ପୁତ୍ରଦା ଏକାଦଶୀର ମାହାତ୍ମ୍ୟ...
ଆଜି ହେଉଛି ପୁତ୍ରଦା ଏକାଦଶୀ।
ତେବେ ବର୍ଷକୁ ଦୁଇଟି ପୁତ୍ରଦା ଏକାଦଶୀ ପାଳନ କରାଯାଏ।
ଶ୍ରାବଣ ଓ ପୌଷ ମାସର ପଡ଼ୁଥିବା ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ।
ଯେଉଁମାନେ ବିଧିବିଧାନ ମୁତାବକ ଏକାଦଶୀ ବ୍ରତ ପାଳନ କରିଥାନ୍ତି ସେମାନଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।
ପୌଷ ଶୁକ୍ଳ ପକ୍ଷର ଏକାଦଶୀ ଶ୍ରାବଣ ଶୁକ୍ଳ ପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ ଭାବେ ପାଳନ କରାଯାଏ। ପୁତ୍ରଦା ଏକାଦଶୀକୁ ପବିତ୍ରୋପନା ଏକାଦଶୀ, ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ।
ଏକାଦଶୀ ଯେବେ ରବିବାର ରେ ପଡେ ତାହାକୁ ରବିନାରାୟଣ ଏକାଦଶୀ ମଧ୍ୟ କୁହାଯାଏ।
ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୁତଭାବେ ଗାଧୋଇ ପାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ।
ଏହି ଦିନ କୌଣସି ଆହାର ଗ୍ରହଣ କରନ୍ତୁ ନାହିଁ। ଯଦି ସମ୍ଭବ ହେଉଛି ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ।
ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି।
???? ଏହା ପଛର କାହାଣୀ
ପ୍ରାଚୀନ କାଳର କଥା। ମାହିଷ୍ମତୀପୁର ନାମକ ରାଜ୍ୟରେ ମହୀଜିତ୍ ନାମରେ ଜଣେ ରାଜା ରାଜୁତି କରୁଥିଲେ। ସେ ଯେପରି ଧାର୍ମିକ ସେହିପରି ପ୍ରଜାବତ୍ସଳ। ତେଣୁ ରାଜ୍ୟରେ ସର୍ବତ୍ର ସୁଖ, ଶାନ୍ତି ବିରାଜମାନ କରୁଥିଲା। କିନ୍ତୁ ସ୍ୱୟଂ ରାଜା ଅତ୍ୟନ୍ତ ଦୁଃଖିତ ଥିଲେ। କାରଣ ସେ ଥିଲେ ନିଃସନ୍ତାନ।
ଦିନେ ରାଜା ତାଙ୍କ ମନର ଦୁଃଖ ପ୍ରଜାଙ୍କ ସମ୍ମୁଖରେ ବ୍ୟକ୍ତ କଲେ। ପ୍ରଜାମାନେ ରାଜାଙ୍କୁ ଅତ୍ୟନ୍ତ ଭଲପାଉଥିଲେ।
ତେଣୁ ରାଜାଙ୍କ ଦୁଃଖ ଦୂର କରିବା ନିମିତ୍ତ ବ୍ରାହ୍ମଣମାନଙ୍କ ନେତୃତ୍ୱରେ ସେମାନେ ଅରଣ୍ୟକୁ ଯାଇ ତପସ୍ୟା କରିବାକୁ ସ୍ଥିର କଲେ।
ଅରଣ୍ୟ ମଧ୍ୟରେ ଯାଉଯାଉ ସେମାନେ ଲୋମଶ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଲୋମଶ ମୁନି ଥିଲେ ତ୍ରିକାଳଦର୍ଶୀ, ଜ୍ଞାନୀ ଓ ଶ୍ରେଷ୍ଠଦୀର୍ଘାୟୁ ମହାତ୍ମା।
କଥିତ ଅଛି ଯେ ପ୍ରତ୍ୟେକ କଳ୍ପର ଅନ୍ତରରେ ତାଙ୍କ ଶରୀରରୁ ଏକ ଲୋମ ଝଡ଼ିଥାଏ। ସେଥିପାଇଁ ତାଙ୍କ ନାଆଁ ଲୋମଶ।
ଏତେ ଲୋକଙ୍କୁ ବନଭୂମିରେ ଏକତ୍ର ଦେଖି ଲୋମଶ ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନଙ୍କର ଆସିବାର ଉଦ୍ଦେଶ୍ୟ ଜାଣି ତାଙ୍କୁ ଆଶ୍ୱାସନା ଦେଲେ।
ଋଷି ସେମାନଙ୍କୁ କହିଲେ- ମହାରାଜ ମହୀଜିତ୍ ପୂର୍ବଜନ୍ମରେ ଜଣେ ବୈଶ୍ୟ ଥିଲେ। ଗ୍ରାମ ଗ୍ରାମ ବୁଲି ସେ ବ୍ୟାପାର କରୁଥିଲେ। ଖରାଦିନ ଥିଲା। ଦିନେ ବୁଲୁବୁଲୁ ତାଙ୍କୁ ଶୋଷ ଲାଗିଲା। ଏକ ଜଳାଶୟ ଦେଖି ସେ ସେଠାକୁ ପାଣି ପିଇବାକୁ ଗଲେ। ସେହି ସମୟରେ ଶୋଷରେ ଆତୁର ହୋଇ ଗାଈଟିଏ ସେହି ପୋଖରି ତୁଠରେ ତା ବାଛୁରୀକୁ ପାଣି ପିଆଉଥିଲା। ବୈଶ୍ୟ ନିଜେ ପାଣି ପିଇବାପାଇଁ ଗାଈବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ। ସେହି ପାପ ଫଳରେ ଏ ଜନ୍ମରେ ସେ ଧାର୍ମିକ ହେଲେ ମଧ୍ୟ ଅପୁତ୍ରକ ହୋଇଛନ୍ତି।
ରାଜା କିପରି ସନ୍ତାନ ଲାଭ କରିବେ ଏବଂ ତାଙ୍କର ଦୁଃଖ ଦୂର ହେବ, ପ୍ରଜାମାନେ ଆତୁର ହୋଇ ସେକଥା ଲୋମଶଙ୍କୁ ପଚାରିବାରୁ, ସେ କହିଲେ, “ତୁମେମାନେ ଯଦି ରାଜାଙ୍କର ଦୁଃଖ ଦୂର କରିବାକୁ ଚାହଁ, ତେବେ ଶ୍ରାବଣ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ପୁତ୍ରଦା ନାମକ ଏକାଦଶୀକୁ ନିଷ୍ଠାର ସହିତ ପାଳନ କର। ତୁମ ରାଜାଙ୍କର ସନ୍ତାନ ଲାଭ ହେବ।” ଲୋମଶ ମୁନିଙ୍କ କଥା ଅନୁସାରେ, ପ୍ରଜାମାନେ ପୁତ୍ରଦା ଏକାଦଶୀ ପାଳନ କରି, ତାର ପୁଣ୍ୟ ରାଜାଙ୍କୁ ସମର୍ପଣ କରିବାରୁ ରାଜାଙ୍କର ପୁତ୍ର ଲାଭ ହେଲା।
ଏହି ଏକାଦଶୀର ବ୍ରତ ସ୍ୱତନ୍ତ୍ର।
ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ। ତାଙ୍କୁ ହଳଦିଆ ଫୁଲ ସହିତ ଫଳ, ତୁଳସୀ ଓ ପଞ୍ଚାମୃତ ଅର୍ପଣ କରି ଗୋପାଳ ମନ୍ତ୍ରରେ ପୂଜନ କରାଯାଏ।
ଏହିଦିନ ପତି ଓ ପତ୍ନୀ ଉପବାସ କରି ବାଳଗୋପାଳଙ୍କୁ ପଞ୍ଚାମୃତ ଭୋଗ ଲଗାଇଲେ ଶୁଭ ଫଳ ମିଲିଥାଏ |