ଓଏଏସ୍ (କନିଷ୍ଠ ବର୍ଗ ) ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି...

Apr 16, 2026 - 08:07
 20
ଓଏଏସ୍ (କନିଷ୍ଠ ବର୍ଗ ) ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି...

ଓଏଏସ୍ (କନିଷ୍ଠ ବର୍ଗ ) ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି...

ସମସ୍ତ ଅଧିକାରୀ ସେବାର ପ୍ରଥମ ଛଅବର୍ଷ ମଧ୍ୟରେ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାଧ୍ୟ

କାଉନସେଲିଂ ଏବଂ ପ୍ରଥମ ପୋଷ୍ଟିଂ ସମୟରେ କେବିକେ ଜିଲ୍ଲା, ଗଜପତି, କନ୍ଧମାଳ ଏବଂ ଅନ୍ୟାନ୍ୟ ଅନୁସୂଚିତ ଅଞ୍ଚଳର ପଦବୀ ପୂରଣକୁ ପ୍ରାଥମିକତା 

ବଦଳି ନିମନ୍ତେ କୌଣସି ପ୍ରତ୍ୟକ୍ଷ ଅବା ପରୋକ୍ଷ ସୁପାରିଶ୍ ପାଇଁ ନିଷେଧାଦେଶ ଜାରି 

ରାଜ୍ୟରେ ପ୍ରଶାସନକୁ ଅଧିକ ପ୍ରଭାବଶାଳୀ, ସ୍ଵଚ୍ଛ ଓ ଦାୟିତ୍ବସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଓଡିଶା ପ୍ରଶାସନିକ ସେବା (ଓଏଏସ୍) ଗ୍ରୁପ–ଏ (କନିଷ୍ଠ ବର୍ଗ) ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ସମ୍ପର୍କିତ ନୀତି ଜାରି କରାଯାଇଛି। 

ରାଜ୍ଯ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି l

ନୂତନ ନିୟମ ଅନୁଯାୟୀ, ପ୍ରତିବର୍ଷ ୧୫ ଏପ୍ରିଲ୍ ଠାରୁ ୧୫ ଜୁନ୍ ମଧ୍ୟରେ ସାଧାରଣ ବଦଳି କାର୍ଯ୍ୟ ସମ୍ପାଦିତ ହେବ। 

ଏହା ବ୍ୟତୀତ ଅନ୍ୟ ସମୟରେ ବଦଳି ପାଇଁ ଉଚ୍ଚତର କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। 

ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ପଦବୀରେ ରହିବା ସମୟ ସର୍ବନିମ୍ନ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ ହେବ। ତେବେ ପ୍ରଶାସନିକ ଆବଶ୍ୟକତା ଏବଂ ଜନସ୍ଵାର୍ଥ ପରିପ୍ରେକ୍ଷୀରେ ଏହାର ପୁନର୍ବିଚାର ହୋଇପାରିବ। 

ବଦଳି ଆଦେଶ ପାଇବାର ୭ ଦିନ ମଧ୍ୟରେ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କୁ ଉପର ଅଧିକାରୀଙ୍କ ଦ୍ୱାରା ରିଲିଫ୍ କରାଯିବ; ନହେଲେ ଅଷ୍ଟମ ଦିନରୁ ଆଦେଶକ୍ରମେ ରିଲିଭ୍ ହୋଇଛନ୍ତି ବୋଲି ଧରାଯିବ। 

ଅଧିକାରୀମାନେ ନୂତନ ପୋଷ୍ଟିଂ ସ୍ଥାନରେ ୭ ଦିନ ମଧ୍ୟରେ ଯୋଗଦେବାକୁ ପଡିବ। 

କୌଣସି ବି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ନିରନ୍ତର ରହିପାରିବେ ନାହିଁ ଏବଂ ସମୁଦାୟ ସେବା ଅବଧିରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହିଁ। 

ଅଧିକାରୀମାନଙ୍କ ପାଇଁ ନିଜ ଘରୋଇ ଜିଲ୍ଲାରେ ନିଯୁକ୍ତି ନିମନ୍ତେ ନିଷେଧାଦେଶ ଜାରି କରାଯାଇଛି; ମାତ୍ର ଅବସର ପୂର୍ବରୁ ବିଶେଷ ପରିସ୍ଥିତିରେ ଏ ସମ୍ପର୍କରେ ଛାଡ ମିଳିପାରେ। 

ସେହିପରି ୪୦% କିମ୍ବା ତାଠାରୁ ଅଧିକ ଦିବ୍ୟାଙ୍ଗ ଥିବା ଅଧିକାରୀଙ୍କ ବଦଳି ତାଙ୍କ ଅନୁରୋଧ ଅନୁଯାୟୀ ବିଚାର କରାଯିବ। 

ଦମ୍ପତିମାନଙ୍କ ମାମଲାରେ ନିକଟସ୍ଥ ସ୍ଥାନରେ ପୋଷ୍ଟିଂ ସମ୍ପର୍କରେ ବିଚାର କରାଯିବ; ମାତ୍ର ଏହାକୁ ଅଧିକାର ଭାବେ କେହି ଦାବି କରିପାରିବେ ନାହିଁ। କେବିକେ ଅଞ୍ଚଳରେ ସେବାକୁ ଗୁରୁତ୍ୱ ଦେଇ ସେଠାରେ ଅନ୍ୟୂନ ୩ ବର୍ଷ କାର୍ଯ୍ୟ ପୂରଣ କଲେ ଅନ୍ୟ ଜିଲ୍ଲାକୁ ବଦଳି ବିଚାର କରାଯିବ। 

ଏହା ସହିତ, ଅଧିକାରୀମାନେ ବଦଳି ପାଇଁ କୌଣସି ପ୍ରକାରର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସୁପାରିଶ୍ କରିବାକୁ ନିଷେଧାଦେଶ ଜାରି କରାଯାଇଛି। ସମସ୍ତ ଅଧିକାରୀ ସେବାର ପ୍ରଥମ ଛଅବର୍ଷ ମଧ୍ୟରେ କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ନିମନ୍ତେ ନିଶ୍ଚିତ କରାଯାଇଛି l 

ତେବେ, ଅଧିକାରୀଙ୍କ ବଦଳି ସଂକ୍ରାନ୍ତୀୟ ସମସ୍ତ ଅନୁରୋଧ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ କମିଟି ଦ୍ୱାରା ପରୀକ୍ଷା କରାଯାଇ ତଦନୁଯାୟୀ ସୁପାରିଶ କରାଯିବ। 

ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି ଅଧିକାରୀ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଅଧିକାର ଦାବି କରିପାରିବେ ନାହିଁ ଏବଂ ସମସ୍ତଙ୍କୁ ସରକାରୀ ନିର୍ଦ୍ଦେଶ ମାନିବା ଆବଶ୍ୟକ। 

ଏହି ନୂତନ ନୀତି ପୂର୍ବରୁ ଜାରି ହୋଇଥିବା ସମସ୍ତ ସମ୍ପର୍କିତ ନିର୍ଦ୍ଦେଶ ଓ ନିୟମାବଳୀକୁ ରଦ୍ଦ କରିବା ସହ କାର୍ଯ୍ୟକାରୀ ହେବ l