ପ୍ରୟାସ’ ବୈଠକରେ ସାମାଜିକ କ୍ଷେତ୍ରର ପ୍ରଗତି ସମୀକ୍ଷା...
ଶିକ୍ଷା, ପୋଷଣ, ମାତୃ-ଶିଶୁ ସ୍ୱାସ୍ଥ୍ୟ ଓ ଯକ୍ଷ୍ମା ନିରାକରଣକୁ ଅଗ୍ରାଧିକାର
ଜିଲ୍ଲାସ୍ତରରେ ତଥ୍ୟଭିତ୍ତିକ ଅନୁଧ୍ୟାନ ଓ ସମୟାନୁସାରେ ପଦକ୍ଷେପ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ସାମାଜିକ କ୍ଷେତ୍ରର ସେବାକୁ ଆହୁରି ଫଳପ୍ରଦ ଓ ଲୋକାଭିମୁଖୀ କରିବାକୁ ପ୍ରାଥମିକତା
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ବିଭିନ୍ନ ସାମାଜିକ କ୍ଷେତ୍ରର ସମୀକ୍ଷା କରି ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି ।
ଲୋକସେବା ଭବନଠାରେ ଅନୁଷ୍ଠିତ ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କିତ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଛି । ତଥ୍ୟଭିତ୍ତିକ ସମୀକ୍ଷା ସହ ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ଓ ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି ।
ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ସମସ୍ତ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳମାନେ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।
ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରେ ଶିଶୁ ଓ ମାତୃ ପୋଷଣକୁ ଅଧିକ ପ୍ରଭାବୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଖାଦ୍ୟର ପରିମାଣ ସହିତ ପୃଷ୍ଟିସାର, ସ୍ନେହସାର ଓ ବିଭିନ୍ନ ପୋଷକତତ୍ତ୍ୱର ସମନ୍ୱୟ ମାଧ୍ୟମରେ ପରିବାରସ୍ତରରେ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ପୋଷଣ-ବଗିଚା, ଘରୋଇ ପନିପରିବା ଓ ଫଳ ଚାଷ, ଚାରା ବଣ୍ଟନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତାଜା ପନିପରିବା ଯୋଗାଣକୁ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସରେ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପୋଷଣ ସ୍ଥିତିର ଉନ୍ନତି ପାଇଁ ନିୟମିତ ଅନୁଧ୍ୟାନ କରାଯାଉଛି । ଶିଶୁମାନଙ୍କର ଶାରୀରିକ ଅଭିବୃଦ୍ଧି ମାପିବା, ନିୟମିତ ଗୃହ ପରିଦର୍ଶନ, ପୋଷଣ ଖାଦ୍ୟ ବଣ୍ଟନ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦକ୍ଷତା ବୃଦ୍ଧି ଆଦି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ବିଭାଗୀୟ ସଚିବ ତଥ୍ୟ ରଖିଥିଲେ ।
ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଶିଶୁମାନଙ୍କର "ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ"(ଏଫଏଲଏନ) ଦକ୍ଷତା ବୃଦ୍ଧି ଉପରେ ସମୀକ୍ଷା କରାଯାଇଥିଲା ।
ଶିକ୍ଷଣ ପ୍ରକ୍ରିୟାର ନିୟମିତ ଅନୁଧ୍ୟାନ, ଶିକ୍ଷଣ ସାମଗ୍ରୀର ଉପଯୋଗ ଏବଂ ବିଦ୍ୟାଳୟସ୍ତରରେ ଶିଶୁମାନଙ୍କ ଶିକ୍ଷଣ ଫଳାଫଳର ନିୟମିତ ମୂଲ୍ୟାୟନକୁ ଅଧିକ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଉଥିବା ସଂପର୍କରେ ବିଭାଗୀୟ ସଚିବ ଆଲୋଚନା କରିଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷାରେ ମାତୃ ଓ ନବଜାତ ଶିଶୁ ମୃତ୍ୟୁ ହ୍ରାସ, ନବଜାତ ଶିଶୁଙ୍କ ଉନ୍ନତ ଚିକିତ୍ସା, ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଏ ସଂପର୍କରେ ଆଲୋଚନା କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ୨୦୨୬ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ନବଜାତ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଥିବା ଦର୍ଶାଇଥିଲେ । ବିଭାଗୀୟ ସଚିବ ନବଜାତ ଶିଶୁଙ୍କ ଜୀବନରକ୍ଷା କ୍ଷେତ୍ରରେ କେତେକ ସଫଳ ଉଦାହରଣ ଦେଇଥିଲେ ।
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦୦ ଗ୍ରାମ ଓଜନରେ ଜନ୍ମ ନେଇଥିବା ଏକ ଶିଶୁ ୭୮ ଦିନର ଚିକିତ୍ସା ପରେ ୧.୬ କିଲୋଗ୍ରାମ ଓଜନରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୦୦ ଗ୍ରାମ ଓଜନରେ ଜନ୍ମ ନେଇଥିବା ଅପରିପକ୍ୱ ଶିଶୁ ମଧ୍ୟ ସଫଳ ଚିକିତ୍ସା ପରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି ।
ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଅନୁଧ୍ୟାନ , ହାତ ସଫା ରଖିବା, ଚିକିତ୍ସାଳୟ ପରିସ୍କାର ପରିଚ୍ଛନ୍ନତା, ଜୈବ ଚିକିତ୍ସା ବର୍ଜ୍ୟ ପରିଚାଳନା ଏବଂ ସୁରକ୍ଷା ସାମଗ୍ରୀ ବ୍ୟବହାର ସମ୍ପର୍କିତ ଚିହ୍ନଟ ହୋଇଥିବା ଅଭାବଗୁଡ଼ିକର ସମୟ ସୀମା ମଧ୍ୟରେ ସମାଧାନ ସହ ନିୟମିତ ଯାଞ୍ଚ, କର୍ମଚାରୀଙ୍କ ପୁନଃପ୍ରଶିକ୍ଷଣ ଓ ନିରନ୍ତର ଅନୁଧ୍ୟାନକୁ ସୁଦୃଢ଼ କରାଯାଉଛି । ଫଳରେ ସଂସ୍ଥାଗତ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପରିଲକ୍ଷିତ ହେଉଥିବା ସଂପର୍କରେ ସଚିବ ଦର୍ଶାଇଥିଲେ ।
ଆଗାମୀ ‘ପ୍ରୟାସ’ ସମୀକ୍ଷା ପାଇଁ ସମସ୍ତ ୩୦ଟି ଜିଲ୍ଲାରେ ନିୟମିତ ଓ ତଥ୍ୟଭିତ୍ତିକ ବିଭାଗୀୟ ବୈଠକର ଆୟୋଜନ ସ୍ତିରୀକୃତ ହୋଇଛି ।
ନିର୍ଦ୍ଧାରିତ ଦିନରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣର ଚିହ୍ନଟ ଓ ଅନୁସରଣ ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ବ୍ୟବସ୍ଥାର ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି ।
ଏହାସହ "ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ"ର ୧୦୦ ଦିନିଆ ଅଭିଯାନ ଅଧୀନରେ ଆସନ୍ତା ୧ ସେପ୍ଟେମ୍ବରରୁ ବ୍ୟାପକ 'ଏକ୍ସ-ରେ ଯାଞ୍ଚ' ଅଭିଯାନ ଆରମ୍ଭ ହେବ ।
ଉପଲବ୍ଧ ଏକ୍ସ-ରେ ମେସିନର ସର୍ବାଧିକ ବ୍ୟବହାର, ଦୂରଦୂରାନ୍ତ ଅଞ୍ଚଳରେ ଯାଞ୍ଚ ଶିବିର ଆୟୋଜନ ଏବଂ ଦୈନିକ ଭିତ୍ତିରେ ଯାଞ୍ଚର ଅନୁଧ୍ୟାନ ଓ ରିପୋର୍ଟିଂ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ଘରୋଇ ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଏକ୍ସ-ରେ ଯାଞ୍ଚ ପରେ ପ୍ରତିଷେଧକ ଚିକିତ୍ସା ଅଧୀନରେ ଆଣିବା, ଯକ୍ଷ୍ମା ରୋଗୀଙ୍କ ସହ ଜଡ଼ିତ ଅନ୍ୟ ଅସୁରକ୍ଷିତ ବର୍ଗକୁ ଏହି ଚିକିତ୍ସା ସେବାରେ ସାମିଲ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପୋଷଣ ସହାୟତା ତ୍ୱରିତ ଭାବେ ଯୋଗାଇଦେବାକୁ ଜିଲ୍ଲାସ୍ତରରେ ପଦକ୍ଷେପ ନେବାକୁ କୁହାଯାଇଛି ।
ଦୃଷ୍ଟାନ୍ତମୂଳକ ଭାବେ ଅନୁଗୋଳ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଦିଗରେ ଉନ୍ନତ ଡାକ୍ତରୀ ସେବା, ପ୍ରସୂତିଙ୍କ ପାଇଁ ଆବଶ୍ୟକ ପୂର୍ବପ୍ରସ୍ତୁତି, ଡାକ୍ତରଖାନାଗୁଡ଼ିକରେ ବ୍ୟବହାରିକ ପରିବର୍ତ୍ତନ ଏବଂ ନିୟମିତ ତଦାରଖ ଭଳି ପଦକ୍ଷେପ ସହାୟକ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ସେହିପରି, ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ରକ୍ତହୀନତା ଦୂରୀକରଣ ପାଇଁ ବ୍ୟାପକ ସ୍କ୍ରିନିଂ କରାଯିବା ସହ ନିୟମିତ ଆଇରନ୍-ଫୋଲିକ୍ ଟାବଲେଟ୍ ଦିଆଯିବା ଫଳରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା ପ୍ରକାଶ କରିଥିଲେ ।
‘ପ୍ରୟାସ’ ଅଧୀନରେ ତଥ୍ୟଭିତ୍ତିକ ନିରୀକ୍ଷଣ, ବିଭାଗୀୟ ସମନ୍ୱୟ, ତୃଣମୂଳସ୍ତରରେ ଦାୟିତ୍ୱବୋଧ ଏବଂ ଚିହ୍ନଟ ହେଉଥିବା ଅଭାବ ବା ସମସ୍ୟାର ସମୟସୀମା ମଧ୍ୟରେ ସମାଧାନ ମାଧ୍ୟମରେ ସାମାଜିକ କ୍ଷେତ୍ରର ସେବାକୁ ଆହୁରି ଫଳପ୍ରଦ ଓ ଲୋକାଭିମୁଖୀ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।