ବିଜେଡି ବିଧାୟକ ଦଳ ବୈଠକ ରେ ରାଜ୍ୟ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ବିଧାନସଭାରେ ଉଠାଯିବ: ବିଜେଡି...

Sep 22, 2026 - 08:31
 4
ବିଜେଡି ବିଧାୟକ ଦଳ ବୈଠକ ରେ ରାଜ୍ୟ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ବିଧାନସଭାରେ ଉଠାଯିବ: ବିଜେଡି...

ଏମଏମଡିଆର ସଂଶୋଧନ ଆଇନକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଆଣନ୍ତୁ

ପାଠ୍ୟ ପୁସ୍ତକର ତ୍ରୁଟି ସଂଶୋଧନ କରି ପୁସ୍ତକ ଦିଆଯାଇ ନାହିଁ 

ଆସନ୍ତାକାଲି ବିଧାନସଭାର ବର୍ଷା କାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ୱଳିତ ଓ ରାଜ୍ୟର ସାଢ଼େଚାରି କୋଟି ଲୋକ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଧାନସଭାରେ ଉଠାଯିବ ବୋଲି ବିଜେଡି କହିଛି । 

ବିଧାୟକ ଦଳ ବୈଠକ ଶେଷ ହେବା ପରେ ବିଧାନସଭାରେ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ସୂଚନା ଦେଇଥିଲେ ।  

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ବିନା ଆଲୋଚନାରେ ଏମଏମଡିଆର ସଂଶୋଧନ ଆଇନକୁ ପାରିତ କରାଗଲା, ଯାହା ଯୋଗୁଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ରାୟ ଅନୁଯାୟୀ ଓଡିଶାକୁ ମିଳିବାକୁ ଥିବା ରାଜସ୍ୱ ଆଉ ମିଳିବ ନାହିଁ । 

ଭାରତର ସମ୍ୱିଧାନରେ ରାଜ୍ୟକୁ ଦିଆଯାଇଥିବା ସ୍ୱାଧୀନତାକୁ ଛଡାଇ ନିଆଯାଇଛି । ଏହା ଦ୍ୱାରା ସଂଘୀୟ ବ୍ୟବସ୍ଥା ଉପରେ ଆଘାତ ଦିଆଯାଇଛି । ଏହି ସଂଶୋଧନ ଆଇନକୁ ଫେରାଇ ନେବା ପାଇଁ ରାଜ୍ୟ ସରକାର ଏକ ପ୍ରସ୍ତାବ ଆଣନ୍ତୁ, ଯାହାକୁ ବିଜୁ ଜନତା ଦଳ ସମର୍ଥନ କରିବ । ରାଜ୍ୟ ବିଜେପି ସରକାର ଏଥିପାଇଁ ରାଜି ନାହାନ୍ତି । 

ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ, ଏହି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେବା ଜରୁରୀ ।

ସେହିପରି, ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିଲା । 

ସେହି ତ୍ରୁଟିକୁ ସୁଧାରି ନୂତନ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । କିନ୍ତୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । 

ଏହିଭଳି ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନେକ ପ୍ରସଙ୍ଗ ରହିଛି, ଯାହା ବିଧାନସଭାରେ ଆଲୋଚନା ହେବ ।