ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଓଡ଼ିଶାର ଖଣିଜ ସମ୍ପଦକୁ ବିଜେପି ଲୁଣ୍ଠନ କରୁଛି: ବିଜେଡି...

Aug 31, 2026 - 18:37
 3
ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଓଡ଼ିଶାର ଖଣିଜ ସମ୍ପଦକୁ ବିଜେପି ଲୁଣ୍ଠନ କରୁଛି: ବିଜେଡି...

ରାଜ୍ୟର ଅର୍ଥନୈତିକ ଅଧିକାରକୁ କ୍ଷୁଣ୍ଣ କରୁଛି ଡବଲ ଇଞ୍ଜିନ ସରକାର

ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବିଜେପି ନେତା  

ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ 

ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦକୁ ଲୁଣ୍ଠନ କରିବାକୁ ବସିଛି ଡବଲ ଇଞ୍ଜିନ ସରକାର । 

ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡିଶାବାସୀଙ୍କୁ ଭ୍ରମିତ କରୁଛି । ପୁଞ୍ଜିପତି ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରତ୍ନଗର୍ଭା ଓଡ଼ିଶାକୁ ଡବଲ ଇଞ୍ଜିନ ସରକାର ଲୁଣ୍ଠନ କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ଓ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବାରୁ କଡ଼ା ନିନ୍ଦା କରିଥିଲେ ।  

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ଏହି କଳା ଆଇନ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିଟି ଓଡିଆଙ୍କ ମନକୁ କୁଠାରଘାତ କରିଛି । 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କହିଥିଲେ, ମୋତେ ଅର୍ଥନୈତିକ ସ୍ୱାଧୀନତା ଦିଅ, ମୁଁ ଓଡିଶାକୁ ଏସିଆ ମହାଦେଶର ସମୃଦ୍ଧ ରାଜ୍ୟ କରି ଗଢି ତୋଳିବି । କାରଣ ସେ ସବୁବେଳେ ନିଜ ମାଟିର କଥା ଚିନ୍ତା କରୁଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ନେତା ମାନେ ଓଡ଼ିଶା ସ୍ୱାର୍ଥ ଭୁଲି କେନ୍ଦ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । ଓଡିଶାରେ ଥିବା ୪୮୦ କିମି ବିସ୍ତୀର୍ଣ୍ଣ ବେଳାଭୂମି ସହ ପ୍ରଚୁର ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ, ପ୍ରାଚୁର୍ଯ୍ୟ ଓ ମାନବ ସମ୍ବଳ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି । 

ଓଡ଼ିଶା ପ୍ରାଚୁର୍ଯ୍ୟର ସୁରକ୍ଷା ଓ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନେକ ଲଢେଇ କରିଛନ୍ତି । ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ । 

ସଂଘୀୟ ଗଣତନ୍ତ୍ରରେ ରାଜ୍ୟର ସମ୍ପଦ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାର ରହିଛି । କିନ୍ତୁ ଏକତରଫା ଭାବେ ସେହି ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି । 

୨୦୧୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରୀ କମିଟି ବୈଠକରେ ଓଡିଶାକୁ ୫୦ ପ୍ରତିଶତ ବିତ୍ତୀୟ ସ୍ୱାଧୀନତା ପ୍ରଦାନ ପାଇଁ ରାଜନୈତିକ ପ୍ରସ୍ତାବ ଆଗତ ହୋଇ ଅନୁମୋଦିତ ହୋଇଥିଲା । କିନ୍ତୁ ବିଜେପି ପରି ଜାତୀୟ ଦଳ ଓଡିଶାର ଶାସନ ଗାଦିକୁ ଆସିବା ପରେ ରାଜ୍ୟ ପ୍ରତି ଅବିଚାର କରି ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି । 

ଶ୍ରୀ ଦାସବର୍ମା ଆହୁରି କହିଥିଲେ ଯେ, ଦେଶରେ ଥିବା ସମୁଦାୟ ଖଣିଜ ସଂପଦ ମଧ୍ୟରୁ ପ୍ରାୟ ୪୮% ଖଣିଜ ସମ୍ପଦ ଓଡ଼ିଶାରେ ଗଚ୍ଛିତ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଖଣି ଓ ଶିଳ୍ପ ସଂସ୍କାର ଆଇନ ପ୍ରଣୟନ କରିଥିଲେ । 

୧୮ ବର୍ଷର ନ୍ୟାୟିକ ଲଢେଇ ପରେ ୨୦୨୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଖଣି ଓ ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଥିଲେ । 

ବକେୟା ପ୍ରାପ୍ୟ ଖଣି ମାଲିକ ମାନେ ପ୍ରଦାନ କରିବେ ବୋଲି କହିଥିଲେ । ଉକ୍ତ କଳା ଆଇନ ବଳରେ ରାଜ୍ୟର ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି । 

ରାଜ୍ୟର ଅର୍ଥନୈତିକ ଅଧିକାର ପାଇଁ କୌଣସି ସାଲିସ କରାଯିବ ନାହିଁ ବୋଲି ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ତରଫରୁ ଯୁକ୍ତି ବାଢିଥିଲେ । 

କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିର ଆଭିମୁଖ୍ୟ ବଦଳିଗଲା । ମାଟି ନୁହେଁ, ପାର୍ଟି ବିଜେପି ନେତାଙ୍କ ପାଇଁ ବଡ଼ ହୋଇଛି । 

ସଂସଦରେ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହି କଳା ଆଇନକୁ ସମର୍ଥନ ଜଣାଇଛନ୍ତି । କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତି ଓ ଖଣି ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ଖଣିଜ ସମ୍ପଦକୁ ଟେକି ଦିଆଗଲା । 

ଏତେ ପରେ ମଧ୍ୟ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ପ୍ରଦୀପ ପୁରୋହିତ ଓ ମନମୋହନ ସାମଲ ମିଥ୍ୟା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । 

ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ଏହି ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ବିଜେପି ସାଂସଦ ମାନଙ୍କୁ ପତ୍ର ଲେଖି ଓଡିଶା ସ୍ୱାର୍ଥ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି । 

କିନ୍ତୁ ବିଜେପି ରାଜ୍ୟ ସ୍ୱାର୍ଥକୁ ଭୁଲି ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛି । ପୁଞ୍ଜିପତି, ଶିଳ୍ପପତି ଓ ଖଣି ମାଲିକଙ୍କୁ ଲାଭାନ୍ୱିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ଆଣିଛନ୍ତି । 

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶକୁ ବେଖାତିର କରି କେନ୍ଦ୍ର ସରକାର ରାଜ୍ୟର ହକ୍କୁ ଛଡ଼ାଇ ନେଇ ଖଣିଜ ସମ୍ପଦରୁ ରାଜସ୍ୱ ଏବଂ ବକେୟା ଟିକସ ଆଦାୟ କରୁଛନ୍ତି, ଯାହାକି ସଂଘୀୟ ବ୍ୟବସ୍ଥାକୁ କ୍ଷୁଣ୍ଣ କରୁଛି । 

ଓଡ଼ିଶାବାସୀ ଧୂଳି, ଧୂଅାଁ, ବିସ୍ଥାପନ ଆଦି ସମସ୍ୟାରେ ଜର୍ଜରିତ ହେବେ, କିନ୍ତୁ ଓଡିଶାର ଖଣି ରାଜସ୍ୱ ଅନ୍ୟ ରାଜ୍ୟର ବିକାଶ କାର୍ଯ୍ୟରେ ଲାଗିବ । 

ରାଜ୍ୟର ହକ୍ ପାଇଁ ବିଜେଡି ଲଢେଇ କରିବ । ଓଡିଶାର ଖଣିଜ ସମ୍ପଦରେ ଆମ ଭବିଷ୍ୟତ ପିଢ଼ି ଜେନ ଜି ଓ ଜେନ୍ ଆଲଫା ମାନଙ୍କ ଅଧିକାର ରହିଛି । 

ବିଜେପି ସରକାର ଜେନ ଜି ଓ ଜେନ ଆଲଫା ମାନଙ୍କ ଭବିଷ୍ୟତ ପାଇଁ କଣ କେବଳ ପ୍ରଦୂଷଣ ରଖି ଦେଇଯିବେ ? ଓଡିଶାର ରାଜସ୍ୱ ଅନ୍ୟ ରାଜ୍ୟକୁ ଯିବ ତାହାକୁ ବିଜେଡି କେବେ ବି ବରଦାସ୍ତ କରିବ ନାହିଁ । 

ଜେନ ଜି ଓ ଜେନ ଆଲଫା ମାନଙ୍କ ଭବିଷ୍ୟତ ପାଇଁ ବିଜେଡି ଲଢେଇ ଜାରି ରଖିବ । ସଂଘୀୟ ବିଧି ବ୍ୟବସ୍ଥାକୁ ବିଜେପି ଅସମ୍ମାନ କରୁଛି । ଓଡ଼ିଶା ପ୍ରତି କ୍ଷେତ୍ରରେ ଉପେକ୍ଷିତ ହେଉଥିବା ବେଳେ ବିଜେପି ସାଂସଦ ମାନେ ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ । 

ଓଡ଼ିଶାର ଖଣିଜ ସମ୍ପଦକୁ ଲୁଣ୍ଠନ ପାଇଁ ଯେଉଁ ଷଡ଼ଯନ୍ତ୍ର ଚାଲିଛି, ତାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ । ଠିକ୍ ସମୟରେ ଉଚିତ୍ ଜବାବ ଦେବେ । 

ଉକ୍ତ କଳା ଆଇନକୁ ରଦ୍ଦ ନ କରିବା ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଜେଡିର ଲଢେଇ ଜାରି ରହିବ ।