ଉନ୍ନତି ଭବନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ...

Aug 15, 2026 - 18:53
 9
ଉନ୍ନତି ଭବନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ...

ଭୁବନେଶ୍ୱରସ୍ଥିତ ଉନ୍ନତି ଭବନ ପରିସରରେ ଆଜି ଦେଶଭକ୍ତିର ଭାବନା ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । 

ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀମତୀ ପାଢ଼ୀ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । 

ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ସେ ସେମାନଙ୍କ ଅମୂଲ୍ୟ ଅବଦାନ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱାଧୀନତା ଦିବସ ଆମକୁ ରାଜ୍ୟ ତଥା ଦେଶର ପ୍ରଗତି ପାଇଁ ନିଜକୁ ପୁନଃ ସମର୍ପିତ କରିବାର ସୁଯୋଗ ପ୍ରଦାନ କରେ ବୋଲି ସେ କହିଥିଲେ ।

ଗୃହ ଓ ନଗର ଉନ୍ନୟନ ବିଭାଗ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । 

ସ୍ୱଚ୍ଛତା କର୍ମଚାରୀ, ସ୍ୱଚ୍ଛ ସାଥୀ, ଇଞ୍ଜିନିୟର ଏବଂ ବିଭାଗ ଓ ଏହା ଅଧୀନସ୍ଥ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ରାଷ୍ଟ୍ର ନିର୍ମାଣର ସାମୂହିକ ପ୍ରୟାସର ଅବିଚ୍ଛିନ୍ନ ଅଂଶ ବୋଲି ସେ କହିଥିଲେ ।

ନିଜ ନିଜ ଦାୟିତ୍ୱକୁ ନିଷ୍ଠା ଓ ସମର୍ପଣର ସହ ପାଳନ କରି ଦେଶର ପ୍ରଗତିରେ ଅର୍ଥପୂର୍ଣ୍ଣ ଯୋଗଦାନ ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । 

ଏକ ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ପାଇଁ ସାମୂହିକ ପ୍ରୟାସ, ସମାବେଶୀ ଅଂଶଗ୍ରହଣ ଓ ନାଗରିକଙ୍କ ସକ୍ରିୟ ଭାଗିଦାରିର ଗୁରୁତ୍ୱ ସେ ଉଲ୍ଲେଖ କରିଥିଲେ ।

ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣର ପ୍ରସଙ୍ଗ ଉଲ୍ଲେଖ କରି ଶ୍ରୀମତୀ ପାଢ଼ୀ କହିଥିଲେ ଯେ ଦେଶ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହ ବହୁ ମାଇଲଖୁଣ୍ଟ ଅତିକ୍ରମ କରିଛି । ତଥାପି ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟ କରିବାକୁ ରହିଛି । 

ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ଅଂଶଗ୍ରହଣ ଓ ଯୋଗଦାନ ମାଧ୍ୟମରେ ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ନିଜ ଯାତ୍ରାକୁ ଆହୁରି ଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ସମସ୍ତ ଅଧିକାରୀ, କର୍ମଚାରୀ ଓ ଉପସ୍ଥିତ ଅନ୍ୟମାନଙ୍କୁ ସେ କୃତଜ୍ଞତା ଜଣାଇବା ସହ ସ୍ୱାଧୀନତା ଦିବସର ମହତ୍ତ୍ୱ ଆମ ସମସ୍ତଙ୍କୁ ନିଜ ଦାୟିତ୍ୱ ପ୍ରତି ଅଧିକ ନିଷ୍ଠାବାନ ହେବା ଏବଂ ରାଷ୍ଟ୍ର ନିର୍ମାଣର ବୃହତ୍ତର ଲକ୍ଷ୍ୟରେ ଯୋଗଦାନ କରିବାକୁ ପ୍ରେରଣା ଦେଉ ବୋଲି ସେ କହିଥିଲେ ।

ସ୍ୱାଧୀନତା ଦିବସ ପାଳନ ସମାରୋହରେ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ଓ୍ୱାଟକୋ , ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ଏବଂ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡର ମୁଖ୍ୟମାନେ ଓ କର୍ମଚାରୀମାନେ ଯୋଗଦେଇଥିଲେ