ରାଜ୍ୟର ବନ୍ୟା ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା...
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ
ଲଘୁଚାପ ପ୍ରଭାବରେ ୨ ଦିନ ଅଧିକ ବର୍ଷା ସମ୍ଭାବନା
ବାଲେଶ୍ୱର , ଭଦ୍ରକ ଓ ଯାଜପୁର ଜିଲ୍ଲାପାଇଁ ଆଗାମୀ ୩ ଦିନ ଗୁରୁତ୍ୱପୂର୍ଣ୍ଣ-ମୁଖ୍ୟ ଶାସନ ସଚିବ
ସଜାଗ ଓ ସତର୍କତାର ସହ ବନ୍ୟା ପରିଚାଳନା କରିବାକୁ ନିର୍ଦ୍ଦେଶ
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ରାଜ୍ୟରେ ବନ୍ୟା ସ୍ଥିତି, ପ୍ରସ୍ତୁତି ଓ ପରିଚାଳନା ନେଇ ଏକ ସମୀକ୍ଷା ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ।
ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଶକ୍ତି ଓ ଇଲେକ୍ଟ୍ରୋନିକସ ଏବଂ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍ ଏବଂ ବିଶେଷ ଭାବେ ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଏବଂ ଭାରତୀୟ ପାଣିପାଗ ବିଭାଗ, (ଆଇଏମ୍ଡି), ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାନ୍ତି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।
ବୈଠକର ପ୍ରାରମ୍ଭରେ ଆଇଏମ୍ଡିର ନିର୍ଦ୍ଦେଶିକା ରାଜ୍ୟର ବର୍ତ୍ତମାନ ଓ ଆଗାମୀ ପାଣିପାଗ ଏବଂ ବୃଷ୍ଟିପାତର ଆକଳନ ସ୍ଥିତି ଉପସ୍ଥାପନ କରିଥିଲେ ।
ସେ କହିଥିଲେ ଯେ, ଉତ୍ତର –ପଶ୍ଟିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ ବଂଗ ଉତ୍ତର ଓଡ଼ିଶା ଉପକୂଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଉତ୍ତର ଓଡ଼ିଶାରେ ବୃଷ୍ଟିପାତର ମାତ୍ରା ବୃଦ୍ଧି ପାଉଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ବର୍ଷାର ପରିମାଣ ବୃଦ୍ଧି ପାଇବ ।
ବାଲେଶ୍ୱର, ଭଦକ୍ର, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରେଡ୍ ଓ୍ୱାର୍ଣ୍ଣିଂ ଜୋନ୍, ରାଜ୍ୟର ଅଧିକାଂଶ ଜିଲ୍ଲା ଅରେଂଜ ଓ୍ୱାର୍ଣ୍ଣି ଓ କେତେକ ଜିଲ୍ଲା ୟେଲୋ ଓ୍ୱାର୍ଣ୍ଣିଂ ଜୋନରେ ରହିଥିବା ସେ ସୂଚନା ଦେଇଥିଲେ ।
ତେବେ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ୧୬ ରୁ ଆଗାମୀ ୧୮ ତାରିଖ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିବ । ୧୮ ତାରିଖରୁ ବର୍ଷା ପରିମାଣ କମିବାର ସମ୍ଭାବନା ରହୁଥିବା ଆଇଏମଡି ନିର୍ଦ୍ଦେଶିକା ସୂଚନା ଦେଇଥିଲେ ।
ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ଚଳିତ ପର୍ଯ୍ୟାୟ ବନ୍ୟାରେ ଉପରୋକ୍ତ ଜିଲ୍ଲାର ୪୯ ଟି ବ୍ଲକ, ୩୩୧ ଗ୍ରାମ ପଞ୍ଚାୟତ, ୯୪୭ ଟି ଗ୍ରାମ, ୫ଟି ସହରାଞ୍ଚଳ ପ୍ରଭାବିତ ହୋଇଛି । ୫ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ, ୨ ଲକ୍ଷ ୩୭ ହଜାର ଲୋକଙ୍କୁ ନିରାପଦ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।
ସମସ୍ତ ଜିଲ୍ଲାପାଳମାନେ ବରାବର ସ୍ଥିତିକୁ ନିରୀକ୍ଷଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଦ୍ୟବଧି ୨୯୩ ଟି ଶିବିରରେ ରନ୍ଧାଖାଦ୍ୟ, ଚୁଡ଼ା, ଗୁଡ଼ ଆଦି ଯୋଗାଇ ଦିଆଯାଉଛି । ୩୬ ଟି ଓଡ୍ରାଫ୍ ଟିମ୍, ୭ ଟି ଏନ୍.ଡି.ଆର. ଏଫ୍ ଏବଂ ୪୩ ଅଗ୍ନିଶମ ସେବା ବାହିନୀ ବିଭିନ୍ନ ଜିଲ୍ଲାକୁ ମୁତୟନ ହୋଇଛନ୍ତି ।
ବିଭିନ୍ନ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉପରୋକ୍ତ ଜିଲ୍ଲାରେ ଥିବା ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କୁ ଡାକ୍ତରୀ ଦଳ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ (ଆରଆରଟି) ପଠାଯାଇଛି ।
ଯଥେଷ୍ଟ ସଂଖ୍ୟକ ଆବଶ୍ୟକୀୟ ଓୗଷଧ, ହାଲୋଜେନ ବଟିକା, ବ୍ଲିଚିଙ୍ଗ ପାଉଡର, ସାପ କାମୁଡ଼ା ପ୍ରତିଷେଧକ ଇଂଜେକ୍ସନ ମହଜୁଦ ଅଛି ।
ଆବଶ୍ୟକତା ଅନୁସାରେ ସେ ସବୁ ଯୋଗାଇ ଦିଆଯାଉଛି । ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଏବଂ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରି ପରାମର୍ଶ ଦେଇଥିଲେ ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଗାଁରେ ପାଣି ପଶିଥିବାରୁ ପ୍ରାୟ ୭୫ ହଜାର ବିଜୁଳି ଉପଭୋକ୍ତାଙ୍କୁ ବିଜୁଳି ସରବରାହ ବନ୍ଦ ରହିଛି ।
ଯେଉଁ ସବୁ ଅଞ୍ଚଳରେ ପାଣି କମିଛି, ସେ ସବୁ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା, ପରିସ୍ଥିତିକୁ ଦେଖି ବିଦ୍ୟୁତ ସଂଯୋଗ କରାଯିବ । ଏଥିପାଇଁ ଅଧିକ ମାନବ ସମ୍ବଳ ନିୟୋଜିତ କରାଯାଇଥିବା ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।
ସହରାଞ୍ଚଳରେ ବନ୍ୟା ପରିଚାଳନା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ (ଆରଏଟି) କାର୍ଯ୍ୟରତ ଅଛନ୍ତି । ଡ୍ରେନେଜ୍ ଆବଶ୍ୟକତା ଥିବା ସ୍ଥଳେ ଜଳ ନିଷ୍କାସନର ସୁବ୍ୟବସ୍ଥା କରାଯାଇଛି ।
ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି । ଗୃହ ଓ ସହରାଞ୍ଚଳ ବିକାଶ ବିଭାଗର ମାର୍ଗଦର୍ଶିକା ଓ ସହାୟତା ନମ୍ବର ମାଧ୍ୟମରେ ଜରୁରୀ ସେବା ପ୍ରଦାନ କରାଯାଉଥିବା ସଂପର୍କରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ୫ ହଜାର କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇ ଦିଆଯାଇଛି ।
ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ସେସବୁ ବନ୍ୟା ପ୍ରଭାବିତ ଅଂଚଳକୁ ପଠାଯାଉଛି । ଏ ନେଇ ବିଭାଗର ୩୬ ଟି (ଆରଏଟି) କାର୍ଯ୍ୟ କରୁଛି ଏବଂ ୫୦ ଟି ଶିବିର କାର୍ଯ୍ୟକ୍ଷମ ରହିଛି । ପ୍ରାଣୀମାନଙ୍କ ପାଇଁ ଆବଶ୍ୟକୀୟ ଓୗଷଧ ଯୋଗାଇ ଦିଆଯାଉଛି ।
ନଦୀବନ୍ଧ ଗୁଡ଼ିକୁ ଦିନରାତି ନିରିକ୍ଷଣ କରାଯାଉଛଥିବା, ଯେଉଁଠି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି, ସେସବୁ ସ୍ଥାନକୁ ସତର୍କ ଦୃଷ୍ଟି ରଖାଯାଇଥିବା, ବାଲିବସ୍ତା ଦ୍ୱାରା ବନ୍ୟା ନିୟନ୍ତ୍ରଣ କରାଯିବା ନେଇ ପଦକ୍ଷେପ ନିଆଯାଉଛି ।
ପୂର୍ବରୁ ଘାଇ ସୃଷ୍ଟି ହୋଇଥିବା ସ୍ଥାନରୁ ପାଣି ଛାଡ଼ିବା ପରେ ଶୀଘ୍ର ଘାଇ ମରାମତି କରାଯିବ ବୋଲି ଏନେଇ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି ।
ଜଳ ସଂପଦ ବିଭାଗ ତରଫରୁ ବାଲେଶ୍ୱରକୁ ଜଣେ ଅତିରିକ୍ତ ସର୍ବୋଚ୍ଚ ଯନ୍ତ୍ରୀ ନିୟୋଜନ କରାଯାଇଛି । ସେହିପରି ଅନ୍ୟ ପ୍ରଭାବିତ ଜିଲ୍ଲାକୁ ବିଭାଗର ଜଣେ ଜଣେ ବରିଷ୍ଠ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଠାଯାଇଥିବା ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଥିଲେ ।
ଚଳିତ ବନ୍ୟାରେ ସର୍ବାଧିକ ପ୍ରଭାବିତ ଜିଲ୍ଲାକୁ ବରିଷ୍ଠ ତଥା ଅଭିଜ୍ଞ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ପୂର୍ବରୁ ବନ୍ୟା ପରିଚାଳନା କରିଥିବା ବାଲେଶ୍ୱର ଜିଲ୍ଲାକୁ ଆଇଏଏସ୍ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଯାଜପୁର ଜିଲ୍ଲାକୁ ପି. ଅନ୍ୱେଷା ରେଡ୍ଡୀଙ୍କ ସହିତ ଭଦ୍ରକ ଜିଲ୍ଲାକୁ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କୁ ଜିଲ୍ଲାପାଳମାନଙ୍କୁ ବନ୍ୟା ପରିଚାଳନାରେ ସହାୟତା ଓ ପରାମର୍ଶ ନେଇ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟା ପ୍ରଭାବିତ ଅଂଚଳକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସଂପୃକ୍ତ ଜିଲ୍ଲାରେ ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଅଧିକାରୀମାନଙ୍କ ଛୁଟିକୁ ବାତିଲ କରାଯାଇଛି ।
ପ୍ରକାଶ ଥାଉକି, ଜୁନ୍ ମାସ ୧ ତାରିଖରୁ ଅଗଷ୍ଟ ୧୬ ସୁଦ୍ଧା ରାଜ୍ୟରେ ହାରାହାରି ୭୫୯ ମି.ମି. ବର୍ଷା ରହିଥାଏ । କିନ୍ତୁ ଏହି ସମୟ ମଧ୍ୟରେ ଏ ବର୍ଷ ୯୫୩ ମିଲିମିଟର (ମି.ମି.) ବର୍ଷା ରେକର୍ଡ କରାଯାଇଛି , ଯାହାକି ଏବର୍ଷ ୨୭ ପ୍ରତିଶତ ଅଧିକ ।
ନବରଙ୍ଗପୁର, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଅପେକ୍ଷାକୃତ କମ୍ ବର୍ଷା ହୋଇଛି । ଅନ୍ୟ ସମସ୍ତ ଜିଲ୍ଲାରେ ସ୍ୱାଭାବିକ ନଚେତ୍ ସ୍ୱାଭାବିକ ଠାରୁ କିଛି ଅଧିକ ବା କମ୍ ବର୍ଷା ରେକର୍ଡ କରାଯାଇଛି ।
ଲଘୁଚାପ ବର୍ଷାକୁ ଦୃଷ୍ଟିରେ ଏହି ତିନି ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସବୁ ଜିଲ୍ଲାପାଳ ଓ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁଠି ନଦୀରେ ଜଳସ୍ରୋତ ରହିଛି, ଲୋକମାନେ ନଦୀ ବନ୍ଧରେ ପାଣି ଦେଖିବା ପାଇଁ ଭିଡ଼ ଜମାଉଛନ୍ତି, ସେମାନେ ସେସବୁ ସ୍ଥାନରେ ଫଟୋ ବା ସେଲ୍ଫି ଆଦି ନେବାର ନଜରକୁ ଆସୁଛି । ସେଥିରୁ ନିବୃତ୍ତ ରହିବା ସହିତ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଏନେଇ ଡାକବାଜି ଯନ୍ତ୍ର ଯୋଗେ ବ୍ୟାପକ ପ୍ରଚାର କରି ଜନ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।