ରାଜଧାନୀ ଅଟୋ ଆନ୍ଦୋଳନରେ ସାମିଲ ହୋଇଥିବା ଏବଂ ପୋଲିସ କବଜାରେ ରହିଥିବା ଗାଡିଗୁଡିକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ...
ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ ବେଳେ ହୋଇଥିବା ହିଂସା ଘଟଣାକୁ ନେଇ ଭୁବନେଶ୍ୱର ପୁଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି।
ହିଂସାରେ ସାମିଲ ଥିବା ଅଭିଯୋଗରେ ପୁଲିସ ୧୧୩ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି।
ଏହାସହ ଆଉ ୬୦ ଜଣଙ୍କୁ ଭବିଷ୍ୟତରେ ଭଲ ଆଚରଣ କରିବା ପାଇଁ ବାଉଣ୍ଡ ଡାଉନ୍ କରାଯାଇଛି।
ଆନ୍ଦୋଳନରେ ବ୍ୟବହାର ହୋଇଥିବା ଅଭିଯୋଗରେ ପୁଲିସ ୩୫୪ଟି ଗାଡ଼ି ମଧ୍ୟ ଜବତ କରିଛି।
ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ମୋଟ ୭ଟି ଏଫ୍ଆଇଆର୍ ରୁଜୁ ହୋଇଛି।
ସେଥିରୁ ୨ଟି ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ, ୪ଟି ‘ଆମ ବସ୍’ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏବଂ ଗୋଟିଏ ପୁଲିସ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଛି।
ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ଆନ୍ଦୋଳନ ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।
ଆନ୍ଦୋଳନକାରୀମାନେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
କିଛି ଲୋକ ରାସ୍ତା ଉପରେ ନିଜ ଅଟୋ ଛାଡ଼ି ପଳାଇ ଯାଇଥିଲେ। ଫଳରେ ମାଷ୍ଟର କ୍ୟାଣ୍ଟିନ୍ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ପୁଲିସ କ୍ରେନ୍ ସାହାଯ୍ୟରେ ରାସ୍ତା ଉପରେ ଛାଡ଼ି ଦିଆଯାଇଥିବା ୨ଟି ଅଟୋକୁ ହଟାଇଥିଲା।
ଏହାପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ କରାଯାଇଥିଲା।
ଟ୍ୱିନ୍ ସିଟି କମିଶନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହିଂସାରେ ସାମିଲ ହୋଇଥିବା କିମ୍ବା ଆଇନ ଉଲ୍ଲଂଘନ କରିଥିବା ସମସ୍ତଙ୍କ ବିରୋଧରେ କମିଶନରେଟ୍ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବ।
ଘଟଣାର ତଦନ୍ତ ଜାରି ରହିଥିବାରୁ ଆଗକୁ ଆହୁରି ଅନେକ ଲୋକଙ୍କୁ ପୁଲିସ ଧରିପାରେ ବୋଲି ସୂଚନା ମିଳିଛି।