ଓଡ଼ିଶା ପର୍ଯ୍ୟଟନ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କଲେ ରାଜ୍ୟପାଳ
ବୌଦ୍ଧ ପର୍ଯ୍ୟଟନର ସମ୍ଭାବନା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ରାଜ୍ୟର ସମୃଦ୍ଧ ବୌଦ୍ଧ ଐତିହ୍ୟ ଏବଂ ବିବିଧ ପର୍ଯ୍ୟଟନ ସମ୍ଭାବନା ଭାରତ ତଥା ପଡ଼ୋଶୀ ଦେଶମାନଙ୍କରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାର ସୁଯୋଗ ରଖିଥିବାରୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତିI
ଲୋକ ଭବନର ଅଭିଷେକ ହଲଠାରେ ଓଡ଼ିଶା ପର୍ଯ୍ୟଟନ ସେବା (ଓଟିଏସ୍) କ୍ୟାଡରର ୧୭ ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିବା ସମୟରେ ରାଜ୍ୟପାଳ ଏହା କହିଛନ୍ତି ।
ଏହି ଆଲୋଚନା ସମୟରେ ରାଜ୍ୟପାଳ ଧଉଳି, ରତ୍ନଗିରି, ଉଦୟଗିରି, ଲଳିତଗିରି ଓ ଜିରାଙ୍ଗ ଭଳି ପ୍ରମୁଖ ବୌଦ୍ଧ ସ୍ଥଳୀମାନଙ୍କ ବିଷୟରେ ଉଲ୍ଲେଖ କରି ସ୍ଥାନଗୁଡ଼ିକର ବିଶିଷ୍ଟ ଐତିହାସିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ।
ସମ୍ରାଟ ଅଶୋକ ଓ କଳିଙ୍ଗ ଯୁଦ୍ଧ ସହିତ ଜଡ଼ିତ ଧଉଳିକୁ ବୌଦ୍ଧ ଶାନ୍ତି ଓ ଐତିହ୍ୟର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରଚାର କରାଯାଇପାରେ ବୋଲି ରାଜ୍ୟପାଳ ଆଶା ବ୍ୟକ୍ତ କରିଥିଲେ।
ରତ୍ନଗିରି ଏବଂ ଉଦୟଗିରିର ପ୍ରାଚୀନ ମଠ, ସ୍ତୂପ ଏବଂ ଭାସ୍କର୍ଯ୍ୟ ଅବଶେଷ ପାଇଁ ଜଣାଶୁଣା ହୋଇଥିବାରୁ ସେଠାରେ ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକ ଅନୁଭୂତି ମିଳିଥାଏ ।
ସେହି ଭଳି ଓଡ଼ିଶାର ଅନ୍ୟତମ ପ୍ରାଚୀନ ବୌଦ୍ଧ କେନ୍ଦ୍ର ଲଳିତଗିରିରେ ଐତିହ୍ୟ ପର୍ଯ୍ୟଟନ ପାଇଁ ପ୍ରଚୁର ସମ୍ଭାବନା ରହିଛି।
ତିବତୀୟ ବୌଦ୍ଧ ମଠ ଏବଂ ମନୋରମ ପ୍ରାକୃତିକ ପରିବେଶ ଯୋଗୁଁ ଜିରାଙ୍ଗ ମଧ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭୂତି ଅନ୍ୱେଷଣ କରୁଥିବା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିବ।
ରାଜ୍ୟପାଳ ପୁଣି କହିଥିଲେ ଯେ, ଏହି ଗନ୍ତବ୍ୟସ୍ଥଳୀମାନଙ୍କର ଉପଯୁକ୍ତ ବିକାଶ ଓ ପ୍ରଚାର ଦ୍ୱାରା ନେପାଳ ଓ ଭୁଟାନ ଭଳି ପଡ଼ୋଶୀ ଦେଶ ସହିତ ଭାରତର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯାଇପାରିବ।
କୋରାପୁଟ ଜିଲ୍ଲାର ଦେଓମାଳୀ ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହେବାର ବିପୁଳ ସମ୍ଭାବନା ରଖିଛି। ଏ ଦିଗରେ ପର୍ଯ୍ୟଟନ ସ୍ଥଳୀମାନଙ୍କ ଚତୁଃପାର୍ଶ୍ୱରେ ଉତ୍ତମ ସଡ଼କ ସଂଯୋଗ, ଗୁଣବତ୍ତାସମ୍ପନ୍ନ ରହଣି ବ୍ୟବସ୍ଥା ଓ ଖାଦ୍ୟ ସୁବିଧା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।
ଯୁବ ପର୍ଯ୍ୟଟନ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ରାଜ୍ୟପାଳ କହିଥିଲେ ଯେ, ସେମାନେ ସୃଜନଶୀଳ ଚିନ୍ତା କରନ୍ତୁ ଏବଂ ଓଡ଼ିଶାର ସାଂସ୍କୃତିକ, ଐତିହାସିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଆକର୍ଷଣଗୁଡ଼ିକର ପ୍ରଚାର ପ୍ରସାର ପାଇଁ ନୂତନ ଧାରଣା ଆଣନ୍ତୁ, ଯାହା ଦ୍ୱାରା ପର୍ଯ୍ୟଟନ ରାଜ୍ୟର ଅର୍ଥନୀତିକୁ ଅଧିକ ମଜବୁତ କରିବ।
ଏହି ଆଲୋଚନା ସମୟରେ ରାଜ୍ୟପାଳ ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଅନୁଭୂତି ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ପ୍ରଶିକ୍ଷାର୍ଥୀମାନେ ମଧ୍ୟ ରାଜ୍ୟପାଳଙ୍କ ସହ ନିଜର ଅନୁଭୂତି ବାଣ୍ଟିଥିଲେ।
ଏହି ଅବସରରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂହ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।