ଓପିସିସି ସଭାପତିଙ୍କ ପ୍ରେସ ବିଜ୍ଞପ୍ତି...

Sep 4, 2026 - 18:07
 10
ଓପିସିସି ସଭାପତିଙ୍କ ପ୍ରେସ ବିଜ୍ଞପ୍ତି...

ଶିକ୍ଷକ,ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ଦାବିକୁ ସରକାର ଅବହେଳା କଲେ କଂଗ୍ରେସ ଏହାକୁ ଆଦୌ ବରଦାସ୍ତ କରିବ ନାହିଁ

ଆବଶ୍ୟକ ପଡିଲେ ଶିକ୍ଷକ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ : ଭକ୍ତ

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନ କ୍ରମେ ଭୁବନେଶ୍ୱର ସମେତ ସାରା ଓଡ଼ିଶାର ସହସ୍ରାଧିକ ସରକାରୀ ଓ ବେସରକାରୀ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି। 

ରାଜ୍ୟ ସରକାର ସଂପୃକ୍ତ ଶିକ୍ଷକ,କର୍ମଚାରୀଙ୍କ ନ୍ୟାୟୋଚିତ୍ତୋ ଦାବି ପୂରଣ ନେଇ କୌଣସି ମୁଣ୍ଡ ଖେଳାଊ ନଥିବାରୁ ଏ ନେଇ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ୍ ଗଭୀର ଊଦବେଗ ପ୍ରକାଶ କରିଛନ୍ତି।ଆବଶ୍ୟକ ପଡିଲେ କଂଗ୍ରେସ ସେମାନଙ୍କର ଦାବି ପୂରଣ ନେଇ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ ସେ ଚେତାବନୀ ଦେଇଛନ୍ତି।

ଶ୍ରୀ ଦାସ ଏକ ପ୍ରେସ ବିବୃତିରେ ରାଜ୍ୟ ସରକାରଙ୍କ ଊପରେ ଜୋରଦାର ଆକ୍ରମଣ କରି କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଦାୟିତ୍ବହୀନତା ଯୋଗୁଁ ଆଜି ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଚରମ ଅଚଳାବସ୍ଥା ସୃଷ୍ଟି ହୋଇଛି । 

ଜୀବନ ଜୀବିକାର ପ୍ରମୁଖ ଦାବି ପୂରଣ ନେଇ ଶିକ୍ଷକ ଓ କର୍ମଚାରୀଙ୍କ ପରିବାର, ପିଲା ଛୁଆଙ୍କ ସହିତ ଆନ୍ଦୋଳନ ପରିସରକୁ ଆଜିକୁ 20 ଦିନ ରୁ ଊର୍ଦ୍ଧ ସମୟ ହେବ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ। ଗୋଟିଏ ପଟରେ ରାଜ୍ୟ ସରକାର ନୂତନ ଶିକ୍ଷା ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିଲାବେଳେ ସଂପୃକ୍ତ ଶିକ୍ଷକ,କର୍ମଚାରୀଙ୍କ ଦାବିଗୁଡିକ ପ୍ରତି ଦୃଷ୍ଟି ନଦେବା କଥାରୁ ସରକାରଙ୍କର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢୀକରଣ ନେଇ ଦୋ-ମୁଁହା ନିତୀ ଆପଣେଇଥିବା ସ୍ପଷ୍ଟ ପ୍ରତିପାଦିତ ହେଊଛି ବୋଲି ଶ୍ରୀ ଦାସ କହିଛନ୍ତି ।

ଶ୍ରୀ ଦାସ୍ କହିଛନ୍ତି ଯେ ସଂପୃକ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କର ପୂର୍ଣ୍ଣ ଅନୁଦାନ ପ୍ରଦାନ, ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ଦରମା ପ୍ରଦାନ, ସ୍ଥାୟୀକରଣ ଓ ପେନସନ ବ୍ୟବସ୍ଥା ଆଦି ଦାବି ରହିଛି ତାହା ଯୁକ୍ତିଯୁକ୍ତ ।

ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କୁ ସମାନ କାର୍ଯ୍ୟକୁ ସମାନ ଦରମା ପ୍ରଦାନ ପାଇଁ ହକଦାର ବୋଲି ସେ କହିଛନ୍ତି।

ସରକାର ଶିକ୍ଷକ ସମାଜର ମାନସମ୍ମାନ ଓ ପ୍ରତିଷ୍ଠା ରକ୍ଷା ପାଇଁ ସେମାନଙ୍କର ଦାବିଗୁଡିକୁ ତୁରନ୍ତ ମାନି ନେବା ଊଚିତ୍ । ସରକାରଙ୍କ ଏଭଳି ମନୋଭାବ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ସହ ସମଗ୍ର ରାଜ୍ୟବାସୀଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି ବୋଲି ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି। 

ଆଜି ଯେଊଁ ଶିକ୍ଷକ ଓ କର୍ମଚାରୀ ସମାଜ ନିଜର ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ସେମାନହ୍କ ସହିତ କଂଗ୍ରେସ ରହିଛି। ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ସର୍ବଦା ରହି ଆସିଛି। 

ଯଦି ସରକାର ତୁରନ୍ତ ସେମାନଙ୍କର ନ୍ୟାୟୋଚିତ୍ତୋ ଦାବି ପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବା ପାଇଁ ରାଜ୍ୟ ବ୍ୟାପି ଆନ୍ଦୋଲନକୁ ଓହ୍ଲାଇବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।