ଡା. ଅଶୋକ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ...

Nov 3, 2026 - 17:04
 4
ଡା. ଅଶୋକ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ...

ସାରା ବିଶ୍ୱରେ ଜଣେ ଅଦ୍ୱିତୀୟ ଚିକିତ୍ସକ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ ଡା.ଅଶୋକ ମହାପାତ୍ର: ମନମୋହନ ସାମଲ

ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ୭୪ ବର୍ଷ ବୟସରେ ଗତକାଲି ପରଲୋକ ଘଟିଛି। 

ସେ ସଞ୍ଜୟ ଗାନ୍ଧୀ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଲକ୍ଷେ୍ମା ଏବଂ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକଭାବେ କାର୍ଯ୍ୟ କରିବା ସହ ଦିଲ୍ଲୀ ଏମ୍ସରୁ ରିସର୍ଚ୍ଚର ଡିନ୍ ଭାବେ ଅବସର ନେଇଥିଲେ। 

ଏଥିସହ ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟର କୂଳପତି ଭାବେ କାର୍ଯ୍ୟ କରିଥିଲେ। ଦେଶର ଶିଶୁରୋଗ ନ୍ୟୁରୋ ସର୍ଜରୀ ଓ ନ୍ୟୁରୋ ଟ୍ରମା ଓ ପେରିଫେରାଲ ନର୍ଭ ସର୍ଜର ବିକାଶରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଥିଲା। 

ଚିକିତ୍ସା କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ଡା. ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି । 

ଶ୍ରୀ ସାମଲ କହିଛନ୍ତି ଯେ, ଡା.ମହାପାତ୍ର ଓଡ଼ିଶାର ଗର୍ବ ଓ ଗୌରବ ଥିଲେ ଏବଂ ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ଥିଲେ। 

କୌଣସି ପଦବୀ ତାଙ୍କ ପାଇଁ ବଡ଼ ନଥିଲା, କିନ୍ତୁ ସେ ଯେଭଳି ଭାବରେ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ ଏବଂ ସାରା ବିଶ୍ୱରେ ଜଣେ ଅଦ୍ୱିତୀୟ ଚିକିତ୍ସକ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ ତାହା ଅତୁଳନୀୟ। ତାଙ୍କୁ ଆମେରିକା ଭଳି ବହୁତ ବଡ଼ ବଡ଼ ଦେଶରୁ ଅଫର ଆସିଥିଲେ ମଧ୍ୟ ସବୁକିଛି ପ୍ରତ୍ୟାଖ୍ୟାନ କରି ଭାରତବର୍ଷରେ ରହି ସେବା କରିବାକୁ ମନସ୍ଥ କରିଥିଲେ। 

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱପ୍ନର ଏମ୍ସ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାରେ ଡା. ମହାପାତ୍ରଙ୍କ ଏକ ବଡ଼ ଯୋଗଦାନ ରହିଥିଲା। ତାଙ୍କ ବିୟୋଗରେ ଓଡ଼ିଶା ଆଜି ଜଣେ ଯୁଗଜନ୍ମା ବ୍ୟକ୍ତିତ୍ୱଙ୍କୁ ହରାଇଛି ବୋଲି ଶ୍ରୀ ସାମଲ କହିଛନ୍ତି। 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଡା. ଅଶୋକ ମହାପାତ୍ରଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଶ୍ରୀ ସାମଲ ସମବେଦନା ଜ୍ଞାପନ କରିଛନ୍ତି ।