ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ...

Sep 22, 2026 - 20:39
 11
ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ...

୨୫ ତାରିଖ ଯାଏଁ ସମୁଦ୍ର ପ୍ରବେଶ ମନା, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ 

ରାଜ୍ୟରେ ଲଗାଣ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । 

ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି । 

ଏହା ସହିତ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଉଛି । 

ଏହା ସହିତ ସମସ୍ତ ମତ୍ସ୍ୟ ଡଙ୍ଗା ଓ ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ ନିକଟସ୍ଥ ମତ୍ସ୍ୟ ଅବତରଣ କେନ୍ଦ୍ର କିମ୍ବା ମତ୍ସ୍ୟ ବନ୍ଦରରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ସାମୁଦ୍ରିକ ମତ୍ସ୍ୟ ଅଧିକାରୀମାନେ ସ୍ଥାନୀୟ ବୋଟ୍ ମାଲିକ ସଂଘ, ଟ୍ରଲର ମାଲିକ ସଂଘ, ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସମ୍ଭାବ୍ୟ ବର୍ଷା ସମ୍ପର୍କରେ ସୂଚନା ଦେଇ ସଚେତନ କରିଛନ୍ତି । 

ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ମଧ୍ୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ କଟକ ମତ୍ସ୍ୟ ନିର୍ଦ୍ଦେଶାଳୟକୁ ନିୟମିତ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ରହିଛି । 

ଏହି ସମୟରେ କୌଣସି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଛୁଟିରେ ରହିପାରିବେ ନାହିଁ କିମ୍ବା ହେଡକ୍କ୍ୱାର୍ଟର ଛାଡ଼ିପାରିବେ ନାହିଁ । 

ସାଗରମିତ୍ର ଓ ସହକାରୀ ମତ୍ସ୍ୟ ଅଧିକାରୀମାନେ ବିଭିନ୍ନ ବନ୍ଦରଗୁଡ଼ିକରେ ମୁତୟନ ଥିବା ବେଳେ ସେମାନେ ସଚେତନତା ସୃଷ୍ଟି କରୁଛନ୍ତି । 

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ।