ସୁରଭି-୨୦୨୬ ର ଦ୍ୱିତୀୟ ଦିନ
‘ମିଟ୍ ଦି ପର୍ସନାଲିଟି’...
ମଡେଲ୍ ସଂସଦ ର ଆୟୋଜନ
ଶିକ୍ଷଣୀୟ ପରିଭ୍ରମଣରେ ଛାତ୍ରଛାତ୍ରୀ
ଦ୍ବିତୀୟ ଦିନରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ।
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅବସରରେ ଆଜି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ‘ମିଟ୍ ଦି ପର୍ସନାଲିଟି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗଦେଇ ନିଜ ଜୀବନର ଅନୁଭୂତି, ସଂଘର୍ଷ ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ ।
କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ସିନିୟର କନ୍ସଲଟାଣ୍ଟ-ନ୍ୟୁରୋଲୋଜିଷ୍ଟ ପ୍ରଫେସର ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ଡିଏନ୍ ଗ୍ରୁପ୍ର ଉପାଧ୍ୟକ୍ଷା ଶ୍ରୀମତୀ ରତ୍ନମାଳା ସ୍ୱାଇଁ ଏବଂ ଓଡ଼ିଶା ପୋଲିସର ଏଡିଜିପି ଡଃ ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ଅଭିଜ୍ଞତା ଓ ଜୀବନଯାତ୍ରା ବିଷୟରେ ଆଲୋକପାତ କରିଥିଲେ ।
ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ ଏହି ଅଧିବେଶନରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସହ ସିଧାସଳଖ ଭାବବିନିମୟ କରିଥିଲେ ।
ଏଥିସହ ଆଜି ମଡେଲ୍ ସଂସଦ ଆୟୋଜିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତାର ବିକାଶ ଉଦ୍ଦେଶ୍ୟରେ ମଡେଲ୍ ସଂସଦ ଆୟୋଜନ କରାଯାଇଥିଲା।
ଏହା ମାଧ୍ୟମରେ ସେମାନେ ଗଣତାନ୍ତ୍ରିକ ବ୍ୟବସ୍ଥା, ଯୁକ୍ତିସଙ୍ଗତ ଆଲୋଚନା, ମତପ୍ରକାଶର ସ୍ୱାଧୀନତା ଏବଂ ସାମୂହିକ ନିଷ୍ପତ୍ତି ଗ୍ରହଣର ଗୁରୁତ୍ୱ ସମ୍ପର୍କରେ ଅନୁଭୂତି ହାସଲ କରିଥିଲେ ।
ନାଚଗୀତ, ଖେଳକୁଦ ସମେତ ଅନେକ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଛାତ୍ରଛାତ୍ରୀ । ସେହିପରି ଆଜି ଦ୍ବିତୀୟ ଦିନରେ ପ୍ରାୟ ୨୫୦୦ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ପରିଦର୍ଶନରେ ନିଆଯାଇଛି ।
ନନ୍ଦନକାନନ, କଳାଭୂମୀ, ଖଣ୍ଡଗିରି, ଧଉଳି, ଜନଜାତୀୟ ସଂଗ୍ରହାଳୟ, ରାଜ୍ୟ ସଂଗ୍ରହାଳୟ, ମିଶନ ଶକ୍ତି ବଜାର, ଆନନ୍ଦବନ, ଓଡ଼ିଶା ବିଧାନସଭା, ବିମାନବନ୍ଦର, କଳିଙ୍ଗ ଷ୍ଟାଡ଼ିୟମ ଭଳି ଅନେକ ସ୍ଥାନକୁ ପିଲାମାନଙ୍କୁ ପରିଭ୍ରମଣରେ ନିଆଯାଇଥିଲା ।
ପ୍ରଥମ ଦିନରେ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ପାଇଁ ସଙ୍ଗୀତ ପ୍ରତିଯୋଗିତା, ଚତୁର୍ଥରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ବକ୍ତୃତା ପ୍ରତିଯୋଗିତା, ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୃଜନଶୀଳ ଲେଖନ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ପୁରସ୍କୃତ କରାଯାଇଛି ।