ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ବିଶିଷ୍ଟ ସାମାଜିକ କର୍ମୀ ମାନସ ଜେନାଙ୍କ କଂଗ୍ରେସ ଭବନରେ ଏମଏମଡିଆର (MMDR)ପ୍ରସଙ୍ଗରେ ସାମ୍ବାଦିକ ସମିଳନୀ...

Sep 4, 2026 - 18:06
 6
ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ବିଶିଷ୍ଟ ସାମାଜିକ କର୍ମୀ ମାନସ ଜେନାଙ୍କ କଂଗ୍ରେସ ଭବନରେ  ଏମଏମଡିଆର (MMDR)ପ୍ରସଙ୍ଗରେ ସାମ୍ବାଦିକ ସମିଳନୀ...

MMDR ସଂଶୋଧନ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ନଗ୍ନ ମିଛକୁ ଦୃଢ଼ ନିନ୍ଦା କରିଛନ୍ତି।

ସାମ୍ବାଦିକଙ୍କୁ ସମ୍ବୋଧିତ କରି ଶ୍ରୀ କାନୁନଗୋ କହିଛନ୍ତି, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୋଧହୁଏ ଶିକ୍ଷଦୀକ୍ଷା ନାହିଁ ତେଣୁ ସେ ଏମଏମଡିଆର ବିଲ ପଢ଼ିପାରି ନାହାନ୍ତି l 

ସେ ଓଡ଼ିଶାରୁ ଜଣେ ସାଂସଦ ଏବଂ ବିଶେଷ କରି ଖଣି ଅଞ୍ଚଳରୁ ହୋଇଥିଲେ ମଧ୍ୟ ଓଡ଼ିଶା ଏବଂ ଏହାର ଖଣିଜ ଅର୍ଥନୀତି ବିଷୟରେ ତାଙ୍କର ବହୁତ ଦୁର୍ବଳ ଜ୍ଞାନ ରହିଛି। ସେ ଓଡ଼ିଶାର ଭବିଷ୍ୟତ ବିନିମୟରେ କେବଳ ଅନ୍ଧ ଭାବରେ ନିଜ ଦଳର ସ୍ୱାର୍ଥ ରକ୍ଷା କରୁଛନ୍ତି। 

ଏହା କଂଗ୍ରେସ ଏବଂ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଗ୍ରହଣୀୟ ନୁହେଁ।କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ହୋଇଥିବା ଏମଏମଡିଆର ଆକ୍ଟ ସଂଶୋଧନ ୨୦୨୬ ସମ୍ବିଧାନ ବିରୋଧୀ, କାରଣ ଏହା ରାଜ୍ୟଗୁଡ଼ିକର ଅଧିକାରକୁ କ୍ଷୁର୍ଣ୍ଣ କରୁଛି ଏବଂ ଖଣି ସମୃଦ୍ଧ ରାଜ୍ୟଗୁଡ଼ିକର ସ୍ୱାର୍ଥ ବିରୋଧୀ, ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ବିରୋଧରେ ଯାଉଛି, ଯାହାକି ଏକ ଖଣିଜ ସମୃଦ୍ଧ ରାଜ୍ୟ ଭାବରେ ଦେଶର ପ୍ରାୟ ୫୦ ପ୍ରତିଶତ ଖଣିଜ ଉତ୍ପାଦନରେ ସହଯୋଗ କରିଥାଏ। ବିଜେପି ସରକାରଙ୍କର ଏହି ଜନବିରୋଧୀ ପଦକ୍ଷେପ ହେଉଛି ବିଜେପିର କର୍ପୋରେଟ୍ ବନ୍ଧୁମାନଙ୍କ ସ୍ୱାର୍ଥ ସାଧନ କରିବା। 

ଏହି ସଂଶୋଧନ ପଛରେ ଥିବା ଷଡ଼ଯନ୍ତ୍ର ହେଉଛି ଜୁଲାଇ ୨୦୨୪ ର ସୁପ୍ରିମକୋର୍ଟଙ୍କ ରାୟକୁ ବଦଳାଇବା, ଯେଉଁଥିରେ ୯:୧ ସଦସ୍ୟ ବିଶିଷ୍ଟ ବେଞ୍ଚ ରାଜ୍ୟଗୁଡ଼ିକୁ ଖଣିଜ ସମୃଦ୍ଧ ଜମି ଉପରେ ଟିକସ ଲଗାଇବାକୁ ଏବଂ ପିଛିଲା ଭାବେ ବାକି ଅର୍ଥ ସଂଗ୍ରହ କରିବାକୁ ଅନୁମତି ଦେଇଥିଲେ। 

ଏହି ସଂଶୋଧନ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ଖଣିଜ ଅଧିକାର ଏବଂ ଖଣିଜ ସମୃଦ୍ଧ ଜମି ଉପରେ ଟିକସ ଲଗାଇବା ଅଧିକାରକୁ ବିପଦରେ ପକାଇଛି ଏବଂ ଟିକସ ଆକାରରେ ମିଳିବାକୁ ଥିବା କିଛି ଲକ୍ଷ କୋଟି ଟଙ୍କାରୁ ରାଜ୍ୟଗୁଡ଼ିକୁ ବଞ୍ଚିତ କରିଛି। 

ସେମାନେ କହିଛନ୍ତି ଯେ ଝାଡ଼ଖଣ୍ଡ ସରକାରଙ୍କ ଭଳି ଜୁଲାଇ ୨୦୨୪ ର ରାୟ ପରେ ଡବଲ ଇଞ୍ଜିନ ସରକାର ତୁରନ୍ତ ଟିକସ ସଂଗ୍ରହ କରିବା ଉଚିତ ଥିଲା, କିନ୍ତୁ ଖଣି କମ୍ପାନୀଗୁଡ଼ିକୁ ସୁହାଇବା ପାଇଁ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରତ୍ୟାଖ୍ୟାନ କରାଯାଇଛି। 

ଯେତେବେଳେ ଖଣିଜ ସମୃଦ୍ଧ ପଛୁଆ ରାଜ୍ୟଗୁଡ଼ିକ ଖଣିଜ ଉତ୍ପାଦନ ଯୋଗୁଁ ପରିବେଶ, ଜୀବିକା, ବିସ୍ଥାପନ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଉପରେ ପଡ଼ିଥିବା ପୁରୁଣା ପ୍ରଭାବର ମୁକାବିଲା କରିବାକୁ ସଂଘର୍ଷ କରୁଛନ୍ତି, ବିଜେପି ସରକାରଙ୍କ ଏହି ପଦକ୍ଷେପ ଏହାକୁ ଆହୁରି ଖରାପ କରିବ।

ରାଜ୍ୟ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ଜଗଦାନନ୍ଦ ପ୍ରଧାନ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କିଛି ଦିନ ଧରି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ପାସ କରାଯାଇଥିବା ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟକୁ ନେଇ ଯେଊଁ ଗୁଣଗାନ କରି ଚାଲିଛନ୍ତି ଏହାର ସେ କଡା ଜବାବ ଦେଇଛନ୍ତି। 

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଏମଏମଡିଆର ଆକ୍ଟକୁ ନେଇ କରୁଥିବା ଗୁଣଗାନ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦକୁ ଲୁଣ୍ଠନ କରିବାକୁ କିଭଳି ଅଣ୍ଟା ଭିଡିଛନ୍ତି, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଊଛି ବୋଲି ସେ କହିଛନ୍ତି। ଓଡିଆ ଅସ୍ମିତାର ଦ୍ୱାହି ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ଓ ଏହାର ନେତା ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । 

ପୁଞ୍ଜିପତି ତଥା ଖଣି ମାଲିକମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରତ୍ନଗର୍ଭା ଓଡ଼ିଶାକୁ ସେ ଡବଲ ଇଞ୍ଜିନ ସରକାରଙ୍କ ମାଧ୍ୟମରେ ଲୁଣ୍ଠନ କରିବାକୁ ଊଦ୍ୟମ ଆରମ୍ଭ କରିଛନ୍ତି ବୋଲି ମୁଖପାତ୍ର ଶ୍ରୀ ପ୍ରଧାନ କହିଛନ୍ତି।

ଉକ୍ତ କଳା ଆଇନ ବଳରେ ରାଜ୍ୟର ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି ବୋଲି ଜଗଦାନନ୍ଦ କହିବା ସହ 2012 ମସିହା ପରଠାରୁ କୋଇଲା ରୟାଲଟିକୁ କାହିଁକି ବୃଦ୍ଧି କରାଯାଊ ନାହିଁ ।ଫଳରେ ରାଜ୍ୟକୁ ପ୍ରତି ବର୍ଷ ଦଶ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

ପ୍ରତି ତିନି ବର୍ଷକୁ ଥରେ କୋଇଲା ରୟାଲଟି ବୃଦ୍ଧି କରାଯିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହିଁକି ତାଙ୍କ ମନ୍ତ୍ରୀତ୍ବ କାଳରେ ଊଦ୍ୟମ କଲେ ନାହିଁ ବୋଲି ମୁଖପାତ୍ର ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।  

କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତି ଓ ଖଣି ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ଖଣିଜ ସମ୍ପଦକୁ ଟେକି ଦେବାକୁ ସମର୍ଥନ କରି ଧର୍ମେନ୍ଦ୍ର ଏଭଳି ମିଥ୍ୟା କଥା କହୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।