ସରକାରଙ୍କ ତରଫରୁ ବିପୁଳ ପୁଞ୍ଜିନିବେଶ ହେବ ବୋଲି ଦାବି କରାଯାଇଥିଲା । 

କିନ୍ତୁ ସେହି ଗସ୍ତର ଫାଇଦା ରାଜ୍ୟବାସୀଙ୍କୁ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିଲା ନାହିଁ । ଏବେ ୟୁଏଇ ଗସ୍ତକୁ ନେଇ ବଡ଼ ଉପଲବ୍ଧô କଥା କୁହାଯାଉଛି । 

ଏହି ଘୋଷଣା ପୂର୍ବ ଘୋଷଣା ସହିତ ମେଳ ଖାଉଥିବାରୁ, ଏହା କେବଳ ଏକ ଭେଳିକି ଭଳି ମନେ ହେଉଛି । ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ହେବ ବୋଲି ଦାବି କରାଯାଇଥିଲା ।

ଡବଲ ବିକାଶ ତ କେବଳ କଥାରେ ସୀମିତ ରହିଗଲା ଏବେ ଡବଲ ଗଣତି ହେଉଛି ବୋଲି ଜଣାପଡୁଛି ।