ଓରମାସ ପକ୍ଷରୁ ଆମ୍ବ ଚାଷୀ ଓ ହିତାଧିକାରୀଙ୍କ ପାଇଁ କ୍ଷମତା ବିକାଶ ଶିବିର...

Apr 25, 2026 - 20:02
Apr 25, 2026 - 20:06
 13
ଓରମାସ ପକ୍ଷରୁ ଆମ୍ବ ଚାଷୀ ଓ ହିତାଧିକାରୀଙ୍କ ପାଇଁ କ୍ଷମତା ବିକାଶ ଶିବିର...

ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଭୁବନେଶ୍ୱରସ୍ଥିତ ଏସଆଇଆରଡି (SIRD) କ୍ୟାମ୍ପସର ମନରେଗା ସମ୍ମିଳନୀ କକ୍ଷରେ ଆମ୍ବ ଚାଷ ସମ୍ପର୍କିତ ଏକ ସ୍ୱତନ୍ତ୍ର କ୍ଷମତା ବିକାଶ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। 

ଓଡ଼ିଶାର ୧୫ଟି ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଜିଲ୍ଲାରୁ ଚାଷୀ ଏବଂ କୃଷି ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ।

ଆମ୍ବକୁ କିପରି ସୁରକ୍ଷିତ ଭାବେ ଅମଳ କରାଯିବ ଏବଂ ବିଦେଶକୁ ରପ୍ତାନି କରି ଅଧିକ ଲାଭ ଅର୍ଜନ କରାଯାଇପାରିବ, ସେନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା। ବୈଜ୍ଞାନିକ ପଦ୍ଧତିରେ ଆମ୍ବ ଅମଳ ଏବଂ ଅମଳ ପରବର୍ତ୍ତୀ ଦକ୍ଷ ପରିଚାଳନା ସମ୍ପର୍କରେ ପ୍ରତିଭାଗୀମାନଙ୍କୁ ସଚେତନ କରାଯାଇଥିଲା। 

ବିଶେଷ କରି ଫଳର ଗୁଣବତ୍ତା ରକ୍ଷା, ଗ୍ରେଡିଂ, ପ୍ୟାକେଜିଂ, କୋଲ୍ଡ ଚେନ୍ ପରିଚାଳନା ଏବଂ ବଜାର ସଂଯୋଗୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ଆମ୍ବର ଚାହିଦା ବୃଦ୍ଧି କରିବା ପାଇଁ ରପ୍ତାନି ସୁଯୋଗର ଉପଯୋଗ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।

କର୍ମଶାଳା ସମ୍ପର୍କରେ ମତ ପ୍ରକାଶ କରି ଓରମାସର ଅତିରିକ୍ତ ସିଇଓ (ଅର୍ଥ) ଶ୍ରୀ ସଞ୍ଜୀବ କୁମାର ସିଂହ କହିଥିଲେ ଯେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଚାଷୀମାନେ ନିଜ ବଗିଚାର ଆମ୍ବକୁ କିପରି ବିଦେଶ ବଜାରକୁ ପହଞ୍ଚାଇପାରିବେ, ସେଥିପାଇଁ ସଠିକ୍ ଜ୍ଞାନ ଅର୍ଜନ କରିପାରିବେ। 

ଏହାସହ ଅତିରିକ୍ତ ସିଇଓ (ପ୍ରଶାସନ) ଶ୍ରୀମତୀ ଗୀତାଞ୍ଜଳି ବେହେରା କହିଥିଲେ, “ସଠିକ୍ ଯତ୍ନ ନେଲେ ଆମ୍ବ ସମୟ ପୂର୍ବରୁ ନଷ୍ଟ ହେବ ନାହିଁ ଏବଂ ଚାଷୀମାନଙ୍କର ଆୟ ବୃଦ୍ଧି ପାଇବ।”

ଅଂଶଗ୍ରହଣକାରୀ କୃଷକ ସଂଗଠନମାନେ ଏହି କର୍ମଶାଳାକୁ ଓରମାସର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ କରି ପ୍ରଶଂସା କରିଥିଲେ।