ବିଭାଗୀୟ ମନ୍ତ୍ରୀ ପୀୟୂଷ ଗୋୟେଲଙ୍କ ସଂକେତ, ଖୁବଶୀଘ୍ର ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି
ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଖୁବଶୀଘ୍ର ବଡ଼ ଘୋଷଣା ହୋଇପାରେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆଲୋଚନା ଭଲ ପରିବେଶରେ ଚାଲିଛି ଏବଂ କେବଳ କିଛି ପ୍ରସଙ୍ଗରେ ସମାଧାନ ବାକି ରହିଛି।
ସେ ଖୁବଶୀଘ୍ର ଏହି ଚୁକ୍ତି ସମ୍ପର୍କରେ ଘୋଷଣା ହେବାର ସଙ୍କେତ ଦେଇଛନ୍ତି।
ପୀୟୂଷ ଗୋୟଲଙ୍କ କହିବା ଅନୁସାରେ, ଆମେରିକା ବାଣିଜ୍ୟ ଓ ପ୍ରତିରକ୍ଷା ଦୁଇ କ୍ଷେତ୍ରରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଦୁଇ ଦେଶ ମଧ୍ୟରେ ଅନେକ ସ୍ତରରେ ସମ୍ପର୍କ ମଜବୁତ ହୋଇଛି। ବର୍ତ୍ତମାନ ବାଣିଜ୍ୟ ଆଲୋଚନା ମଧ୍ୟ ସହଜ ଓ ସାହଚର୍ଯ୍ୟପୂର୍ଣ୍ଣ ପରିବେଶରେ ଆଗକୁ ବଢ଼ୁଛି। ଏବେ କୌଣସି ବଡ଼ ବାଧା ନଥିବା ସେ କହିଛନ୍ତି।
ଏହି ଚୁକ୍ତି ଫଳରେ ଆମେରିକୀୟ ବଜାରରେ ଭାରତୀୟ ଉତ୍ପାଦକୁ ଅଧିକ ଭଲ ସୁଯୋଗ ମିଳିପାରେ। ଗୋୟଲଙ୍କ ଆଶା, ଭାରତର ମୁଖ୍ୟ ରପ୍ତାନି ସାମଗ୍ରୀ ପାଇଁ ଏମିତି ବଜାର ପ୍ରବେଶ ବ୍ୟବସ୍ଥା ହେବ ଯାହା ସମାନ ପ୍ରକାର ଉତ୍ପାଦ ତିଆରି କରୁଥିବା ପ୍ରତିସ୍ପର୍ଧୀ ଦେଶମାନଙ୍କ ତୁଳନାରେ ଅଧିକ ଲାଭଦାୟକ ହେବ।
ଆମେରିକାର ପୂର୍ବତନ ଅସିଷ୍ଟାଣ୍ଟ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଫର୍ ସାଉଥ୍ ଏଣ୍ଡ ସେଣ୍ଟ୍ରାଲ୍ ଏସିଆ ନିଶା ବିସ୍ୱାଲ ମଧ୍ୟ ଏହି ଚୁକ୍ତିକୁ ନେଇ ଆଶାବାଦୀ। ତାଙ୍କ ମତରେ, ଦୁଇ ଦେଶ ଡିସେମ୍ବର ୧୪ ଓ ୧୫ରେ ଫ୍ଲୋରିଡାରେ ହେବାକୁ ଥିବା G20 ଶିଖର ସମ୍ମେଳନ ପୂର୍ବରୁ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ କରିବାକୁ ଚେଷ୍ଟା କରିପାରନ୍ତି। ତେବେ ବସ୍ତ୍ର କ୍ଷେତ୍ର ସହ କିଛି ପ୍ରସଙ୍ଗରେ ଅଧିକ ଆଲୋଚନା ଆବଶ୍ୟକ ରହିଛି।
ଭାରତ ଓ ଆମେରିକା ଫେବ୍ରୁଆରି ୨୦୨୬ରେ ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ପାଇଁ ଏକ ଫ୍ରେମ୍ୱର୍କ ନିର୍ଦ୍ଧାରଣ କରିଥିଲେ। କିନ୍ତୁ ପରେ ଆମେରିକାର ଶୁଳ୍କ ନୀତିରେ ପରିବର୍ତ୍ତନ ହେବାରୁ ଆଲୋଚନାକୁ ପୁଣି ଆଗକୁ ବଢ଼ାଇବାକୁ ପଡ଼ିଥିଲା। ନିକଟରେ ଆମେରିକାର ଦୁଇଜଣିଆ ଅଧିକାରୀ ଦଳ ଭାରତ ଆସି ବାଣିଜ୍ୟ ଓ କଷ୍ଟମ୍ସ ସମ୍ପର୍କିତ ବିଷୟରେ ଭାରତୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଏପଟେ ଆମେରିକୀୟ ଶୁଳ୍କ ନୀତି ଏହି ଚୁକ୍ତିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଜୁଲାଇ ୨୪ରୁ ଆମେରିକା କିଛି ଦେଶର ଉତ୍ପାଦ ଉପରେ ଅତିରିକ୍ତ ୧୦ ପ୍ରତିଶତ ଆମଦାନି ଶୁଳ୍କ ଲାଗୁ କରିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଉତ୍ପାଦକୁ ଆମେରିକୀୟ ବଜାରରେ କେତେ ରିଆୟତି ଓ ଭଲ ପ୍ରବେଶ ସୁଯୋଗ ମିଳିବ, ସେଥିପାଇଁ ନଜର ରହିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରୁ କହିଥିଲେ ଯେ ଭାରତ ଓ ଆମେରିକା ବାଣିଜ୍ୟ ଚୁକ୍ତିର ଅତ୍ୟନ୍ତ ନିକଟରେ ଅଛନ୍ତି। ତେଣୁ ଏବେ ସମସ୍ତଙ୍କ ନଜର ଡିସେମ୍ବରର G20 ସମ୍ମେଳନ ପୂର୍ବରୁ ଏହି ବହୁ ପ୍ରତୀକ୍ଷିତ ଚୁକ୍ତି ଚୂଡ଼ାନ୍ତ ହେଉଛି କି ନାହିଁ, ତାହା ଉପରେ ରହିଛି।