ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ
ଆବଶ୍ୟକୀୟ ଭିତ୍ତିଭୂମି କାର୍ଯ୍ୟକୁ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ତା.୧୪.୦୮.୨୦୨୬
ରାଜ୍ୟର ଶିଳ୍ପ କ୍ଷେତ୍ରରେ ଆବଶ୍ୟକ ମୌଳିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକରିତା ସ୍ଥିତି ଓ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଶିଳ୍ପ ବିଭାଗ ଦ୍ବାରା ଗଠିତ ଟାସ୍କ ଫୋର୍ସ କମିଟି ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ବହୁବିଧ ସମସ୍ୟାର ସମାଧାନ ଏବଂ ଆନୁଷଙ୍ଗିକ କାର୍ଯ୍ୟସବୁକୁ ସମୟସୀମା ମଧ୍ଯରେ ଶେଷ କରିବାକୁ ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେବା ସହ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରାଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।
ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶିଳ୍ପ ସମ୍ପର୍କିତ ଭିଭିଭୂମି ଓ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ କାର୍ଯ୍ୟାନ୍ଵୟନ ସମୟରେ ଦେଖାଦେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଜମି ଅଧିଗ୍ରହଣ ପାଇଁ ଆବଶ୍ୟକୀୟ ଅନୁମୋଦନ, ବିଦ୍ୟୁତ୍ ସରବରାହ ଭିଭିଭୂମି ସୁବିଧା ଓ ଏଥିପାଇଁ ପ୍ରଶାସନିକ ମଂଜୁରୀକୁ ତ୍ବରାନ୍ବିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ପୃକ୍ତ ବିଭାଗ ସମେତ ଇଡକୋ ଏବଂ ଜିଲ୍ଲା ପ୍ରଶାସନକୁ ସମନ୍ବିତ ଓ ଅଗ୍ରାଧ୍କାର ଭିଭିରେ କାର୍ଯ୍ୟ କରିବା ଉପରେ
ମୁଖ୍ୟ ଶାସନ ସଚିବ ଗୁରୁତ୍ଵ ଦେଇଥିଲେ । ବିଭାଗୀୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ସଂପୃକ୍ତ ଶିଳ୍ପ ସଂସ୍ଥାର ମୁଖ୍ୟ ତଥା ପ୍ରତିନିମାନଙ୍କ ସହିତ ପ୍ରକଳ୍ପୱାରୀ ଆଲୋଚନା କରିବା ସହ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ପ୍ରମୁଖ ଭିଭିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ଵୟନ ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଯଥା ପ୍ରକଳ୍ପ ସ୍ଥଳକୁ ବିଦ୍ୟୁତ୍ ଯୋଗାଣ, ରାସ୍ତା ସୁବିଧା, ଜଳ ଯୋଗାଣ, ବିଭିନ୍ନ ଅନୁମୋଦନ ଆଦିର ସୁବ୍ୟବସ୍ଥା କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ସୁଗମ ଓ ତ୍ବରାନ୍ବିତ କରିବାକୁ ଟାସ୍କ ଫୋର୍ସ କମିଟି ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଙ୍କ ସମେତ ପୂର୍ତ୍ତ, ଜଳ ସଂପଦ, ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ, ଇଡକୋର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାକାର, ଶିଳ୍ପ ସଂସ୍ଥାର ମୁଖ୍ୟ ଏବଂ ପ୍ରତିନିଧୂମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ । ବୈଠକରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ତଥା କାର୍ଯ୍ୟାନ୍ଵୟନ ସ୍ଥିତିରେ ଥିବା ଅନୁଗୋଳ, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, ଗଂଜାମ, ଗଜପତି, ଝାରସୁଗୁଡା, ରାୟଗଡ଼ା, ସୁନ୍ଦରଗଡ଼, ମୟୂରରଂଜ, ନବରଙ୍ଗପୁର, କୋରାପୁଟ, କନ୍ଧମାଳ ଆଦି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।