ଓଡ଼ିଶା ସରକାରଙ୍କ ଦ୍ୱାରା ଖରିଫ ୨୦୨୬ ଋତୁ ପାଇଁ ପର୍ଯ୍ୟାପ୍ତ ସାର ଯୋଗାଣ ସୁନିଶ୍ଚିତ...
କଳାବଜାରୀ ଓ ଗଚ୍ଛିତ ରଖିବା ବିରୋଧରେ କଠୋର ପଦକ୍ଷେପ ପାଇଁ ନିର୍ଦ୍ଦେଶ
ଓଡ଼ିଶା ସରକାର ଖରିଫ ୨୦୨୬ ଋତୁ ପାଇଁ ରାଜ୍ୟସାରା ସାରର ସୁଗମ ଯୋଗାଣ ଓ ସୁଷମ ବଣ୍ଟନ ସୁନିଶ୍ଚିତ କରିବାକୁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ କିସମର ସାର ଆବଣ୍ଟନ କରାଯିବା ପରେ, ଚାଷୀଙ୍କ ସମ୍ପୂର୍ଣ୍ଣ ଚାହିଦା ପୂରଣ ପାଇଁ ମାର୍କଫେଡ୍, ପ୍ରାଥମିକ କୃଷି ସମବାୟ ସମିତି (PACS), ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଏବଂ ଅଧିକୃତ ଖୁଚୁରା ବିକ୍ରେତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ରଖାଯାଇଛି।
ଏଥିପାଇଁ ଚାଷୀ ଭାଇ ଭଉଣୀମାନେ ଭୟଭୀତ ହୁଅନ୍ତୁ ନାହିଁ।ସାର ଯୋଗାଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ, ସାର ଉତ୍ପାଦନକାରୀ କମ୍ପାନୀ, ମାର୍କଫେଡ୍ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସମନ୍ୱୟ ରକ୍ଷା କରି ଏକ ସମନ୍ୱିତ ମାସିକ ଯୋଗାଣ ଯୋଜନା ପ୍ରସ୍ତୁତ କରାଯାଇଛି।
ଏତଦ୍ ବ୍ୟତୀତ, ତୃଣମୂଳ ସ୍ତରର ସମବାୟ ସମିତିଗୁଡ଼ିକର ଆବଶ୍ୟକତା ଓ ଗଚ୍ଛିତ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗାଣ ଜାରି ରଖିବାକୁ ଉତ୍ପାଦନକାରୀ କମ୍ପାନୀ ଓ ମାର୍କଫେଡ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଚାଷୀଙ୍କ ସ୍ୱାର୍ଥ ରକ୍ଷା ଏବଂ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ସାରର ସଠିକ୍ ବିନିଯୋଗ ଉପରେ କଡ଼ା ନଜର ରଖିବା ସହ କଳାବଜାରୀ, ଚୋରା ଚାଲାଣ, କୃତ୍ରିମ ଅଭାବ ଓ ବେଆଇନ ସୀମା ପାର୍ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚାଷୀମାନଙ୍କୁ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ଗୁଣାତ୍ମକ ମାନର ସାର ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ କୃଷି, ରାଜସ୍ୱ ଏବଂ ପୋଲିସ୍ ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ ଗୁଡ଼ିକ ଖୁଚୁରା ଓ ପାଇକାରୀ ସାର ବିକ୍ରି କେନ୍ଦ୍ରଗୁଡ଼ିକରେ ନିୟମିତ ଚଢ଼ାଉ କରି ବେଆଇନ କାର୍ଯ୍ୟକଳାପ ଉପରେ ଦୃଢ଼ ନଜର ରଖୁଛନ୍ତି।