ନିଶାମୁକ୍ତ ଯୁବ, ବିକଶିତ ଭାରତ’ ଅଭିଯାନର ୯ମ ସପ୍ତାହରେ ୮୧,୬୦୦ରୁ ଅଧିକ ଯୁବ ଓ ନାଗରିକ ସାମିଲ...
୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୨୯ଟି କାର୍ଯ୍ୟକ୍ରମ, କ୍ରୀଡ଼ା ସହ ନିଶା ନିବାରଣ ଉପରେ ସଚେତନତା
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ମେରା ଯୁବ ଭାରତ (ମାଇ ଭାରତ) ପକ୍ଷରୁ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ’ର ୧୦୦ ସପ୍ତାହବ୍ୟାପୀ ଅଭିଯାନର ନବମ ସପ୍ତାହରେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ଲକ୍ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଏବଂ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଓ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରାଯାଇଥିବାବେଳେ, ପଡ଼ୋଶୀ ଯୁବ ସଂସଦ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶା ସେବନ ଏବଂ ନିଶା ନିବାରଣ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୁସଂଗଠିତ ଆଲୋଚନାରେ ସାମିଲ କରାଯାଇଥିଲା।
ଏହି ଦୁଇଟି ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ମୋଟ ୪୨୯ଟି କାର୍ଯ୍ୟକ୍ରମ ଅଧୀନରେ ୧,୦୩୯ଟି କାର୍ଯ୍ୟକଳାପ ଆୟୋଜନ କରାଯାଇ ୮୧,୬୨୨ ଜଣ ଯୁବକଯୁବତୀ ଓ ନାଗରିକଙ୍କୁ ସାମିଲ କରାଯାଇଥିଲା। ୧୫.୧୧.୨୦୨୬ର ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ଏହି ତଥ୍ୟ ପ୍ରକାଶ କରାଯାଇଛି।
୧୩.୧୧.୨୦୨୬ ରୁ ୧୫.୧୧.୨୦୨୬ ପର୍ଯ୍ୟନ୍ତ ବ୍ଲକ୍ସ୍ତରୀୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବ୍ଲକ୍ ଓ ଗ୍ରାମର ଯୁବକଯୁବତୀମାନେ ଏକତ୍ରିତ ହୋଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ।
ଏହି ପଦକ୍ଷେପ ଗ୍ରାମାଞ୍ଚଳର ଯୁବପ୍ରତିଭାମାନଙ୍କୁ ସେମାନଙ୍କ କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ ପାଇଁ ଏକ ମଞ୍ଚ ଯୋଗାଇବା ସହ ଶାରୀରିକ ସୁସ୍ଥତା, ଦଳଗତ ଭାବନା, ଶୃଙ୍ଖଳା ଓ ସୁସ୍ଥ ପ୍ରତିଯୋଗିତାମୂଳକ ମନୋଭାବକୁ ପ୍ରୋତ୍ସାହିତ କରିଥିଲା।
ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୩୭୦ଟି କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ, ଏଥିରେ ୮୫୧ଟି କାର୍ଯ୍ୟକଳାପ ସାମିଲ ହୋଇଥିଲା। ଏଥିରେ ୭୫,୨୨୦ ଜଣ ଯୁବକଯୁବତୀ ଓ ନାଗରିକ ଅଂଶଗ୍ରହଣ କରିଥିଲେ।
କ୍ରୀଡ଼ା କାର୍ଯ୍ୟକ୍ରମ ସହିତ ତାଳ ଦେଇ ୧୪.୧୧.୨୦୨୬ରେ ବ୍ଲକ୍ସ୍ତରରେ ୫୯ଟି ପଡ଼ୋଶୀ ଯୁବ ସଂସଦ (ଏନ୍ଓ୍ୱାଇପି) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏଥିରେ ୧୮୮ଟି କାର୍ଯ୍ୟକଳାପ ମାଧ୍ୟମରେ ୬,୪୦୨ ଜଣ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନଗୁଡ଼ିକ ମାଧ୍ୟମରେ ଅଭିଯାନକୁ ପଡ଼ୋଶୀ ଅଞ୍ଚଳ ଓ ତୃଣମୂଳସ୍ତରର ସମୁଦାୟ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା।
ଏଥିସହ ନିଶା ସେବନ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ଓ ଏହାର କୁପ୍ରଭାବ ସମ୍ପର୍କରେ ବୁଝିବା ସହ ନିଶାମୁକ୍ତ ଭାରତ ଗଠନରେ ନିଜର ଯୋଗଦାନ ରଖିବା ପାଇଁ ଆବଶ୍ୟକ ଉପାୟ ଉପରେ ଆଲୋଚନା କରିବାକୁ ଯୁବପିଢ଼ିଙ୍କୁ ଏକ ସୁସଂଗଠିତ ମଞ୍ଚ ଯୋଗାଇ ଦିଆଯାଇଥିଲା।
ପ୍ରତ୍ୟେକ ପଡ଼ୋଶୀ ଯୁବ ସଂସଦ (ଏନ୍ଓ୍ୱାଇପି) କାର୍ଯ୍ୟକ୍ରମରେ ଚାରୋଟି ସୁସଂଗଠିତ ଅଧିବେଶନ ଆୟୋଜନ କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ୧. ମାଇ ଭାରତ ପୋର୍ଟାଲର ପରିଚୟ। ୨. ନିଶା ସେବନର ସମସ୍ୟା: ଭାରତୀୟ ଯୁବପିଢ଼ିଙ୍କ ସମ୍ମୁଖରେ ଆହ୍ୱାନ। ୩. ସଚେତନତାରୁ କାର୍ଯ୍ୟାନୁଷ୍ଠାନ: ନିଶାମୁକ୍ତ ଯୁବପିଢ଼ି ପାଇଁ ପଦକ୍ଷେପ। ୪.ପରିବର୍ତ୍ତନର କାହାଣୀ: ନିଶାମୁକ୍ତ ଭାରତ ଦିଗରେ ଯାତ୍ରା ଶୀର୍ଷକରେ ଏକ ଅଡିଓ-ଭିଜୁଆଲ୍ (ଶ୍ରବ୍ୟ-ଦୃଶ୍ୟ) ଉପସ୍ଥାପନା ଅନ୍ତର୍ଭୁକ୍ତ ହୋଇଥିଲା।
ଏହି ଅଧିବେଶନଗୁଡ଼ିକରେ ନିଶା ସେବନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସଚେତନତାକୁ ବାସ୍ତବ କାର୍ଯ୍ୟରେ ପରିଣତ କରିବା ପାଇଁ ଯୁବପିଢ଼ିଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର କେତେକ ପ୍ରମୁଖ ଉଦାହରଣ ମଧ୍ୟରେ ତାମିଲନାଡୁର ଧର୍ମପୁରୀ ଜିଲ୍ଲା ଅନ୍ତର୍ଗତ ନଲ୍ଲମ୍ପଲ୍ଲୀ ବ୍ଲକ୍ ଏବଂ ତେଲେଙ୍ଗାନାର ନାଗରକର୍ଣ୍ଣୁଲ ଜିଲ୍ଲା ଅନ୍ତର୍ଗତ ରଙ୍ଗାରେଡ୍ଡୀ ଓ କୋଲ୍ଲାପୁର ବ୍ଲକ୍ରେ ଆୟୋଜିତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ।
ଏହି ସପ୍ତାହର କାର୍ଯ୍ୟକ୍ରମଗୁଡ଼ିକୁ ବ୍ରହ୍ମକୁମାରୀ, ହାର୍ଟଫୁଲନେସ୍, ପ୍ରୋଜେକ୍ଟ ପଏଣ୍ଟ, ଆସୋଚାମ୍ ଏବଂ ଫିକି (ଏଫଆଇସିସିଆଇ) ସମେତ ବିଭିନ୍ନ ସହଯୋଗୀ ସଂଗଠନ ସମର୍ଥନ ଯୋଗାଇଥିଲେ।
ହାର୍ଟଫୁଲନେସ୍ ପକ୍ଷରୁ ବେଙ୍ଗାଲୁରୁ, ମହୀଶୂର ଓ ଚେନ୍ନାଇରେ ୱାକାଥନ୍ (ପଦଯାତ୍ରା) ସମେତ ବିଭିନ୍ନ ଜନସଚେତନତାମୂଳକ ପଦକ୍ଷେପକୁ ସହଯୋଗ କରାଯାଇଥିଲା। ସେହିପରି, ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ୍ରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରୋଜେକ୍ଟ ପଏଣ୍ଟ ଅଂଶଗ୍ରହଣ କରିଥିଲା।