ହଜିବାକୁ ବସିଲାଣି ଗାଁର "ଗହ୍ମା ଡିଆଁ" ଖେଳ...
ଓଡିଶା ର ବଡଦାଣ୍ଡ ସାହିର ଗହ୍ମାଡ଼ିଆଁ ଏକ ପୁରାତନ ଏବଂ ଲୋକପ୍ରିୟ ଖେଳ ।
ଏହା ଉଚ୍ଚ ଡିଆଁ ପ୍ରତିଯୋଗିତା ଧରଣର ।
ରାକ୍ଷୀପୂର୍ଣ୍ଣିମା ତଥା ଗହ୍ମାପୂର୍ଣ୍ଣିମା ଅବସରରେ ଗାଁ ଓ ସହରରେ ଏହି ଖେଳ ଖେଳାଯାଏ ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଜଣାଶୁଣା ।
ଏହା ସାଧାରଣରତଃ କିଶୋର ଓ ଯୁବକ ମାନଙ୍କଦ୍ୱାରା ଖେଳାଯାଇଥାଏ ଓ ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ ।
ଗହ୍ମାପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା ।
ଏହା ଏକ କୃଷି ଭିତ୍ତିକ ପର୍ବ ।
ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।
ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।
ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀ ପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମାଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି ।
ମାଟିଦ୍ୱାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ, ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ୱତନ୍ତ୍ର ମଞ୍ଚ ।
୩ ରୁ ୫ ଫୁଟ ଏହି ମଞ୍ଚ ଉପର ଦେଇ ଡ଼ିଆଁ ମାରନ୍ତି ପ୍ରତିଯୋଗୀ ।
ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି ।
ମଞ୍ଚ ଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ ।
ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦେଉଥଲେ ସେହି ସାମଗ୍ରୀଟି ତାର ହୋଇଯାଏ।
ଚକୋଲେଟ, ବିସ୍କୁଟ ପ୍ୟାକେଟ ଠାରୁ ଆରମ୍ଭ କରି ଆଜିର ବିଭିନ୍ନ ଜଙ୍କ୍ ଫୁଡ ପ୍ୟାକେଟ ପର୍ଯ୍ୟନ୍ତ ପାଆନ୍ତି ପ୍ରତିଯୋଗୀ ।
ପିଲା ଠାରୁ ଆରମ୍ଭ କରି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏଥରେ ଅଂଶଗ୍ରହଣ କରନ୍ତି ।
ରାକ୍ଷୀପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ ।
ମଞ୍ଚର କିଛି ଦୂରରେ ଦୁଇ ପାର୍ଶ୍ୱରେ ବଡ଼ବଡ଼ ଖୁଣ୍ଟଦ୍ୱାରା ଦୌଡ଼ି ମଧରେ ଟଙ୍ଗାଯାଏ ବିଭିନ୍ନ ସାମଗ୍ରୀ ।
ପ୍ରତିଯୋଗୀଙ୍କ ଲକ୍ଷ୍ୟ ରହୁଥୁଲା ସେମାନେ ଯେପରି ମୂଲ୍ୟବାନ ସାମଗ୍ରୀକୁ ଛୁଇଁ ଦେବେ ଆଉ ନେଇଯିବେ ତାକୁ ଘରକୁ ।
ଏହି ଆଶାରେ ମଞ୍ଚ ଉପରକୁ ଦୌଡ଼ି ଯାଇ ମାରୁଥଲେ ଡ଼ିଆଁ ସେହି ଟଙ୍ଗାଯାଇଥିବା ସାମଗ୍ରୀ ନିକଟକୁ ।
ଟଙ୍ଗା ଯାଇଥବା ସମସ୍ତ ସାମଗ୍ରୀ ସମାପ୍ତ ପରେ ହିଁ ଏହି ଖେଳ ସମାପ୍ତର ଘୋଷଣା କରାଯାଏ ।
ଏହି ଖେଳ ସାଧାରଣତଃ ସାହି ସାହି ମଧରେ ପ୍ରତିଯୋଗିତା ମୂଳକ ହୋଇଥାଏ
ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ।
ହେଲେ ଆଜିର ନୂତନ ଯୁଗର ଯୁବପୀଢ଼ିଙ୍କ ନିକଟରେ ଆଉ ସମୟ ନାହିଁ ।
ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଗହ୍ମା ଡ଼ିଆକୁ ଡେଇଁବାକୁ କାହାର ନିକଟରେ ବେଳ ନାହିଁ ।
ଫଳରେ ଗହ୍ମାଡିଆଁ ଏକ ପ୍ରକାର ଉଭାନ ହେବାକୁ ବସିଲାଣି । ଏହି ପାରମ୍ପରିକ କ୍ରୀଡାର ଅବକ୍ଷୟ ଦିନକୁଦିନ ଘଟିବାରେ ଲାଗିଛି ।
ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥବା ବେଳେ କାଁ ଭାଁ ସ୍ଥାନରେ କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କଠାରେ ସୀମିତ ରହୁଛି ।
ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ ଇଣ୍ଡିଆ ରେଡିଓ, ଖବରକାଗଜ, ସାହିତ୍ୟିକ, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଆଜି ଗମ୍ହାପୂର୍ଣିମା/ଗହ୍ମାପୂର୍ଣିମା ଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି ।
ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ।
ନୂତନତ୍ୱ ଓ ଫେସନ ନାମରେ ଅନ୍ୟ ସଂସ୍କୃତିର ପ୍ରାଦୁର୍ଭାବ ଫଳରେ ଉତ୍କଳୀୟ ସଂସ୍କୃତି ଅବକ୍ଷୟ ହେଉଥିବାର ଦୃଷ୍ଟି ଗୋଚର ହେଲାଣି ଯାହା ଜଗନ୍ନାଥ ସଂସ୍କୃତି ପାଇଁ ବିପଦ ଜନକ ମନେହୁଏ ।