ଆସୁଛି ବାତ୍ୟା ! ଆଜି ଲଘୁଚାପର ରୂପ ନେବ....
ବଙ୍ଗୋପସାଗରରେ ଆସିପାରେ ଆଉ ଏକ ବାତ୍ୟା । ବିଭିନ୍ନ ପାଣିପାଗ ମଡେଲ୍ ସମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ଦେଖାଇଛନ୍ତି। ଆସନ୍ତା ୧୯ କିମ୍ବା ୨୦ ତାରିଖ ବେଳକୁ ସ୍ଥଳଭାଗ ପାଖାପାଖି ହୋଇପାରେ। ହେଲେ ଏହାର ଗତିପଥ ଓ ପ୍ରଭାବ ନେଇ ଭିନ୍ନ ଭିନ୍ନ ଆକଳନ ପ୍ରକାଶ ପାଇଛି। ୟୁରୋପୀୟ ମଡେଲ କହୁଛି, ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼େ ମୁହାଁଇପାରେ।
ଆଉ ଦୁଇଟି ମଡେଲ ଦର୍ଶାଉଛି, ବାଙ୍ଗଲାଦେଶ କିମ୍ବା ମ୍ୟାଁମାର ଦିଗକୁ ମୋଡ଼ିଯାଇପାରେ ବାତ୍ୟା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ୧୩ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପର ରୂପ ନେବ । ୧୫ ତାରିଖବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ ।
ବିସ୍ତାରିତ ପୂର୍ବାନୁମାନରେ ଆଇଏମଡି ଦର୍ଶାଇଛି ଯେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ ମଧ୍ୟରେ ଏକମତ ରହିଛି। ମାତ୍ର ସମ୍ଭାବ୍ୟ ଗତିପଥ ଓ ସ୍ଥଳଭାଗ ଛୁଇଁବା ( ଲ୍ୟାଣ୍ଡଫଲ୍) ନେଇ ବି ବିଭିନ୍ନ ମଡେଲ୍ ମଧ୍ଯରେ ଭିନ୍ନ ମତ ରହିଛି। ତେଣୁ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପ୍ରଭାବ ନେଇ ଏଯାଏଁ ଆଇଏମଡି କିଛି ବି ସ୍ପଷ୍ଟ କରିନାହିଁ । ଅବପାତ ହେବା ପରେ ହିଁ ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ନେଇ ସ୍ପଷ୍ଟ ଚିତ୍ର ମିଳିପାରେ।