ଜାତୀୟ ସଡ଼କ ସୁରକ୍ଷା ମାସ- ୨୦ ୨୬ ଉଦଘାଟିତ

Jan 3, 2026 - 22:13
 6
ଜାତୀୟ ସଡ଼କ ସୁରକ୍ଷା ମାସ- ୨୦ ୨୬ ଉଦଘାଟିତ

ସଡ଼କସୁରକ୍ଷା କେବଳ ଏକ ସ୍ଲୋଗାନ ନୁହେଁ ଜନ ଆନ୍ଦୋଳନ ରେ ପରିଣତ କରିବାକୁ ଆହ୍ୱାନ

:- ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ଭୁବନେଶ୍ବର ୦୩/୦୧/୨୦୨୬

ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬ ର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟିତ ହୋଇଛି । ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ I ସଡ଼କ ସୁରକ୍ଷା ଅଭିଯାନ କୁ ବ୍ୟାପକ କରିବା ପାଇଁ ଶ୍ରୀମତୀ ପାଢ଼ୀ ଆହ୍ୱାନ ଦେଇଥିଲେ ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ତାଙ୍କ ଉଦ‌ବୋଧନ ରେ କହିଥିଲେ ଯେ, ସଡ଼କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି | ଜାତୀୟ ସଡକ ସୁରକ୍ଷା ମାସ ର ଯେଉଁ ସନ୍ଦେଶ ରହିଛି, 'ଶିକ୍ଷା ରୁ ସୁରକ୍ଷା ଓ ପ୍ରଯୁକ୍ତି ରୁ ପରିବର୍ତନ'-ଏହାକୁ ଆଧାର କରି ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ ବୋଲି ଶ୍ରୀଯୁକ୍ତ ଜେନା ଉଲ୍ଲେଖ କରିଥିଲେ । କଡା ଆଇନ ପାଳନ, ସଚେତନତା ଅଭିଯାନ ଓ ପ୍ରଯୁକ୍ତିବିଦ୍ୟା ର ସଫଳ ବ୍ୟବହାର ଫଳରେ ଗତ କିଛି ବର୍ଷରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି । ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ଭ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ମନମୋହନ ସାମଲ ଉପସ୍ଥିତ ରହି ସଡ଼କ ସୁରକ୍ଷା କ୍ଷେତ୍ର ରେ ସଚେତନତା ସୃଷ୍ଟି କରିବା ଦିଗ ରେ ଗୁରୁତ୍ୱାରୋପ କରିଥିଲେ ।

ସଡ଼କ ସୁରକ୍ଷା ବ୍ରାଣ୍ଡ ଆମ୍ବାସାଡର ବିଶିଷ୍ଟ ଅଭିନେତା ତଥା ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଡ଼. ଶ୍ରୁତି ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ଜନସାଧାରଣ ଙ୍କୁ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କାର୍ଯ୍ୟ କରିବାକୁ ସଚେତନ କରିଥିଲେ I

ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କୁ ପ୍ରଭାବୀ କରିବାକୁ ସଡ଼କ ସୁରକ୍ଷା ସଙ୍ଗୀତ ର ଭିଡ଼ିଓ ଉନ୍ମୋଚନ ହୋଇଥିଲା I

କାର୍ଯ୍ୟକ୍ରମରେ “ଆମ ସୁବାହକ” ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ପ୍ରଶିକ୍ଷିତ ମହିଳାମାନଙ୍କୁ ସରକାରଙ୍କ ଗ୍ୟାରେଣ୍ଟି ରେ ସୁଧମୁକ୍ତ ଋଣ ପ୍ରଦାନ ମାଧ୍ଯମ ରେ ଚାରିଚକିଆ ଯାନ କ୍ରୟ କରି ସ୍ବାବଲମ୍ବୀ ହେବା ର ଲକ୍ଷ ରଖାଯାଇଛି । ଆଜି ମଞ୍ଚ ଉପରେ "ଆମ ସୁବାହକ" ଯୋଜନା ଅନ୍ତର୍ଭୁକ୍ତ 5 ଜଣ ହିତାଧିକାରୀଙ୍କୁ କାର ଚାବି ପ୍ରଦାନ କରାଯାଇଥିଲା ।

ସେହିଭଳି ସୁବାହକ ସୁବିଧା ଯୋଜନା ଅନୁଯାୟୀ, ପାଇଲଟ ପ୍ରୋଜେକଟ ରେ ବସ ମାଲିକ ମାନଙ୍କୁ, ସରକାର ନିଜସ୍ବ ଖର୍ଚ୍ଚ ରେ କୀଟ ପ୍ରଦାନ କରିଥିଲେ I ବସ ରେ ସୁବାହକ ସୁବିଧା କୀଟ ଅବସ୍ଥାପନ ଦ୍ବାରା, ଚାଳକ ମାନଙ୍କ ନିଦ୍ରାହୀନତା ତଥା ମଦ୍ୟପାନ କରି ଗାଡି ଚଳାଇବା କୁ ଚିହ୍ନଟ କରିବା ରେ ଏହା ସହାୟକ ହେବ I ରାଜ୍ୟ ପରିବହନ ପ୍ରାଧିକରଣ ଓ ଆଇଆଇଟି ମାଦ୍ରାସର ମିଳିତ ସ‌ହ‌ଭାଗୀତା ରେ ସଡ଼କ ସୁରକ୍ଷା କ୍ଷେତ୍ରରେ 'ସଡ଼କ ସୁରକ୍ଷା ଡ୍ୟାଶବୋର୍ଡ' ପ୍ରସ୍ତୁତ କରାଯାଇଛି ଯାହାକୁ ଅତିଥ୍ ମାନେ ଲୋକାର୍ପଣ କରିଥିଲେ ।

ଓଡ଼ିଶା ଯାତ୍ରୀ ଆପ ଅଧୀନରେ FASTicket ନାମକ QR-ଭିଭିକ ଡିଜିଟାଲ ବସ୍ ଟିକେଟିଂ ବ୍ୟବସ୍ଥା ମଧ୍ଯ ଉନ୍ମୋଚିତ ହୋଇଥିଲା I

ଏହି ଅବସରରେ ବାଚସ୍ପତି ଙ୍କ ନେତୃତ୍ବରେ ଏକ ସାମୂହିକ ସଡ଼କ ସୁରକ୍ଷା ଶପଥପାଠ କରାଯାଇଥିଲା । ପରେ ସମସ୍ତେ ଶ୍ରୀ ରାମ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ପଦଯାତ୍ରା ରେ ଭାଗ ନେଇଥିଲେ I ପଦଯାତ୍ରା ସମୟ ରେ, ମାଷ୍ଟର କ୍ୟାଣ୍ଟିନ ଛକ ରେ ହୁଇଲ ଚେୟାର ରଗବି ଟିମ କୁ ସମ୍ବୋସ୍ତ କରାଯାଇଥିଲା I ଗୁରୁଦ୍ବାରା ନିକଟ ରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ର ଶୁଭ ଉଦଘାଟନ କରାଯାଇଥିଲା I ଏହାପରେ, ଶ୍ରୀରାମ ମନ୍ଦିର ନିକଟ ରେ good samaritan ମାନଙ୍କୁ ସମ୍ମାନିତ କରାଯାଇଥିଲା I

କାର୍ଯ୍ୟକ୍ରମରେ ପ୍ରାରମ୍ଭ ରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ରାଜ୍ୟ ସରକାରଙ୍କ ଦ୍ବାରା ସଡ଼କ ସୁରକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ I ସେ କହିଥିଲେ ଯେ, ସଡକ ସୁରକ୍ଷା ମାସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ସଚେତନ କରି ସଡ଼କ ଦୁର୍ଘଟଣା ହ୍ରାସ କରିବା । "ଶିକ୍ଷା ରୁ ସୁରକ୍ଷା ଓ ପ୍ରଯୁକ୍ତି ରୁ ପରିବର୍ତ୍ତନ” ଉପରେ ଗୁରୁତ୍ବ ଦେଇ ୪E - education, enforcement, Emergency care Engineering ଉପରେ ଆଧାରିତ କାର୍ଯ୍ୟକ୍ରମ ଅନୁସରଣ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ |

ଏହି ଉତ୍ସବ ରେ, ମେୟର ସୁଲୋଚନା ଦାସ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି . ଖୁରାନିଆ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ, ପ୍ରସିଦ୍ଧ କାର୍ଟୁନିଷ୍ଟ ଶ୍ରୀ କମଳାକାନ୍ତ ରଥ, ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଅମୀୟବାଳା ପରିଡା ଓ ସୁଜାତା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।