କନ୍ଧମାଳ ମେଡିକାଲ କଲେଜର ନାମ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ରଖିବା ନିଷ୍ପତ୍ତି ପ୍ରତ୍ୟାହାର କରି — ଚକରା ବିଶୋଇଙ୍କ ନାମରେ ନାମିତ କରଯିବାକୁ CPI (ML)ପକ୍ଷରୁ ଦାବୀ...

Jul 30, 2026 - 08:00
 7
କନ୍ଧମାଳ ମେଡିକାଲ କଲେଜର ନାମ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ରଖିବା ନିଷ୍ପତ୍ତି ପ୍ରତ୍ୟାହାର କରି — ଚକରା ବିଶୋଇଙ୍କ ନାମରେ ନାମିତ କରଯିବାକୁ CPI (ML)ପକ୍ଷରୁ ଦାବୀ...

କନ୍ଧମାଳ ମେଡିକାଲ କଲେଜର ନାମ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ରଖିବା ନିଷ୍ପତ୍ତି ପ୍ରତ୍ୟାହାର କରି — ଚକରା ବିଶୋଇଙ୍କ ନାମରେ ନାମିତ କରଯିବାକୁ CPI (ML)ପକ୍ଷରୁ ଦାବୀ...

ସିପିଆଇ (ଏମ୍ ଏଲ୍) ଓଡ଼ିଶା ରାଜ୍ୟ କମିଟି ରାଜ୍ୟ ସରକାରଙ୍କ ଦ୍ୱାରା କନ୍ଧମାଳ ମେଡିକାଲ କଲେଜର ନାମ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବାର ଘୋଷଣାକୁ ଦୃଢ଼ ଭାବେ ବିରୋଧ କରୁଛି।

ଲକ୍ଷ୍ମଣାନନ୍ଦ ସରସ୍ୱତୀ ସଂଘ ପରିବାର ଓ ବିଜେପିର ବିଚାରଧାରା ସହ ଜଡ଼ିତ ଥିଲେ। କନ୍ଧମାଳରେ ତାଙ୍କ କାର୍ଯ୍ୟକଳାପ ସାମାଜିକ ସମ୍ପ୍ରୀତିକୁ ସୁଦୃଢ଼ କରିବା ପରିବର୍ତ୍ତେ ଧର୍ମ ଆଧାରରେ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଥିବା ଅଭିଯୋଗ ଦୀର୍ଘ ଦିନ ଧରି ଉଠିଆସିଛି। 

ତାଙ୍କ ହତ୍ୟା ପରେ କନ୍ଧମାଳରେ ଘଟିଥିବା ଭୟାବହ ସାମ୍ପ୍ରଦାୟିକ ହିଂସାରେ ଅନେକ ନିରୀହ ଲୋକ ପ୍ରାଣ ହରାଇଥିଲେ, ହଜାର ହଜାର ଲୋକ ଘରଛାଡ଼ା ହୋଇଥିଲେ ଏବଂ ଜିଲ୍ଲାର ସାମ୍ପ୍ରଦାୟିକ ସଦଭାବ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ଏପରି ପୃଷ୍ଠଭୂମିରେ ଏକ ସରକାରୀ ମେଡିକାଲ କଲେଜ, ଯାହା ସମସ୍ତ ଧର୍ମ, ଜାତି ଓ ସମ୍ପ୍ରଦାୟର ଲୋକଙ୍କ ସେବା ପାଇଁ ପ୍ରତିଷ୍ଠିତ, ତାହାର ନାମ ଏଭଳି ଜଣେ ବିବାଦୀୟ ବ୍ୟକ୍ତିଙ୍କ ନାମରେ ରଖିବା କେବଳ ଅନୁଚିତ ନୁହେଁ, ବରଂ କନ୍ଧମାଳର ଲୋକଙ୍କ ଦୁଃଖଦ ସ୍ମୃତିକୁ ପୁଣି ଥରେ ଉସକାଇବା ସଦୃଶ।

ସିପିଆଇ (ଏମ୍ ଏଲ୍) ଓଡ଼ିଶା ରାଜ୍ୟ କମିଟି ଦାବି କରୁଛି ଯେ କନ୍ଧମାଳ ମେଡିକାଲ କଲେଜର ନାମ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ବୀର ଚକରା ବିଶୋଇଙ୍କ ନାମରେ ନାମିତ କରାଯାଉ। 

ପୂର୍ବରୁ ରାଜ୍ୟରେ ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାୟକ, କ୍ରାନ୍ତିବୀର ରିନ୍ଦୋ ମାଝୀ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀ, ଆଦିବାସୀ ଜନନାୟକ ଓ ଭାଷାବିତ୍‌ଙ୍କ ନାମରେ ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା କରାଯାଇଛି। 

ସେହି ଧାରାରେ ଚକରା ବିଶୋଇଙ୍କ ନାମରେ କନ୍ଧମାଳ ମେଡିକାଲ କଲେଜର ନାମକରଣ କରାଗଲେ, ତାହା ଏହି ମହାନ ଆଦିବାସୀ ବୀରଙ୍କ ପ୍ରତି ଯଥାର୍ଥ ସମ୍ମାନ ହେବ। ଚକରା ବିଶୋଇ ବ୍ରିଟିଶ ଉପନିବେଶବାଦ ବିରୋଧରେ ସଂଗ୍ରାମର ଜଣେ ଉଜ୍ଜ୍ୱଳ ପ୍ରତୀକ, ଯିଏ କନ୍ଧମାଳର ଆଦିବାସୀ ଓ ଅଣ-ଆଦିବାସୀ ସମସ୍ତ ସମ୍ପ୍ରଦାୟକୁ ଏକାଠି କରି ଲଢ଼େଇ କରିଥିଲେ। ତାଙ୍କ ନାମରେ ନାମକରଣ କନ୍ଧମାଳର ଆଦିବାସୀ ପରମ୍ପରା, ସ୍ଥାନୀୟ ଇତିହାସ, ଅସ୍ମିତା, ସାମାଜିକ ଏକତା ଓ ଧର୍ମନିରପେକ୍ଷ ମୂଲ୍ୟବୋଧକୁ ଯଥୋଚିତ ସମ୍ମାନ ପ୍ରଦାନ କରିବ।

ସେହିପରି ଚକାପଦାସ୍ଥିତ ଲକ୍ଷ୍ମଣାନନ୍ଦଙ୍କ ଅନୁଷ୍ଠାନକୁ ସରକାରଙ୍କ ପକ୍ଷରୁ ₹୧୩ କୋଟି ଅନୁଦାନ ଘୋଷଣା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। 

ଯେତେବେଳେ ରାଜ୍ୟର ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର-ସାମଗ୍ରୀର ଅଭାବ ରହିଛି ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ଦୀର୍ଘ ଦିନ ଧରି ପାଣ୍ଠି ଅଭାବରେ ସଂଘର୍ଷ କରୁଛନ୍ତି, ସେତେବେଳେ ଏଭଳି ବିବାଦୀୟ ବେସରକାରୀ ଅନୁଷ୍ଠାନକୁ ବିପୁଳ ସରକାରୀ ଅର୍ଥ ପ୍ରଦାନ କରିବା ଜନସ୍ୱାର୍ଥ ଓ ସାମ୍ବିଧାନର ଘୋଷିତ ଧର୍ମନିରପେକ୍ଷତାର ପରିପନ୍ଥୀ।

ସିପିଆଇ (ଏମ୍ ଏଲ୍)ର ମୁଖ୍ୟ ଦାବିସମୂହ:

୧. କନ୍ଧମାଳ ମେଡିକାଲ କଲେଜର ନାମକରଣ ସଂକ୍ରାନ୍ତୀୟ ନିଷ୍ପତ୍ତି ତୁରନ୍ତ ରଦ୍ଦ କରାଯାଉ।

୨. ଏହି ସରକାରୀ ମେଡିକାଲ କଲେଜକୁ ସ୍ୱାଧୀନତା ସଂଗ୍ରାମୀ ଚକରା ବିଶୋଇଙ୍କ ନାମରେ ନାମିତ କରାଯାଉ।

୩. ଚକାପଦାସ୍ଥିତ ବେସରକାରୀ ଅନୁଷ୍ଠାନକୁ ₹୧୩ କୋଟିର ସରକାରୀ ଅନୁଦାନ ଘୋଷଣାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।

୪. ସରକାରୀ ଅର୍ଥକୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଡାକ୍ତର ପଦବୀ ପୂରଣ ଓ ଗବେଷଣାର ବିକାଶ ପାଇଁ ପ୍ରାଥମିକତାର ସହ ବ୍ୟୟ କରାଯାଉ।