ଡି.ଏ.ଭି. ପବ୍ଲିକ୍ ସ୍କୁଲ୍, କଳିଙ୍ଗନଗରରେ ଅଭିଭାବକମାନଙ୍କ ପାଇଁ ଏକକ ସଙ୍ଗୀତ ପ୍ରତିଯୋଗିତା “ମୋ କଣ୍ଠ, ମୋ ପରିଚୟ” ଆୟୋଜିତ...

Aug 10, 2026 - 14:25
 4
ଡି.ଏ.ଭି. ପବ୍ଲିକ୍ ସ୍କୁଲ୍, କଳିଙ୍ଗନଗରରେ ଅଭିଭାବକମାନଙ୍କ ପାଇଁ  ଏକକ ସଙ୍ଗୀତ ପ୍ରତିଯୋଗିତା “ମୋ କଣ୍ଠ, ମୋ ପରିଚୟ” ଆୟୋଜିତ...

“ସଙ୍ଗୀତ ହେଉଛି ଆତ୍ମାର ଭାଷା ।” ଏହା ଜୀବନର ଗୁପ୍ତ ରହସ୍ୟକୁ ଉନ୍ମୋଚନ କରି ଶାନ୍ତି ପ୍ରଦାନ କରେ ଏବଂ ମନର ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରେ। ଏହି ଭାବନାକୁ ଆଧାର କରି ଡି.ଏ.ଭି. ପବ୍ଲିକ୍ ସ୍କୁଲ୍, କଳିଙ୍ଗନଗର, ଭୁବନେଶ୍ୱର ପକ୍ଷରୁ ଅଭିଭାବକମାନଙ୍କ ମଧ୍ୟରେ “ମୋ କଣ୍ଠ, ମୋ ପରିଚୟ” ଶୀର୍ଷକ ଏକକ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । 

ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିଭାବକମାନଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବା ସହ ବିଦ୍ୟାଳୟ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ସୁଦୃଢ଼ ସମ୍ପର୍କ ସ୍ଥାପନ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । 

ଏହି ପ୍ରତିଯୋଗିତାରେ ୫୦ରୁ ଅଧିକ ଅଭିଭାବକ ଉତ୍ସାହର ସହିତ ନିଜ ନାମ ପଞ୍ଜୀକୃତ କରି ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ଓଡ଼ିଆ ଓ ହିନ୍ଦୀ ଭାଷାର ଲୋକପ୍ରିୟ ଭକ୍ତିମୂଳକ ଓ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ନିଜର ଆତ୍ମବିଶ୍ୱାସ, ସୃଜନଶୀଳତା, ସଙ୍ଗୀତ ପ୍ରତିଭା ଓ ଅପାର ଉତ୍ସାହର ପରିଚୟ ଦେଇଥିଲେ। 

ଏହି ଅବସରରେ ବିଶିଷ୍ଟ ପ୍ରଛଦପଟ ଗାୟିକା ପ୍ରଫେସର ମିତାଲି ଚିନାରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିବା ସହ ନିଜର ମଧୁର ସ୍ୱରରେ ସଙ୍ଗୀତ ପରିବେଷଣ କରି ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ । 

କାର୍ଯ୍ୟକ୍ରମର ଶୁଭାରମ୍ଭ ପାରମ୍ପରିକ ଦୀପ ପ୍ରଜ୍ୱଳନ ଏବଂ ଡି.ଏ.ଭି. ଗାନ ପରିବେଷଣ ସହ ମଙ୍ଗଳମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଥିଲା । 

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ସଙ୍ଗୀତର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଅଂଶଗ୍ରହଣକାରୀମାନଙ୍କ ସଙ୍ଗୀତ ପ୍ରତିଭାର ମୂଲ୍ୟାୟନ, ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ରୀ ସନ୍ତୋଷ କୁମାର କର, ଶ୍ରୀ ରୂପକ କୁମାର ପରିଡ଼ା ଏବଂ ଶ୍ରୀ ମାନସ କୁମାର ପରେଇଙ୍କୁ ନେଇ ଏକ ବିଚାରକମଣ୍ଡଳୀ ଦ୍ୱାରା କରାଯାଇଥିଲା । ପ୍ରତିଯୋଗିତାରେ ଶ୍ରୀମତୀ ରଞ୍ଜିତା ସାରଙ୍ଗୀ, ଶ୍ରୀମତୀ ସ୍ମରଣିକା ସାହୁ, ଶ୍ରୀ ଯୁଧିଷ୍ଠିର କୁମାର ଖୁଣ୍ଟିଆ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅଂଶଗ୍ରହଣକାରୀମାନଙ୍କୁ ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶ୍ରୀ ରାଜେଶ କୁମାର ମହାନ୍ତି ଓ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନଙ୍କୁ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ତଥା ଶ୍ରୀମତୀ ଉପାସନା ଚାଟାର୍ଜୀ ପାତ୍ର ଏବଂ ଶ୍ରୀମତୀ ଗାୟତ୍ରୀ ଦାସଙ୍କୁ ସାନ୍ତ୍ୱନା ପୁରସ୍କାର ପ୍ରଦାନ କରାଯାଇଥିଲା । 

ଶ୍ରୀମତୀ ସାଇରା ବାନୋ ଏବଂ ଶ୍ରୀମତୀ ତୁଲିକା କୁଣ୍ଡୁ ନିଜର ସୁନ୍ଦର ଓ କଳାତ୍ମକ ଉପସ୍ଥାପନା ମାଧ୍ୟମରେ ସମଗ୍ର କାର୍ଯ୍ୟକ୍ରମରେ ଦର୍ଶକମାନଙ୍କୁ ଆକୃଷ୍ଟ କରି ରଖିଥିଲେ । 

ଏହି ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଶ୍ରୀ ରାଜକିଶୋର ଗୋଛାୟତଙ୍କ ନେତୃତ୍ୱ ତଥା ପର୍ଯ୍ୟବେକ୍ଷିକା ଶ୍ରୀମତୀ ଗୀତା ରଥଙ୍କ ମାର୍ଗଦର୍ଶନରେ ସମସ୍ତ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।