ଡବଲ-ଇଂଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛି;ମହରଗରୁ ଯାଇ କାନ୍ତାରରେ ପଡ଼ିଛି ଓଡ଼ିଶା...

Sep 22, 2026 - 20:38
 8
ଡବଲ-ଇଂଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛି;ମହରଗରୁ ଯାଇ କାନ୍ତାରରେ ପଡ଼ିଛି ଓଡ଼ିଶା...

ଡବଲ ଇଂଜିନ ସରକାର ଓଡ଼ିଶାକୁ କେବଳ ପ୍ରତାରଣା କରିଚାଲିଛି। 

ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ କେନ୍ଦ୍ର ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରୁଥିବା ବେଳେ ସେହି ବିଜେପିର ରାଜ୍ୟ ସରକାର ସବୁ ଅନ୍ୟାୟକୁ ମୁଣ୍ଡପାତି ସହିଯାଉଛନ୍ତି। 

ଓଡ଼ିଶାରୁ ବିଜେପିର ୨୦ ଜଣ ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ ହେଁ ଆମ ଖଣିଜ ସମ୍ପଦକୁ ଲୁଟ୍ କରିବା ପାଇଁ ତରବରିଆ ଭାବେ ଏମଏମଡିଆର ସଂଶୋଧନ ଅଧିନିୟମ ପାରିତ ହୋଇଥିଲେ ମଧ୍ୟ କେହି ବି ମୁହଁ ଖୋଲି ନ ଥିଲେ। 

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ରର ମୋଦୀ ସରକାର ଓଡ଼ିଶାକୁ ସାବତପୁଅ ଭଳି ବ୍ୟବହାର କରୁଛନ୍ତି। ପୋଲାଭରମ ଓ ବଂଶଧାରା କ୍ଷେତ୍ରରେ ମଧ୍ୟ ସମଦଶା। 

ଆନ୍ଧ୍ରର ସ୍ବାର୍ଥରକ୍ଷା ପାଇଁ ଇଚ୍ଛାପୁରମ ଓ ପଲାସା ସେକ୍ସନକୁ ରାୟଗଡ଼ା ଡିଭିଜନ୍ ଓ ସର୍ବୋପରି ପୂର୍ବତଟ ରେଳପଥରୁ ଛଡ଼ାଇନେଇଥିଲେ ମଧ୍ୟ ଓଡ଼ିଶାର ବିଜେପି ସରକାର ଓ ଦଳ ନିରବ। 

୨୪ ବର୍ଷର ବିଜେଡି କୁଶାସନ ପରେ ଓଡ଼ିଶାବାସୀ ମହରଗରୁ ଯାଇ କାନ୍ତାରରେ ପଡ଼ିଥିବା ସ୍ପଷ୍ଟ ହୋଇଥିବା ସତ୍ତ୍ବେ ଓଡ଼ିଶା ସରକାର ଆଦୌ ନ ହେଜିବା ପରିତାପର ବିଷୟ; ତେଣୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ମଙ୍ଗଳବାର ନିଷ୍ପତ୍ତି ହୋଇଛି। 

ଆସନ୍ତା ୨୯ ତାରିଖ ହେବାକୁ ଥିବା ଇଣ୍ଡିଆ-ମେଣ୍ଟର ବିଧାନସଭା ଘେରାଉକୁ ସଫଳ କରିବାକୁ ଆହ୍ବାନ ଦିଆଯାଇଥିଲା।

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ବରେ ପାତ୍ରପଡ଼ାସ୍ଥିତ ଏ.ଏ. କନଭେନସନଠାରେ ନବଗଠିତ ପିସିସି କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକରେ ଦଳ ପକ୍ଷରୁ ନିଆଯାଇଥିବା ସଂକଳ୍ପେର କୁହାଯାଇଛି:-

ବେପାରୀଙ୍କ ଦଳ ବିଜେପି ୟୁପିଆଇକୁ ଟିକସଯୁକ୍ତ କରିବା ଦେଶବାସୀଙ୍କ ସହ ପ୍ରତାରଣା। 

ଏହା ବ୍ୟବସାୟୀଙ୍କଠାରୁ ଅସୁଲ କରାଯିବ ବୋଲି ବିଜେପି ସ୍ପଷ୍ଟୀକରଣ ଦେଇଥିଲେ ସୁଦ୍ଧା ବ୍ୟବସାୟୀମାନେ ଯେ ଏହାକୁ ନିଜ ପକେଟରୁ ନ ଦେଇ ସେଇ ଉପଭୋକ୍ତାମାନଙ୍କଠାରୁ ଅସୁଲ କରିବେ, ଏହା ବୁଝିବାକୁ ବାକି ନାହିଁ। 

ରାଜ୍ୟର ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇ ପାଠ୍ୟପୁସ୍ତକରେ ୨୬୭୦ଟି ତ୍ରୁଟି ହୋଇଥିବା ସତ୍ତ୍ବେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇନାହାନ୍ତି। ବିଜେପି ଶାସନରେ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ଖରାପ ହୋଇପଡ଼ିଛି।

ଗଣଦୁଷ୍କର୍ମ, ଭିଡ଼ହିଂସାଜନିତ ହତ୍ୟାକାଣ୍ଡ ନିତିଦିନିଆ ହୋଇଛି। ଚାଷୀମାନଙ୍କୁ ଶୋଷଣ ସୀମା ଟପିଛି। ମିଲ୍‌ ମାଲିକମାନଙ୍କ ଶୋଷଣକୁ ସରକାର ସମର୍ଥନ କରିବା ସ୍ପଷ୍ଟ ହୋଇଛି। କଟନି-ଛଟନି, ଧାନର ଅଭାବୀ ବିକ୍ରି, ସାରର ଅଭାବ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜୁଛନ୍ତି। 

ଦାଦନ ସମସ୍ୟା ଉତ୍କଟ ହୋଇଥିବା ବେଳେ ଶ୍ରମିକମାନଙ୍କ ପାଇଁ କର୍ମନିଯୁକ୍ତିର କୌଣସି ସୁଯୋଗ ନାହିଁ। 

ଉଭୟ କେନ୍ଦ୍ର ଓ ରାଜ୍ୟ କେବଳ ପୁଂଜିପତିମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଉଥିବା ବେଳେ ସାଧାରଣ ଲୋକେ ମହଙ୍ଗାମାଡ଼ର ଶିକାର ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଡବଲ-ଇଂଜିନ ସରକାର ପକ୍ଷରୁ ରାଜ୍ୟବ୍ୟାପୀ କରାଯାଉଥିବା ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ସହ ରାଜ୍ୟବାସୀଙ୍କୁ ସହଯୋଗ କରିବାକୁ ପିସିସି ପକ୍ଷରୁ ଆହ୍ବାନ ଦିଆଯାଇଛି।

ପିସିସି ଉପସଭାପତି (ସଂଗଠନ) ସନ୍ତୋଷ ସିଂହ ସାଲୁଜାଙ୍କ ସଂଯୋଜନାରେ ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ପିସିସି ସଭାପତି ଶ୍ରୀ ଦାସ, ଏଆଇସିସିର ଓଡ଼ିଶା ଇନଚାର୍ଜ ଲାଲଜୀ ଦେଶାଇ, ଉଭୟ ସହପ୍ରଭାରୀ ଜେଟ୍ଟି କୁସୁମ କୁମାର ଓ ମୟୂରା ଜୟକୁମାର ସଂଘବଦ୍ଧ ଭାବେ ଲଢ଼ିଲେ ୨୦୨୯ ଆମର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଉପସ୍ଥିତ ସିଏଲପି ନେତା ରାମଚନ୍ଦ୍ର କାଡାମ, ଚାରିଜଣ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଦଳର ସମସ୍ତେ ଆଗକୁ ଏକାଠି ଲଢ଼ି ଦଳକୁ ପୁଣି କ୍ଷମତାସୀନ କରାଇବାର ସଂକଳ୍ପ ନେଇଥିଲେ। 

ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗ ଏମଏମଡିଆର ପ୍ରସଙ୍ଗରେ କେନ୍ଦ୍ରର ପ୍ରବଞ୍ଚନା ଓ ଲୁଟ୍କୁ ତୀବ୍ର ସମାଲୋଚନା କରିଥିଲେ। 

ଉପରୋକ୍ତ ସମସ୍ତ ପ୍ରସଙ୍ଗରେ ଆନ୍ଦୋଳନକୁ ସୁସଙ୍ଗଠିତ କରିବା ପାଇଁ ରଣକୌଶଳ ପ୍ରସ୍ତୁତ କରିବାକୁ ପିସିସି ସଭାପତି ଶ୍ରୀ ଦାସଙ୍କୁ ଦାୟିତ୍ବ ଦିଆଯାଇଥିଲା। 

ଏହାକୁ ସଂକଳ୍ପ ଆାକାରରେ ପିସିସି ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ ଆଗତ କରିଥିବା ବେଳେ ଉପସଭାପତି ସସ୍ମିତା ବେହେରା, ଡ.ବିଶ୍ବରଂଜନ ମହାନ୍ତି, ଅସିତ ପଟ୍ଟନାୟକ, ଡା.ଲଲାଟେନ୍ଦୁ ମହାପାତ୍ର, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ନଟବର ବାରିକ, ଶୁଭେନ୍ଦୁ ମହାନ୍ତି, ସାଧୁ ନେପାକ, ଶ୍ରୀନାଥ ମିଶ୍ର, ଫକୀର ଜଗତ, ଅଶୋକ ମଙ୍ଗରାଜ, ମାନସ ଆଚାର୍ଯ୍ୟ, ମଧୁସ୍ମିତା ସେଠୀ, ପ୍ରଫୁଲ୍ଲ ଦାସ, ଅଶୋକ ମଙ୍ଗରାଜ, ସୁଧାଂଶୁ ଦେଓ, ହଳଧର ସେଠୀ ଅମିତା ବିଶ୍ବାଳ, ସତ୍ୟ ପାୟକ, ଅମ୍ବିକା ଭଟ୍ଟ ପ୍ରମୁଖ ସମର୍ଥନ କରିଥିଲେ। 

ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ନିଜନିଜ କାମ କରିବାକୁ ପଡ଼ିବ, ଏଥିନିମନ୍ତେ ଏକ କାର୍ଯ୍ୟଦକ୍ଷତା ଆକଳନ ପ୍ରକ୍ରିୟା ରହିବ ବୋଲି ସହପ୍ରଭାରୀ ମୟୂରା ଜୟକୁମାର କହିଥିଲେ। 

ଏମଏମଡିଆର ଠକେଇକୁ ଲୋକଙ୍କ ପାଖକୁ ନେବାକୁ ସେ କଂଗ୍ରେସ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଥିଲେ। ଆଗାମୀ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ଆମ ପାଇଁ ସେମିଫାଇନାଲ ସଦୃଶ ବୋଲି ସହପ୍ରଭାରୀ ଜେଟ୍ଟି କୁସୁମ କୁମାର ମନେ ପକାଇ ଦେବାସହ ସମସ୍ତେ ପରିଶ୍ରମ କରିବାକୁ ସେ ଆହ୍ବାନ ଦେଇଥିଲେ। 

ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ ଦେଶରେ ରାଜନୈତିକ ବାତାବରଣ ବଦଳୁଥିବା ସୂଚନା ଦେଇଥିଲେ। ଭାରତ ଯୋଡ଼ୋ ଯାତ୍ରା ପରଠାରୁ ଲୋକେ ଆମକୁ ଗ୍ରହଣ କରିବା ଆରମ୍ଭ ହୋଇଛି। 

ତେବେ ଘରେ ବସିଲେ ନିର୍ବାଚନ ଜିତିହେବ ନାହିଁ। ଦଳର ନୂଆ କର୍ମକର୍ତ୍ତାଙ୍କ ପ୍ରଦର୍ଶନର ୧୦୦ ଦିନିଆ ମୂଲ୍ୟାୟନ ହେବ ବୋଲି ସେ ସ୍ପଷ୍ଟ କରିଥିଲେ। 

ପିସିସି ସଭାପତି ଶ୍ରୀ ଦାସ କହିଥିଲେ, କଂଗ୍ରେସକୁ ତିଆରି କରିବାକୁ ହେଲେ କେବଳ ପଦପଦବି ଦରକାର ବୋଲି ଭାବିଲେ ଚଳିବନାହିଁ। ନିଜନିଜ ପରିଶ୍ରମ ଯୋଗୁଁ ଯଦି ଦଳ ବଳିଷ୍ଠ ହୋଇଯିବ, ତା’ଠାରୁ ଆଉ ବଡ଼ ଉପଲବ୍‌ଧି କ’ଣ ଅଛି ବୋଲି ସେ କହିଥିଲେ। 

ପ୍ରତି ଦେଢ଼ମାସରେ ଥରେ ପିଏସି ଓ ପ୍ରତି ୬ ମାସରେ ଥରେ କାର୍ଯ୍ୟକାରୀ ବୈଠକ କରି ସମୀକ୍ଷା କରିବାକୁ ସେ ଆହ୍ବାନ କରିଥିଲେ। 

୨୯ ତାରିଖର ବିଧାନସଭା ଘେରାଉ ପରେ ୭ ଦିନ ପାଇଁ ଅର୍ଥନୈତିକ ଅବରୋଧର ତାରିଖ ଘୋଷଣା କରାଯିବ ବୋଲି ସେ କହିଥିଲେ।

ମଧ୍ୟାହ୍ନ ଭୋଜନ ପରେ ଦ୍ବିତୀୟ ଖୋଲା ଅଧିବେଶନରେ ଦଳର କର୍ମକର୍ତ୍ତାମାନେ ଦଳକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରସ୍ତବା ରଖିଥିଲେ। 

ପିସିସି କମିଟି ନୂଆକରି ଗଠିତ ହୋଇଥିବାରୁ କର୍ମକର୍ତ୍ତାମାନେ ତୃଣମୂଳ କ୍ଷେତ୍ରରେ କିଏ କେତେଦିନ କଟାଇବେ ସେ ନେଇ ନିଜନିଜ କଥା ରଖିଥିଲେ। 

ବୈଠକ ଆରମ୍ଭରେ ପିସିସି ସଭାପତିଙ୍କ ନିବେଦନ କ୍ରମେ ବହୁ ଦିବଂଗତ ନେତାଙ୍କ ପାଇଁ ଏକ ଶୋପ୍ରସ୍ତାବ ଗୃହୀତ ହେବା ସହ ସେମାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। 

ଦିବଂଗତ ନେତାମାନେ ହେଲେ, କାହ୍ନୁଚରଣ ଲେଙ୍କା, ମୃତ୍ୟୁଂଜୟ ନାୟକ, ସୁଶୀଳା ତିରିଆ, ଡମ୍ବରୁଧର ଉଲାକା, ଡମ୍ବରୁଧର ମାଝୀ, ଅଶ୍ବିନୀ ଗୁରୁ, ପୂର୍ଣ୍ଣଚନ୍ଦ୍ର ମାଝୀ, ଦେବେନ୍ଦ୍ରନାଥ ଶର୍ମ୍ମା, ସତ୍ୟଭୂଷଣ ସାହୁ, ଅକ୍ଷୟ ଆଚାର୍ଯ୍ୟ, ସନ୍ତୋଷ ପ୍ରଧାନ, ପ୍ରଫୁଲ୍ଲ ଭଂଜ, ସାବିତ୍ରୀ ଚୌଧୁରୀ, ପ୍ରଭା ପଟେଲ, ସୁଧାଂଶୁବାଳା ରାଉତ, କାନନବାଳା ଖୁଣ୍ଟିଆ, ପ.ପ୍ରଭାକର ଓ ସନ୍ଧ୍ୟା ମହାପାତ୍ର ପ୍ରମୁଖ। 

ଏହାଛଡ଼ା, ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଉତ୍ତମ ମହାନ୍ତି, କଂଠଶିଳ୍ପୀ ପ୍ରଣବ ପଟ୍ଟନାୟକ, କ୍ରୀଡ଼ାବିତ ଅଶୋକ ମହାନ୍ତିଙ୍କ ପାଇଁ ମଧ୍ୟ ଶୋକପ୍ରସ୍ତାବ ଆଗତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଡ.ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, ସୁରେଶ ରାଉତରାୟ, ନଗେନ୍ଦ୍ର ପ୍ରଧାନ, ମୀନାକ୍ଷି ବାହିନୀପତି, ବନ୍ଦିତା ପରିଡ଼ା, ଯଶୋବନ୍ତ ସିଂହ ଲାଗୁରୀ, ମାନସ ମଲ୍ଲିକ, ଝୁନା ପଟ୍ଟନାୟକ, ସୁରେଶ ମହାପାତ୍ର, ଦ୍ରୌପଦୀ ମାଝୀ, ଅନନ୍ତ ସେଠୀ, ଜଗନ୍ନାଥ ପଟ୍ଟନାୟକ, ସୋନାଲି ସାହୁ, କିଶୋର ଜେନା, ହମିଦ ହୁସେନ, ନକୁଳ ନାୟକ, ରାଘବ ପରିଡ଼ା, କୃଷ୍ଣଚନ୍ଦ୍ର ସଗରିଆ, ଭାରତ ବେମାଲ, ଫକୀର ଜଗତ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଶେଷରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।