ମହିଳା ପରିଚାଳିତ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର-ସହ-ସମୀକ୍ଷା ବୈଠକ ଅନୁଷ୍ଠିତ...

Aug 7, 2026 - 19:09
 3
ମହିଳା ପରିଚାଳିତ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର-ସହ-ସମୀକ୍ଷା ବୈଠକ ଅନୁଷ୍ଠିତ...

ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମୀଣ ଅର୍ଥନୀତିର ଏକ ସୁଦୃଢ଼ ଭିତ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟିଠାରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର-ସହ-ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ କେବଳ ମହିଳାଙ୍କ ଆର୍ଥିକ ସଶକ୍ତିକରଣର ମାଧ୍ୟମ ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିର ଏକ ସୁଦୃଢ଼ ଭିତ୍ତି। 

ମହିଳା ପରିଚାଳିତ ଉଦ୍ୟୋଗଗୁଡ଼ିକର ଗୁଣାତ୍ମକ ବିକାଶ, ବଜାର ସଂଯୋଗ, ଦକ୍ଷତା ବିକାଶ ଓ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ସେମାନଙ୍କ ଆୟ ବୃଦ୍ଧି କରି ଆତ୍ମନିର୍ଭର କରାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା। 

ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ଅଂଶୀଦାରମାନଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରାଯିବା ସହ କ୍ଷେତ୍ରସ୍ତରର ଅଭିଜ୍ଞତା, ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

ଜୀବିକା କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ, ମହିଳା ପରିଚାଳିତ ଉଦ୍ୟୋଗର ବିକାଶ ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 

କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ମିଶନ ଶକ୍ତିର ନିର୍ଦ୍ଦେଶିକା ଡା. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଡି.ପି.ସି., ଡି.ପି.ଏମ୍., ବି.ପି.ସି., ବି.ପି.ଏମ୍., ବି.ପି.ଏ., ଡି.ପି.ଏ.ସି.ଏ., ବି.ଏଲ୍.ସି., ଏସ୍.ଡି.ସି. ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।