ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମାଧବୀ ମୁଦଗଲ୍ଙ୍କ ନୃତ୍ୟ କର୍ମଶାଳା...
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲ୍ଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ କର୍ମଶାଳା ଆୟୋଜିତ ହେଉଛି। ଜୁନ୍ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଓଡ଼ିଶୀ ନୃତ୍ୟ କର୍ମଶାଳା ଆୟୋଜିତ ହେବ।
ଉକ୍ତ କର୍ମଶାଳାରେ ପଦ୍ମଶ୍ରୀ ମାଧବୀ ମୁଦଗଲ୍ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ “ଖ ଚମ୍ପୁ” ଆଧାରିତ ଅଭିନୟର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।
ଏହି କର୍ମଶାଳାରେ ୫୦ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଏବଂ ପଦ୍ମଶ୍ରୀ ମାଧବୀ ମୁଦଗଲ୍ଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ଶିଖିବା ଏକ ନିଆରା ଅନୁଭୂତି ବୋଲି ପ୍ରଶିକ୍ଷାର୍ଥୀମାନେ ମତପ୍ରକାଶ କରିଛନ୍ତି।
ଏହି ଓଡ଼ିଶୀ ନୃତ୍ୟ କର୍ମଶାଳାର ସମାପ୍ତି ପରେ କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆଜି ନୃତ୍ୟ କର୍ମଶାଳାର ଉଦ୍ଘାଟନୀ ସମାରୋହରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଶ୍ରୀମତୀ ସିକତା ଦାସ, ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀଙ୍କ ସମତେ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ