ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ...
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ “ବିଶ୍ୱ ଜଳାତଙ୍କ ଦିବସ” ପାଳିତ ହୋଇଯାଇଛି । ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା
ବୃଦ୍ଧି ଓ ଏହାର ନିରାକରଣ ଦିଗରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ମୋଟ ୩ ହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରାଣିଚିକିତ୍ସକ ଓ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଜଳାତଙ୍କ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ ।
କୁକୁର କାମୁଡ଼ିଲେ କ୍ଷତସ୍ଥାନକୁ ସାବୁନ ଓ ପରିଷ୍କାର ପାଣିରେ ଭଲ ଭାବେ ଧୋଇବା, ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟି ରାବିଜ୍ ଟିକା ନେବା, ଜଳାତଙ୍କ ପ୍ରତିରୋଧ ପାଇଁ ଗୃହପାଳିତ କୁକୁର ଓ ଅନ୍ୟ ପ୍ରାଣୀଙ୍କ ନିୟମିତ ଟିକାକରଣ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।
ଜଳାତଙ୍କ ରୋଗର ସଚେତନତା ସହ ଗୃହପାଳିତ ପ୍ରାଣୀଙ୍କ ନିୟମିତ ଟିକାକରଣ ଅତ୍ୟନ୍ତ ଜରୁରୀ ବୋଲି ପ୍ରାଣିଚିକିତ୍ସକମାନେ ମତବ୍ୟକ୍ତ କରିଥିଲେ ।
ବିଦ୍ୟାଳୟସ୍ତରରୁ ସଚେତନତା ସୃଷ୍ଟି ମାଧ୍ୟମରେ ଜଳାତଙ୍କ ରୋଗର ନିରାକରଣ ପାଇଁ ସାମୂହିକ ପ୍ରୟାସକୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।
ଏହି ଅବସରରେ ପ୍ରାଣିଚିକିତ୍ସକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।
ସଚେତନତା ସହିତ ଠିକ ସମୟରେ ଚିକିତ୍ସା ଓ ଗୃହପାଳିତ ପ୍ରାଣୀଙ୍କ ନିୟମିତ ଟିକାକରଣ ଜରିଆରେ ଜଳାତଙ୍କ ନିରାକରଣ ହୋଇପାରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।