ଆମେରିକାର ଟାରିଫ ଝଡ଼ ମଧ୍ୟରେ କେନ୍ଦ୍ର ସରକାର ୪ଟିକିଆ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରିଛନ୍ତି।

Sep 5, 2025 - 15:51
 4
ଆମେରିକାର ଟାରିଫ ଝଡ଼ ମଧ୍ୟରେ କେନ୍ଦ୍ର ସରକାର ୪ଟିକିଆ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରିଛନ୍ତି।

ଆମେରିକାର ଟାରିଫ ଝଡ଼ ମଧ୍ୟରେ କେନ୍ଦ୍ର ସରକାର ୪ଟିକିଆ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ପୂରା ଦେଶରେ ୨ଟିକିଆ ଜିଏସଟି ସ୍ଲାବ ରହିବ। ୫୬ତମ ଜିଏସଟି ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଜିଏସଟି ସ୍ଲାବ ଚଳିତମାସ ୨୨ ତାରିଖ ଅର୍ଥାତ ନବରାତ୍ରର ପ୍ରଥମଦିନରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ।

୨୦୧୭ରେ ସମଗ୍ର ଦେଶରେ ଜିଏସ୍‌ଟି ଲାଗୁ ହୋଇଥିବା ବେଳେ କେନ୍ଦ୍ର ସରକାର ପ୍ରଥମଥର ପାଇଁ ଏତେ ବଡ଼ ପରିବର୍ତ୍ତନ କରିଛନ୍ତି। ଦେଶରେ ଜିଏସ୍‌ଟି ୨.୦ ଲାଗୁ ହେବା ପରେ ଅଧିକାଂଶ ଦୈନନ୍ଦିନ ଜିନିଷର ଦାମ ହ୍ରାସ ପାଇବ। କିନ୍ତୁ ବିଳାସପୂର୍ଣ୍ଣ ଦ୍ରବ୍ୟ ଓ କ୍ଷତିକାରକ ଜିନିଷ ଯଥା ତମାଖୁ, ପାନ ମସଲା, ସିଗାରେଟ ଆଦି ଉପରେ ୪୦%ର ନୂଆ ଟିକସ ଲାଗୁ କରାଯିବ।

ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କ କମିଟି ଏବଂ ମନ୍ତ୍ରୀମାନଙ୍କ କମିଟିର ପ୍ରସ୍ତାବ ଅନୁଯାୟୀ, ଚାରିଟି ମୌଳିକ ଜିଏସଟି ସ୍ଲାବ (୫%, ୧୨%, ୧୮% ଓ ୨୮%)କୁ ହଟାଇ ଦୁଇଟି ଟିକସ ସ୍ଲାବ (୫% ଓ ୧୮%) ପ୍ରଣୟନ କରାଯିବ, ଯାହା ଚଳିତମାସ ୨୨ତାରିଖରୁ କାର୍ଯ୍ୟକାରୀ ହେବ । ଏହାସହିତ ୫-୭ଟି ବିଳାସପୂର୍ଣ୍ଣ ଓ କ୍ଷତିକାରକ ଦ୍ରବ୍ୟ ଯଥା ତମାଖୁ, ପାନ ମସଲା, ସିଗାରେଟ ଏବଂ କାର୍ବୋନେଟେଡ୍ ପାନୀୟ ଉପରେ ୪୦% ନୂଆ କର ଲାଗୁ ହେବ। ତେବେ ବିଶେଷ ଟିକସ ହାର ୦%, ୦.୨୫%, ୧% ଓ ୩% ବଜାୟ ରଖାଯାଇଛି।

ନୂଆ ଜିଏସ୍‌ଟି ଟିକସ ସ୍ଲାବ ସମ୍ପର୍କରେ ଘୋଷଣା କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଛୋଟ କାର(୧୨୦୦ ସିସିରୁ କମ) ଗୁଡ଼ିକ ଉପରେ ଲାଗୁ ହେଉଥିବା ୨୮% ଜିଏସ୍‌ଟି ୨୨ ତାରିଖରୁ ୧୮%କୁ ଖସି ଆସିବ। ଏହାର ଅର୍ଥ ଛୋଟ କାର ଗୁଡ଼ିକ ଶସ୍ତା ହେବ। ଏଥିସହ ବଡ଼ବଡ଼ କାର ଓ ୩୫୦ ସିସିରୁ ଅଧିକ ବାଇକ ଉପରେ ୪୦% ଟିକସ ଲାଗିବ।

ଏହି ଘୋଷଣା ପରେ ବଡ଼ କାର ଗୁଡ଼ିକର ଦାମ ବଢ଼ିଯିବ ବୋଲି କୁହାଯାଉଥିଲା। କିନ୍ତୁ ବାସ୍ତବରେ ଜିଏସ୍‌ଟି ୨.୦ରେ କେବଳ ଛୋଟ ନୁହେଁ, ବଡ଼ କାର(୧୨୦୦ ସିସିରୁ ଅଧିକ) ଗୁଡ଼ିକ ମଧ୍ୟ ଶସ୍ତା ହେବ। ୨୦୧୭ରେ ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ପ୍ରଥମଥର ପାଇଁ ପ୍ରିମିୟର କାର ଉପରେ ଲାଗୁଥିବା ଟିକସ ବୋଝ ହ୍ରାସ ହୋଇଛି। କାରଣ କେନ୍ଦ୍ର ସରକାର ପ୍ରିମିୟମ କାର ଉପରେ ଲାଗୁଥିବା ଅତିରିକ୍ତ ସେସ୍‌କୁ ହଟାଇ ଦେଇଛନ୍ତି।

ପୂର୍ବରୁ ବଡ଼ବଡ଼ ପେଟ୍ରୋଲ ଓ ଡିଜେଲ କାର କିଣୁ ଥିବା ଲୋକଙ୍କୁ ଟିକସ ବାବଦରେ ପ୍ରାୟ ୫୦% ଅର୍ଥ ଦେବାକୁ ପଡ଼ୁଥିଲା। ୨୮% ଜିଏସ୍‌ଟି ସହ ସେସ ବାବଦରେ କ୍ରେତା ଆଉ ୨୨% ଟଙ୍କା ଦେଉଥିଲେ। କିନ୍ତୁ ନୂଆ ଜିଏସ୍‌ଟି ବ୍ୟବସ୍ଥାରେ ମୋଟ ଉପରେ ୪୦% ଟିକସ ଦେବାକୁ ପଡ଼ିବ।

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଯେଉଁ ଜିନିଷ ଗୁଡ଼ିକ ୪୦% ଟିକସ ସ୍ଲାବ ମଧ୍ୟରେ ରହିବ, ସେଗୁଡ଼ିକ ଉପରେ ଅତିରିକ୍ତ ସେସ କିମ୍ବା ସରଚାର୍ଜ ଲାଗୁ କରାଯିବ ନାହିଁ। ଏପରି ନିଷ୍ପତ୍ତି କାର ନିର୍ମାଣକାରୀ କମ୍ପାନୀ ଓ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ଛୋଟ କାର ସମେତ ୩୫୦୦ ସିସିରୁ କମ ବାଇକ, ଅଲ୍ଟୋ, ଟାଟା ଟିଆଗୋ, ଟାଟା ପଞ୍ଚ ଭଳି ଏଣ୍ଟ୍ରୀ ଲେଭଲ କାର, ୩ ଚକିଆ ଯାନ, ବସ ଓ ଟ୍ରକକୁ ୧୮% ଜିଏସ୍‌ଟି ସ୍ଲାବକୁ ଅଣା ଯାଇଛି। ପୂର୍ବରୁ ଏହି ଗାଡ଼ି ଗୁଡ଼ିକ ଉପରେ ୨୮% ଜିଏସ୍‌ଟି ଲାଗୁ ହେଉଥିଲା।