ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୫୦ତମ ରାଜ୍ୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରଟି ବୈଠକ...
₹୩,୨୮୦ କୋଟିର ନିବେଶ ପ୍ରସ୍ତାବକୁ ଅନୁମୋଦନ, ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି
ବିଭିନ୍ନ କ୍ଷେତ୍ରରେ ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ
ଉତ୍ପାଦନ, ସ୍ୱଚ୍ଛ ଶକ୍ତି, ପର୍ଯ୍ୟଟନ ଓ ଉଦୀୟମାନ ଶିଳ୍ପ କ୍ଷେତ୍ରକୁ ସୁଦୃଢ କରିବ
ଓଡ଼ିଶା ସରକାର ୩,୨୮୦.୫୮ କୋଟି ଟଙ୍କାର ମୋଟ ନିବେଶ ସହ ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହି ଅନୁମୋଦନ ଓଡ଼ିଶାର ବିବିଧ କ୍ଷେତ୍ରରେ ଶିଳ୍ପ ପରିବେଶକୁ ଆହୁରି ସୁଦୃଢ଼ କରିବା, ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଆଉ ଏକ ପଦକ୍ଷେପ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି ବୈଠକରେ ଏହି ନିବେଶ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ପ୍ରଦାନ କରାଯାଇଛି ।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବୟନ ଓ ପୋଷାକ ଏବଂ ବୈଷୟିକ ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଡାଉନଷ୍ଟ୍ରିମ୍, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର୍, ଜୈବ ଇନ୍ଧନ, ରାସାୟନିକ ଓ ରାସାୟନିକ ଉତ୍ପାଦ, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍ ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଛି ।
ଏହି ନିବେଶଗୁଡ଼ିକ ପାରମ୍ପରିକ ଶିଳ୍ପ ସହ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ମଧ୍ୟ ଗୁଣାତ୍ମକ ନିବେଶ ଆକୃଷ୍ଟ କରିବା ପ୍ରତି ରାଜ୍ୟ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏଥିସହ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ମଧ୍ୟ ଏହା ସମର୍ଥନ କରିବ ।
ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଅନୁଗୋଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲା ଆଦି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିସହ ୮ଟି ଜିଲ୍ଲା-ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ଏକ ଜୈବ ଇନ୍ଧନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତାବିତ ହୋଇଛି ।
ଅନୁମୋଦିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ବୟନ, ପୋଷାକ ଓ ବୈଷୟିକ ବୟନ କ୍ଷେତ୍ରରେ ଡଲାର ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାରେ ଏକ ସମନ୍ୱିତ ହୋସିଆରୀ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ।
ଏହି ୟୁନିଟ୍ରେ ପ୍ରସ୍ତୁତ ହୋସିଆରୀ, ନିଟିଂ ଫ୍ୟାବ୍ରିକ୍, ବ୍ଲିଚିଂ ଓ ଡାଇଂ ଭଳି କାର୍ଯ୍ୟ ସାମିଲ ରହିବ । ଏଥିପାଇଁ ୧୨୫ କୋଟି ଟଙ୍କାର ନିବେଶ କରାଯିବ ଏବଂ ୧,୧୮୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, ସାଇ ୱର୍କୱେୟାର ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ପୋଷାକ, ଅଗ୍ନି ପ୍ରତିରୋଧୀ ୱର୍କୱେୟାର ଓ ସୁରକ୍ଷାତ୍ମକ ବୈଷୟିକ ବୟନ ସାମଗ୍ରୀ ସମେତ ଏକ ସମନ୍ୱିତ ବୈଷୟିକ ବୟନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୫୯ କୋଟି ଟଙ୍କାର ନିବେଶ ସହ ୩,୬୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ଦୁଇଟି ପ୍ରକଳ୍ପ ମିଳିତ ଭାବେ ଓଡ଼ିଶାର ବୟନ ଓ ବୈଷୟିକ ବୟନ ଶିଳ୍ପ ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଆ) ଲିମିଟେଡ୍ ଖୋର୍ଦ୍ଧାରେ ସ୍ନାକ୍ସ, ସାଭୋରିଜ୍ ଓ ନମକିନ୍ର ଏକ ସମନ୍ୱିତ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏଥିପାଇଁ ୧୨୦ କୋଟି ଟଙ୍କାର ନିବେଶ କରାଯିବ ଏବଂ ୩୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି, ଜୟ ଭବାନୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ କଟକରେ ଏକ ସମନ୍ୱିତ ଖାଦ୍ୟ ଓ କନଫେକ୍ସନାରୀ କୋ-ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୧୦୦ କୋଟି ଟଙ୍କାର ନିବେଶ ସହ ୫୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଇସ୍ପାତ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ୩ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଏସପିଏସ ଅରିହନ୍ତ ଷ୍ଟିଲ୍ ଷ୍ଟ୍ରକଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦେବଗଡ଼ରେ ବାର୍ଷିକ ୩୦,୦୦୦ ଟନ୍ ଷ୍ଟିଲ୍ ଆଇ-ଗାର୍ଡର୍ ଓ ବକ୍ସ ବିମ୍, ୫,୦୦୦ ଟନ୍ ଫାଷ୍ଟେନର୍ ଏବଂ ୧,୫୦,୦୦୦ ଟନ୍ ଟିଏମଟି ରିବାର୍ କପ୍ଲର୍ ଉତ୍ପାଦନ ପାଇଁ ୟୁନିଟ୍ ସ୍ଥାପନ କରିବ । ଏଥିରେ ୧୪୦ କୋଟି ଟଙ୍କାର ନିବେଶ ସହ ୫୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଷ୍ଟିଲେଜ୍ ଫ୍ୟାବ୍ରିକେସନ୍ ସୁନ୍ଦରଗଡ଼ରେ ବାର୍ଷିକ ୬୦,୦୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୧୦୮.୮୨ କୋଟି ଟଙ୍କାର ନିବେଶ ସହ ୩୭୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି, ଭୁବନେଶ୍ୱର ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କଟକରେ କଲର୍-କୋଟେଡ୍ ସିଟ୍, କୋରୁଗେଟେଡ୍ ଜିଆଇ ସିଟ୍, ପ୍ଲେନ୍ ଜିଆଇ ସିଟ୍ ଏବଂ ଜିଆଇ ଷ୍ଟ୍ରକଚରାଲ୍ କମ୍ପୋନେଣ୍ଟ୍ ଉତ୍ପାଦନ ପାଇଁ ୟୁନିଟ୍ ସ୍ଥାପନ କରିବ । ଏଥିପାଇଁ ୧୦୧.୯୯ କୋଟି ଟଙ୍କାର ନିବେଶ ସହ ୧୩୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର କ୍ଷେତ୍ରରେ ଟାଟା ପାୱାର୍ ଖୋର୍ଦ୍ଧାରେ ୫୪.୩୧ କୋଟି ଟଙ୍କା ବିନିଯୋଗରେ ଏକ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ସ୍ଥାପନ କରିବ ।
ଏହା ଦ୍ୱାରା ୧୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାରେ ବଢ଼ୁଥିବା ଜ୍ଞାନ ଓ ପ୍ରଯୁକ୍ତିଭିତ୍ତିକ ସେବା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ।
ଜୈବ ଇନ୍ଧନ କ୍ଷେତ୍ରରେ ଉଲ୍ଲେଖନୀୟ ନିବେଶ ଆଗ୍ରହ ପରିଲକ୍ଷିତ ହୋଇଛି ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ୮ଟି ଜିଲ୍ଲା-ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ବାର୍ଷିକ ୩୯,୬୦୦ ଟିପିଏ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୯୬୦ କୋଟି ଟଙ୍କାର ନିବେଶ ସହ ୭୬୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି, କିନେଟା ଗ୍ଲୋବାଲ୍ ଲିମିଟେଡ୍ ଗଞ୍ଜାମରେ ବାର୍ଷିକ ୮,୨୫୦ ଟିପିଏ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏଥିପାଇଁ ୧୭୦ କୋଟି ଟଙ୍କାର ନିବେଶ ସହ ୧୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ରାସାୟନିକ ଓ ରାସାୟନିକ ଉତ୍ପାଦ କ୍ଷେତ୍ରରେ ଆକ୍ୱାପ୍ରୁଫ୍ ୱାଲକେୟାର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କଟକରେ ବାର୍ଷିକ ୩,୦୫,୦୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ନିର୍ମାଣ ରାସାୟନିକ ପଦାର୍ଥ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏଥିପାଇଁ ୬୨.୬୪ କୋଟି ଟଙ୍କାର ନିବେଶ ସହ ୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି, ଆସିପିୟା କେମିକାଲ୍ସ ଆଣ୍ଡ ସଲଭେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ବାର୍ଷିକ ୫୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ ସଲଭେଣ୍ଟ ଡିଷ୍ଟିଲେସନ୍ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୬୦ କୋଟି ଟଙ୍କାର ନିବେଶ ସହ ୭୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସର୍କୁଲାର ଇକୋନୋମି କ୍ଷେତ୍ରରେ ରାମୁକା ଗ୍ଲୋବାଲ୍ ଏଲଏଲପି ଅନୁଗୋଳରେ ଏକ ଲୁହା ଓ ଇସ୍ପାତ ସ୍ଲାଗ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ ।
ଏହି ୟୁନିଟ୍ରେ ବାର୍ଷିକ ୯୯୦ ଟିପିଏ ଲୁହା ଓ ଇସ୍ପାତ ସ୍ଲାଗ୍ ଏଗ୍ରିଗେଟ୍, ସ୍ଲାଗ୍ ସିମେଣ୍ଟ, ପ୍ରସ୍ତୁତ-ବ୍ୟବହାରଯୋଗ୍ୟ ପଟହୋଲ୍ ମିକ୍ସ ଏବଂ ମୃତ୍ତିକା ସ୍ଥିରୀକରଣ ସାମଗ୍ରୀ ଉତ୍ପାଦନ କରାଯିବ । ଏହି ପ୍ରକଳ୍ପରେ ୫୦.୧୫ କୋଟି ଟଙ୍କାର ନିବେଶ ସହ ୪୧୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପ୍ଲାଷ୍ଟିକ୍ କ୍ଷେତ୍ରରେ ଶ୍ରୀ ଦକ୍ଷିଣେଶ୍ୱରୀ ମା’ ପଲିଫାବ୍ସ ଲିମିଟେଡ୍ ଖୋର୍ଦ୍ଧାରେ ବାର୍ଷିକ ୪୦,୦୦୦ ମେଟ୍ରିକ୍ ଟନ୍ PP ବୁଣା ଓ ଅଣବୁଣା କପଡ଼ା ଏବଂ ବ୍ୟାଗ୍ ଉତ୍ପାଦନ ପାଇଁ ଏକ ୟୁନିଟ୍ ସ୍ଥାପନ କରିବ ।
ଏହି ପ୍ରକଳ୍ପରେ ୪୦୧.୬୩ କୋଟି ଟଙ୍କାର ନିବେଶ କରାଯିବ ଏବଂ ଏଥିରେ ୪୯୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାରେ ୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
ବିବିବି ହୋଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ଏକ ୫-ତାରକା ହୋଟେଲ୍ ସ୍ଥାପନ କରିବ । ଏଥିପାଇଁ ୨୦୮.୦୪ କୋଟି ଟଙ୍କାର ନିବେଶ ସହ ୩୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି, ହୋଟେଲ୍ ସି ପର୍ଲ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ଏସିସିଓଆର ଗ୍ରୁପ୍ ଅଫ୍ ହୋଟେଲ୍ସ ଆଣ୍ଡ ରିସର୍ଟସ୍ ସହ ବ୍ରାଣ୍ଡ୍ ସହଭାଗିତାରେ ଏକ ୫-ତାରକା ବିଚ୍ ରିସର୍ଟ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୧୮୦ କୋଟି ଟଙ୍କାର ନିବେଶ ସହ ୬୩୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏଥିସହ, ହାଇଲ୍ୟାଣ୍ଡ ହୋଟେଲ୍ସ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ୪-ତାରକା ରିସର୍ଟ ସ୍ଥାପନ କରିବ ।
ଏଥିପାଇଁ ୧୫୦ କୋଟି ଟଙ୍କାର ନିବେଶ ସହ ୨୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପୁରୀ ଇକୋ-ଟୁରିଜମ୍ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ଏକ ୪-ତାରକା ରିସର୍ଟ ସ୍ଥାପନ କରିବ ।
ଏହି ପ୍ରକଳ୍ପରେ ୧୨୪ କୋଟି ଟଙ୍କାର ନିବେଶ ସହ ୩୦୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, ଓଡିସି ଲେଜର୍ ପ୍ରାଇଭେଟ୍ ଲିମିଟେଡ୍ କୋରାପୁଟରେ ଏକ ୪-ତାରକା ରିସର୍ଟ ସ୍ଥାପନ କରିବ । ଏଥିରେ ୧୦୫ କୋଟି ଟଙ୍କାର ନିବେଶ ସହ ୧୯୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ୧୫୦ତମ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ ବୈଠକରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ନିବେଶ କ୍ଷେତ୍ରରେ ବଢ଼ୁଥିବା ବିବିଧତାକୁ ପ୍ରତିଫଳିତ କରୁଛି ।
ରାଜ୍ୟ ସରକାରଙ୍କ ଲକ୍ଷ୍ୟ କେବଳ ନିବେଶ ଆକୃଷ୍ଟ କରିବା ନୁହେଁ, ବରଂ ଉତ୍ପାଦନଶୀଳ ନିଯୁକ୍ତି ସୃଷ୍ଟି ସହ ବିଭିନ୍ନ ଅଞ୍ଚଳରେ ଶିଳ୍ପ ପରିବେଶକୁ ସୁଦୃଢ଼ କରିବା । ସ୍ଥାନୀୟ ସମ୍ବଳର ମୂଲ୍ୟଯୁକ୍ତ କରିବା, ଯୋଗାଣ ଶୃଙ୍ଖଳର ବିକାଶ ଏବଂ ଦୀର୍ଘସ୍ଥାୟୀ ଆର୍ଥିକ ସୁଯୋଗ ସୃଷ୍ଟି କରୁଥିବା ନିବେଶକୁ ପ୍ରୋତ୍ସାହନ ଦିଆଯାଉଛି ।
ନିରନ୍ତର ସହଯୋଗ ଓ ସମନ୍ୱିତ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ନିବେଶକମାନେ ଯେପରି ପ୍ରସ୍ତାବଠାରୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦକ୍ଷତାର ସହ ଆଗେଇ ପାରିବେ, ସେଥିପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।
୩,୨୮୦.୫୮ କୋଟି ଟଙ୍କାର ମିଳିତ ନିବେଶ ଏବଂ ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ଥିବା ୧୯ଟି ଅନୁମୋଦିତ ପ୍ରକଳ୍ପ ଓଡ଼ିଶାର ନିବେଶ ପରିଦୃଶ୍ୟରେ ବଢ଼ୁଥିବା ବିବିଧତାକୁ ପ୍ରତିଫଳିତ କରୁଛି ।
ବୈଷୟିକ ବୟନ, ଇସ୍ପାତ ଡାଉନଷ୍ଟ୍ରିମ୍ ଓ ଜୈବ ଇନ୍ଧନଠାରୁ ଆରମ୍ଭ କରି ରାସାୟନିକ, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍, ପ୍ରଯୁକ୍ତିଭିତ୍ତିକ ସେବା ଏବଂ ପର୍ଯ୍ୟଟନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଏକ ବ୍ୟାପକ ଓ ଅଧିକ ସୁଦୃଢ଼ ଶିଳ୍ପ ଭିତ୍ତି ଗଠନରେ ଯୋଗଦାନ ରଖିବ ।
ଏହି ଅନୁମୋଦନଗୁଡ଼ିକ ମୂଲ୍ୟଯୁକ୍ତ ଉତ୍ପାଦନ, ନିଯୁକ୍ତି ସୃଷ୍ଟି ଏବଂ ଆଞ୍ଚଳିକ ସନ୍ତୁଳିତ ଶିଳ୍ପ ବିକାଶ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱକୁ ମଧ୍ୟ ପ୍ରତିଫଳିତ କରୁଛି । ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ସରକାର ନିବେଶକଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଛନ୍ତି । ଏହା ଦ୍ୱାରା ସମନ୍ୱିତ ଭାବେ ବିଭିନ୍ନ ଅନୁମୋଦନ ପ୍ରଦାନ ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି ।
ଏହି ନିବେଶଗୁଡ଼ିକ ସମୃଦ୍ଧ ଓଡ଼ିଶା ୨୦୩୬ର ବ୍ୟାପକ ଲକ୍ଷ୍ୟ ସହ ସଂଯୋଜିତ ।
ଉତ୍ପାଦନଶୀଳ ନିଯୁକ୍ତି ସୃଷ୍ଟି, ଶିଳ୍ପ ପରିବେଶକୁ ସୁଦୃଢ଼ କରିବା, ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହନ ଏବଂ ସମଗ୍ର ରାଜ୍ୟରେ ଦୀର୍ଘସ୍ଥାୟୀ ଆର୍ଥିକ ବିକାଶକୁ ସୁଗମ କରିବା ଉପରେ ଏହି ନିବେଶଗୁଡ଼ିକ ଗୁରୁତ୍ୱ ଦେଉଛି ।