ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ପ୍ରାଣହାନି ହ୍ରାସ ଉପରେ ଉନ୍ନୟନ କମିଶନରଙ୍କ ଗୁରୁତ୍ୱାରୋପ...

Sep 3, 2026 - 23:19
 8
ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ପ୍ରାଣହାନି ହ୍ରାସ ଉପରେ ଉନ୍ନୟନ କମିଶନରଙ୍କ ଗୁରୁତ୍ୱାରୋପ...

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ପ୍ରାଣହାନି ହ୍ରାସ ଉପରେ ଉନ୍ନୟନ କମିଶନରଙ୍କ ଗୁରୁତ୍ୱାରୋପ...

ସେପ୍ଟେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହ ‘ଶୂନ ମୃତ୍ୟୁ ସପ୍ତାହ’ ଭାବେ ପାଳନ ହେବ 

ଦୁର୍ଘଟଣାପ୍ରବଣ ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର; ସପ୍ତାହବ୍ୟାପୀ ଅଭିଯାନ ସହ ନିୟମିତ ସମୀକ୍ଷା ଓ ପଦକ୍ଷେପ

କଡ଼ାକଡ଼ି ଯାଞ୍ଚ, ବ୍ଲାକ୍ ସ୍ପଟ୍ ସଂଶୋଧନ, ଜନସଚେତନତା ଓ ‘ଗୋଲ୍ଡେନ୍ ଆୱାର୍’ ଚିକିତ୍ସା ଉପରେ ଗୁରୁତ୍ୱ

ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ପ୍ରାଣହାନି ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । 

ଏ ନେଇ ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।  

ବୈଠକରେ ରାଜ୍ୟ ଡିଜିପି ଶ୍ରୀ ବିନୟତୋଷ ମିଶ୍ର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍. ରାଜପୁତ, ପରିବହନ ଆୟୁକ୍ତ ଶ୍ରୀ ଅମିତାଭ ଠାକୁରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ଜୋନ ର ଆଇଜି, ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଏବଂ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ମାନେ ମଧ୍ୟ ଯୋଗଦେଇଥିଲେ । 

ବୈଠକରେ ସଡ଼କ ସୁରକ୍ଷା ନେଇ କ୍ଷେତ୍ରସ୍ତରରେ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକ ପ୍ରାରମ୍ଭରେ ପରିବହନ ଆୟୁକ୍ତ ରାଜ୍ୟର ସାମ୍ପ୍ରତିକ ସଡ଼କ ସୁରକ୍ଷା ପରିସ୍ଥିତି, ଦୁର୍ଘଟଣାର ମୁଖ୍ୟ କାରଣ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ସମ୍ପର୍କରେ ତଥ୍ୟଭିତ୍ତିକ ଚିତ୍ର ଉପସ୍ଥାପନ କରିଥିଲେ । 

ରାଜ୍ୟରେ ଦୁର୍ଘଟଣାଜନିତ ପ୍ରାଣହାନିକୁ ଯଥେଷ୍ଟ ହ୍ରାସ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ମାସରୁ ଆଗାମୀ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହକୁ ‘ଶୂନ ମୃତ୍ୟୁ ସପ୍ତାହ’ ( ଜିରୋ ଫାଟାଲିଟି ଉଇକ୍ ) ଭାବେ ପାଳନ କରାଯିବ । 

ବାଣିଜ୍ୟ ଓ ପରିବହନ ବିଭାଗ ସମେତ ପୋଲିସ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ( ଏନଏଚଏଆଇ), ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖି ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ । 

ଉନ୍ନୟନ କମିଶନର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ଅଭିଯାନ କେବଳ ଏକ ଔପଚାରିକ କାର୍ଯ୍ୟକ୍ରମରେ ସୀମିତ ନ ରହି ଏଥିରେ କ୍ଷେତ୍ରସ୍ତରରେ ଦୃଶ୍ୟମାନ ଓ ମାପଯୋଗ୍ୟ ଫଳାଫଳ ଆସିବା ଆବଶ୍ୟକ । 

ଏଥିପାଇଁ କଡ଼ାକଡ଼ି ଆଇନ ଅନୁପାଳନ, ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ବ୍ୟାପକ ଚଢଉ, ଜନସଚେତନତା ଏବଂ ସଡ଼କ ଭିତ୍ତିଭୂମିର ଆବଶ୍ୟକ ସଂଶୋଧନକୁ ସମାନ୍ତରାଳ ଭାବେ ଆଗେଇ ନିଆଯିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଏବଂ ପରାମର୍ଶ ଦେଇଛନ୍ତି ।  

ଦୁଇଚକିଆ ଯାନରେ ଚାଳକ ଓ ଆରୋହୀଙ୍କ ପାଇଁ ହେଲମେଟ୍ ବ୍ୟବହାର , ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ବ୍ୟବହାର, ଦ୍ରୁତଗତି ନିୟନ୍ତ୍ରଣ, ମଦ୍ୟପାନ କରି ଗାଡ଼ି ଚାଳନା ପ୍ରତି କାର୍ଯ୍ୟାନୁଷ୍ଠାନ ସହ, ଗାଡ଼ି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର, ବିପରୀତ ଦିଗରେ ଗାଡ଼ି ଚାଳନା ଏବଂ ଟ୍ରାଫିକ୍ ସଙ୍କେତ ଉଲ୍ଲଂଘନ ଭଳି ଆଇନ ଉଲ୍ଲଂଘନ ବିରୋଧରେ ପୋଲିସ ଓ ଆର୍‌ଟିଓଙ୍କ ମିଳିତ ଟିମ୍‌ ଦ୍ୱାରା ରଣନୀତିଭିତ୍ତିକ ଯାଞ୍ଚ ଅଭିଯାନ ଚାଲିବ ।  

ଏଥିସହିତ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ସମନ୍ୱୟରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍‌ଗୁଡ଼ିକର ତୁରନ୍ତ ଇଞ୍ଜିନିୟରିଂ ସଂଶୋଧନ କରାଯିବ । 

ରାସ୍ତାର ଖାଲଖମା ମରାମତି, ବ୍ଲିଙ୍କର୍, ସୂଚନା ଫଳକ ଏବଂ କ୍ରାସ୍ ବ୍ୟାରିୟର୍ (ସୁରକ୍ଷା ବାଡ) ସ୍ଥାପନ ଭଳି ସୁରକ୍ଷାମୂଳକ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  

ଜନସଚେତନତା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ଓ ସହରାଞ୍ଚଳ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଏବଂ ଗାଡ଼ି ଚାଳକମାନଙ୍କୁ ସାମିଲ କରି ସୁରକ୍ଷିତ ଯାତ୍ରା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ସଡ଼କ ସୁରକ୍ଷା ଅଭିଯାନରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ । 

ସେହିପରି, ଦୁର୍ଘଟଣା ପରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସମୟ ‘ଗୋଲ୍ଡେନ୍ ଆୱାର୍’ ମଧ୍ୟରେ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସମ୍ବେଦନଶୀଳ ରାସ୍ତା ଓ ଦୁର୍ଘଟଣାପ୍ରବଣ ସ୍ଥାନ ନିକଟରେ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ସଜାଗ ରଖାଯିବ । 

‘ପିଏମ୍ ରାହତ୍ ଯୋଜନା’ର ସଫଳତା ସମୀକ୍ଷା ସହ ଏହାର ଅଧିକ ବ୍ୟାପକ ପ୍ରଚାର ପ୍ରସାର କରାଯିବା ନେଇ ଆଲୋଚନା ହୋଇଛି । 

ଆହତଙ୍କ ଜୀବନ ରକ୍ଷାରେ ସହାୟତା କରୁଥିବା ନାଗରିକମାନଙ୍କୁ ‘ରାହାବୀର’ ଓ ‘ଗୁଡ୍ ସମାରିଟାନ୍’ ନୀତି ଅନୁଯାୟୀ ଆର୍ଥିକ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯିବ । 

ବିଶେଷକରି ଖଣିଜ ପରିବହନ, ଶିଳ୍ପାଞ୍ଚଳ କାର୍ଯ୍ୟକଳାପ ଏବଂ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଥିବା ଦୁର୍ଘଟଣାପ୍ରବଣ ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନେ ନିଜେ ଏହାର ପ୍ରତ୍ୟକ୍ଷ ତଦାରଖ କରିବେ । 

ପ୍ରତି ମାସର ‘ଶୂନ ମୃତ୍ୟୁ ସପ୍ତାହ’ ଅଭିଯାନ ସହ କ୍ଷେତ୍ରସ୍ତରରେ ମୃତ୍ୟୁସଂଖ୍ୟା କେତେ ହ୍ରାସ ପାଇଲା, ନିୟମ ଉଲ୍ଲଂଘନକାରୀଙ୍କୁ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଉଛି ଏବଂ ସଡ଼କ ତ୍ରୁଟି ସଂଶୋଧନ କାର୍ଯ୍ୟ କେତେଦୂର ଅଗ୍ରଗତି କରିଛି, ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ । 

ଉନ୍ନୟନ କମିଶନର ବିଭିନ୍ନ ଜିଲ୍ଲାପାଳ ଓ ଆଇଜି ପୁଲିସ୍ ଏବଂ ଆରକ୍ଷୀ ଅଧିକ୍ଷକମାନଙ୍କ ସହିତ ଦୁର୍ଘଟଣା ଏବଂ ମୃତାହତ କମାଇବା ସହ ସଡକ ସୁରକ୍ଷା ସଂପର୍କିତ ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।   

ଏହି କାର୍ଯ୍ୟକ୍ରମ କେବଳ ନିର୍ଦ୍ଧାରିତ ମାସର ସାତଦିନିଆ ଅଭିଯାନ ମଧ୍ୟରେ ସୀମିତ ନ ରଖି, ବର୍ଷସାରା ସମସ୍ତଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମ ଅନୁପାଳନ କରିବା ପାଇଁ ସଚେତନତା ସୃଷ୍ଟି ଉପରେ ଉନ୍ନୟନ କମିଶନର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ପ୍ରାଣହାନିକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । 

ଏଥିପାଇଁ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପଦକ୍ଷେପ ସହ ତଥ୍ୟଭିତ୍ତିକ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି