ଲାଭରେ ଚାଲୁଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କାହା ସ୍ୱାର୍ଥରେ ଘରୋଇକରଣ: ବିଜେଡି
କ୍ଷତିରେ ଚାଲୁଥିବା ବିମାନବନ୍ଦର ସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କ’ଣ ପାଇଁ ମିଶାଉଛନ୍ତି କେନ୍ଦ୍ର ସରକାର ?
କେନ୍ଦ୍ର ସରକାର ଦେଇଥିବା ଆଦେଶକୁ ତୁରନ୍ତ ରଦ୍ଦ କରନ୍ତୁ
ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରିଛନ୍ତି ।
ଯାହାକୁ ନେଇ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିଜେପି ସରକାର ଉପରେ ବର୍ଷିଛନ୍ତି ।
ଶ୍ରୀ ମିଶ୍ର କହିଥିଲେ ଯେ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥାକୁ ଲିଜ୍ ସୂତ୍ରରେ ଦେବାକୁ କେନ୍ଦ୍ରର ବିଜେପି ସରକାର ଅନୁମୋଦନ କରିଛନ୍ତି ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ କର୍ଣ୍ଣାଟକର ହୁବଲି ବିମାନବନ୍ଦରକୁ ଯୋଡି ପିପିପି ମୋଡ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ବିମାନ ବନ୍ଦରକୁ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ ।
ଯେଉଁ ସରକାରୀ ସଂସ୍ଥାର ଲାଭ ହୋଇନଥାଏ, ତାହାକୁ ଘରୋଇ ସଂସ୍ଥାକୁ ଲିଜ୍ ପ୍ରଦାନ କରାଯାଇଥାଏ । କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତର ଏକ ଲାଭନ୍ୱିତ ବିମାନ ବନ୍ଦର ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ୫୦୦୦ରୁ ୭୦୦୦କୋଟି ଟଙ୍କାର ହେବ । ଉକ୍ତ ବିମାନ ବନ୍ଦର ଦ୍ୱାରା ବର୍ଷକୁ ପ୍ରାୟ ୫୦ ଲକ୍ଷ ଲୋକେ ଗମନାଗମନ କରିଥାଆନ୍ତି ।
୨୦୨୨-୨୩ରେ ଉକ୍ତ ବିମାନ ବନ୍ଦରରୁ କେନ୍ଦ୍ର ସରକାର ୨୩୮କୋଟି ଟଙ୍କାର ଲାଭ ପାଇଥିଲେ ।
ଆଗକୁ ଏହା ପ୍ରାୟ ୫୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଲାଭ ପ୍ରଦାନ କରିବ । ଏହାର ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନେକ ଯୋଗଦାନ ରହିଛି ।
କିନ୍ତୁ ତାହାକୁ ୫୦ ବର୍ଷ ପାଇଁ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତିକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ଟର୍ମିନାଲ ନିର୍ମାଣ କରିବା ଆବଶ୍ୟକତା ରହିଛି ।
କେନ୍ଦ୍ର ସରକାର ବିମାନ ବନ୍ଦରର ଉନ୍ନତି ନିମନ୍ତେ ଟଙ୍କା ବିନିଯୋଗ କରିଲେ ଆହୁରି ଲାଭାନ୍ୱିତ ହେବେ ।
ତେବେ ତାହା ନକରି ଏକ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରି ବିମାନବନ୍ଦରକୁ ଲିଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ କାହା ସ୍ୱାର୍ଥରେ ବିମାନ ବନ୍ଦର ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରୁଛନ୍ତି ? କେନ୍ଦ୍ର ବିଜେପି ସରକାର ତୁରନ୍ତ ଏହି ଆଦେଶକୁ ରଦ୍ଦ କରନ୍ତୁ ।
ନଚେତ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ବିଜୁ ଜନତା ଦଳ ଜୋରଦାର ଆନେ୍ଦାଳନ କରିବ ।