ରାଜ୍ୟରେ ପୁଣି ବସ୍ ଭଡ଼ା ବୃଦ୍ଧି, ଯାତ୍ରୀଙ୍କୁ ବାଧିବ
ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି ହୋଇଛି। ଏବେ ସାଧାରଣ ବସର ଭଡ଼ା କିଲୋମିଟର ପିଛା ୧.୧୮ ଟଙ୍କାକୁ ବୃଦ୍ଧି ପାଇଥିଲା ବେଳେ ଏକ୍ସପ୍ରେସ୍ ବସ୍ରେ ୧.୨୪ ଟଙ୍କାକୁ ବୃଦ୍ଧି ପାଇଛି। ଏଣେ ସେମି ଡିଲକ୍ସ ବସ୍ରେ କିଲୋମିଟର ପିଛା ୧.୪୧ ଟଙ୍କାକୁ ବୃଦ୍ଧି ପାଇଛି।
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅର୍ଡିନାରି ବସ୍ (ସାଧାରଣ ଯାତ୍ରୀବାହୀ ବସ୍) ଭଡ଼ା କିଲୋମିଟର ପିଛା ୧ ଟଙ୍କା ୧୮ ପଇସା ହୋଇଛି।
ପୂର୍ବରୁ ଏହା ୯୨ ପଇସା ଥିଲା | ଅର୍ଥାତ୍ ଏକ କିମି ପିଛା ଏକସଙ୍ଗେ ୨୬ ପଇସା ଭଡ଼ା ବଢ଼ିଛି। ସାଧାରଣ ବସ୍ ଭଡ଼ା ପୂର୍ବରୁ ଥରକେ ୨ରୁ ୫ ପଇସା ପର୍ଯ୍ୟନ୍ତ ବଢୁଥିବାବେଳେ ଆଜି ୨୬ ପଇସା ବଢ଼ିଛି। ଯାହା ସାଧାରଣ ଲୋକଙ୍କ ବସ୍ଯାତ୍ରା ମହଙ୍ଗା କରିଦେବା ଜୁନ୍ ୨ରେ କିମି ପିଛା ୨ ପଇସା ବଢ଼ିଥିଲା।
ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଏକ କିମି ପିଛା ୯୬ ପଇସା ଥିବାବେଳେ ଏହା ୧ ଟଙ୍କା ୨୪ ପଇସା ହୋଇଛି। ଏହା ବି ୨୮ ପଇସା ବଢ଼ିଛି। ସେମି ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୩୦ ପଇସା ହୋଇଛି। ଏହି ବର୍ଗର ବସ୍ ଭଡ଼ା ପ୍ରଥମଥର ପାଇଁ ଧାର୍ଯ୍ୟ ହୋଇଛି। ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ରୁ ବଢ଼ିକି ୧ ଟଙ୍କା ୪୧ ପଇସା ହୋଇଛି। ଜୁନ୍ ୨ରେ ଏହା ୪ ପଇସା ବଢ଼ିଥିଲା । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ବଢ଼ି ୧ ଟଙ୍କା ୯୯ ପଇସା ହୋଇଛି। ଏହା କିମି ପିଛା ୩୬ ପଇସା ବଢ଼ିଛି | ଜୁନ୍ ୨ରେ ୪ ପଇସା ବଢ଼ିଥିଲା । ଏବେ ସୁପର୍ ଡିଲକ୍ସ ବସ୍ ଜାଗାରେ ସୁପର୍ ପ୍ରିମିୟମ ବସ୍ ଭଡ଼ା ଧାର୍ଯ୍ୟ ହୋଇଛି। ପୂର୍ବରୁ ଏହା ୨ ଟଙ୍କା ୫୩ ପଇସା ଥିବାବେଳେ ଏବେ ୩ ଟଙ୍କା ୨୧ ପଇସା ହୋଇଛି। ଏକସଙ୍ଗେ ୬୮ ପଇସା ବଢ଼ିଛି। ଜୁନ୍ ୨ରେ କିମି ପିଛା ୪ ପଇସା ବଢ଼ିଥିଲା | ସେହିପରି ସୁପର୍ ପ୍ରିମିୟମ ଫୁଲି ସ୍ମିପର୍ ଏସି କୋଚ୍ ବସ୍ ଭଡ଼ା କିମି ପିଛା ୪ ଟଙ୍କା ୬୧ ପଇସା ହୋଇଛି | ଜୁଲାଇ ୯ରେ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ଏହି ବର୍ଗର ବସ୍ ଭଡ଼ା ନୂଆ କରି ଧାର୍ଯ୍ୟ କରିଥିଲେ । ସେତେବେଳେ ବସ୍ ଭଡ଼ା କିମି ପିଛା ୩ ଟଙ୍କା ୫୦ ପଇସା ଧାର୍ଯ୍ୟ ହୋଇଥିବାବେଳେ ଆଜି ଏକସଙ୍ଗେ ୧ ଟଙ୍କା ୧୧ ପଇସା ବଢ଼ିଛି।