ଇତିହାସ ରଚିଲା ଭାରତୀୟ ରେଳବାଇ, ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଗଲା ହୃତ୍‌ପିଣ୍ଡ

Aug 1, 2026 - 14:14
 9
ଇତିହାସ ରଚିଲା ଭାରତୀୟ ରେଳବାଇ, ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଗଲା ହୃତ୍‌ପିଣ୍ଡ

ଦେଶରେ ପ୍ରଥମଥର ପାଇଁ ହୃତ୍‌ପିଣ୍ଡ ପ୍ରତିରୋପଣ ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ବ୍ୟବହାର କରାଯାଇଛି । ଏହି ଟ୍ରେନରେ ଜଣେ ୩୬ ବର୍ଷୀୟ ବ୍ରେନ୍‌ ଡେଡ୍‌ ରୋଗୀଙ୍କ ହୃତ୍‌ପିଣ୍ଡକୁ ଗୁଜରାଟର ସୁରଟ ସହରରୁ ଅହମ୍ମଦାବାଦକୁ ନିଆଯାଇଛି । ସେଠାରେ ସଫଳତାର ସହ ତାହା ପ୍ରତିରୋପଣ ମଧ୍ୟ କରାଯାଇଛି । ଏଥିପାଇଁ ଅହମ୍ମଦାବାଦ ଷ୍ଟେସନ ଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ଗ୍ରୀନ୍‌ କରିଡର କରାଯାଇଥିଲା ।

ଏହା ପରେ ହୃତ୍‌ପିଣ୍ଡକୁ ହସ୍ପିଟାଲରେ ପହଞ୍ଚାଯାଇଥିଲା ।

ଭାରତୀୟ ରେଳବାଇର କହିବାନୁଯାୟୀ ଶୁକ୍ରବାର ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧୀନଗର କ୍ୟାପିଟାଲ (ଟ୍ରେନ ନମ୍ବର ୨୦୯୦୧) ବନ୍ଦେ ଭାରତ ଏକ୍ସପ୍ରେସରେ ଏଭଳି ଏକ ଜରୁରି ପଦକ୍ଷେପ ନିଆଯାଇଥିଲା । ସୁରଟରୁ ଅହମ୍ମଦାବାଦ ୨୫୦ କି.ମି. ଦୂର ଅତିକ୍ରମ କରିବା ଲାଗି ବନ୍ଦେ ଭାରତ ଏକ୍ସପ୍ରେସକୁ ୨୧୭ ମିନିଟ୍ ସମୟ ଲାଗିଥିଲା । ରେଲୱେ, ଗୁଜରାଟ ପୁଲିସ, ଆରପିଏଫ୍ ଓ ମେଡିକାଲ ଟିମ୍‌ର ମିଳିତ ସହଯୋଗରେ ଏହା ସମ୍ଭବ ହୋଇପାରିଥିଲା । ସମସ୍ତଙ୍କ ସହଯୋଗରେ ଗ୍ରୀନ୍‌ କରିଡର କରାଯାଇଥିଲା ଏବଂ ହୃତ୍‌ପିଣ୍ଡକୁ ସୁରକ୍ଷିତ ଭାବେ ବିନା ବାଧାରେ ହସ୍ପିଟାଲରେ ପହଞ୍ଚାଯାଇଥିଲା । ଅହମ୍ମଦାବାଦ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ର ୟୁଏନ୍ ମେହଟ୍ଟା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ପର୍ଯ୍ୟନ୍ତ ହୃତ୍ପିଣ୍ଡକୁ ତୁରନ୍ତ ପହଞ୍ଚାଯିବା ଲାଗି ଆରପିଏଫ୍ ଓ ଗୁଜରାଟ ପୁଲିସ ଏକ ଗ୍ରୀନ୍ କରିଡର ନିର୍ମାଣ କରିଥିଲେ ।

ଅହମ୍ମଦାବାଦର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ବେଦ ପ୍ରକାଶ ଏହାକୁ ଭାରତୀୟ ରେଳବାଇ ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଭାରତୀୟ ରେଳବାଇ ପ୍ରଥମଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସରେ ହୃତ୍ପିଣ୍ଡ ପହଞ୍ଚାଇ ନୂଆ ଇତିହାସ ସୃଷ୍ଟି କରିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି ଅଙ୍ଗ ପ୍ରତିରୋପଣ ଲାଗି ପ୍ରତି ସେକେଣ୍ଡ ବେଶ୍ ମୂଲ୍ୟବାନ ହୋଇଥାଏ । ବନ୍ଦେ ଭାରତ ଏକ୍ସପ୍ରେସର ଦ୍ରୁତଗତି ଯୋଗୁ ଏହି ଉଦ୍ୟମ ସଫଳ ହୋଇଛି। ସମ୍ପୃକ୍ତ ରୋଗୀଙ୍କ ଠାରେ ସଫଳତାର ସହ ଉକ୍ତ ହୃତ୍ପିଣ୍ଡ ପ୍ରତିରୋପଣ କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି|

ସୁରଟ ନିଉ ସିଭିଲ ହସ୍ପିଟାଲର ସୂଚନା ଅନୁସାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ମିଥୁନ ଲକ୍ଷ୍ମଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସୁରଟର କିମ୍ ସହରରେ କାମ କରୁଥିଲେ । ଗତ ଜୁଲାଇ ୨୮ ତାରିଖରେ ଘରେ ବସିଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ସିଭିଲ ହସ୍ପିଟାଲକୁ ଅଣାଯାଇଥିଲା । ଜରୁରି ୱାର୍ଡରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏକ ବିଶେଷଜ୍ଞ ଡାକ୍ତର ଦଳ ତାଙ୍କର ଚିକିତ୍ସା କରିଥିଲେ । କିନ୍ତୁ ଜୁଲାଇ ୩୦ରେ ତାଙ୍କର ବ୍ରେନ୍‌ ଡେଡ୍ ହୋଇଯାଇଥିଲା । ସ୍ୱାଇଁଙ୍କ ପତ୍ନୀ ଓ ଭାଇଙ୍କ ସହ ଆଲୋଚନା କରିବା ପରେ ସେମାନେ ଅଙ୍ଗଦାନ ଲାଗି ରାଜି ହୋଇଥିଲେ । ତେଣୁ ସେମାନଙ୍କ ସହମତି ଆଧାରରେ ସ୍ୱାଇଁଙ୍କ କିଡ୍‌ନୀ, ଲିଭର ଓ ହୃତ୍‌ପିଣ୍ଡକୁ କାଢ଼ି ଦିଆଯାଇଥିଲା । ହୃତ୍‌ପିଣ୍ଡକୁ ବନ୍ଦେ ଭାରତ ଏକ୍ସପ୍ରେସରେ ଅହମ୍ମଦାବାଦ ପଠାଯାଇଥିଲା ବେଳେ ଲିଭର ଓ କିଡ୍‌ନୀକୁ ଅହମ୍ମଦାବାଦର କିଡ୍‌ନୀ ଡିଜିଜ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଥିଲା । ସେଠାରେ ତାହା ୩ ଜଣ ରୋଗୀଙ୍କ ଠାରେ ପ୍ରତିରୋପଣ ହୋଇଥିଲା ।