ଏମ୍ସ (AIIMS) ଭୁବନେଶ୍ୱର ପକ୍ଷରୁ ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ...
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି
"ଆତ୍ମବିଶ୍ୱାସ ଏବଂ ସହାନୁଭୂତିର ସହ ଧଳା କୋଟ୍ ପିନ୍ଧନ୍ତୁ": ଶ୍ରୀମତୀ ଅନୁପ୍ରିୟା ପଟେଲ
ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରମାନେ "ଡକ୍ଟର+" ଭାବରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି
ଚିକିତ୍ସା, ନର୍ସିଂ ଏବଂ ଆଲାଇଡ୍ ହେଲଥ୍ ବିଭାଗର ୬୮୪ ଜଣ ଛାତ୍ରଛାତ୍ରୀଙ୍କୁ ଉପାଧି ପ୍ରଦାନ କରାଯାଇଛି
୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୬୧ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି
ଏମ୍ସ ଭୁବନେଶ୍ୱର ସଫଳତାର ସହ ତାର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି, ଯାହା ମେଡିକାଲ ଶିକ୍ଷା, ଗବେଷଣା, ଚିନ୍ତାଧାରା (ଇନୋଭେସନ) ଏବଂ ରୋଗୀ ସେବା କ୍ଷେତ୍ରରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।
ଏହି ଉତ୍ସବରେ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସମାବର୍ତ୍ତନ ଅଭିଭାଷଣ ପ୍ରଦାନ କରି ଶ୍ରୀମତୀ ଅନୁପ୍ରିୟା ପଟେଲ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନୈତିକ, ସହାନୁଭୂତିପୂର୍ଣ୍ଣ ଏବଂ ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଉତ୍ସାହିତ କରିଥିଲେ।
ଚିକିତ୍ସା ବୃତ୍ତି ସହ ଜଡ଼ିତ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ, "ଧଳା କୋଟ୍ ହେଉଛି ବିଶ୍ୱାସ, ଦାୟିତ୍ୱବୋଧ, ପ୍ରତିବଦ୍ଧତା ଏବଂ ଅପାର ସୁଯୋଗର ପ୍ରତୀକ।
ଏହାକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ସହାନୁଭୂତିର ସହ ପିନ୍ଧନ୍ତୁ।"
ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ ଓ ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀମତୀ ଅନୁପ୍ରିୟା ପଟେଲ ଦେଶରେ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକର ସମ୍ପ୍ରସାରଣ ବିଷୟରେ କହିଥିଲେ।
ସେ ଉଲ୍ଲେଖ କରିଥିଲେ ଯେ ଦେଶରେ ଏମ୍ସ ପ୍ରତିଷ୍ଠାନ ସଂଖ୍ୟା ୭ ରୁ ୨୩ କୁ ବୃଦ୍ଧି ପାଇଛି, ଯାହା ସମଗ୍ର ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର ସୁଯୋଗକୁ ସୁଦୃଢ଼ କରିଛି।
ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରମାନେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି।
ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ଚିକିତ୍ସା ସୁବିଧା, ଗବେଷଣାର ସୁଯୋଗ, ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଏବଂ ସର୍ବୋପରି ସେମାନଙ୍କ ପ୍ରଶିକ୍ଷଣ ସମୟରେ ସୃଷ୍ଟି ହୋଇଥିବା ସହାନୁଭୂତି ଓ ଦୟାର ମୂଲ୍ୟବୋଧ ଯୋଗୁଁ ସେ ସେମାନଙ୍କୁ "ଡକ୍ଟର+" ଭାବରେ ବର୍ଣ୍ଣନା କରିଥିଲେ।
ସୁଲଭ ଏବଂ ସହଜ ସ୍ୱାସ୍ଥ୍ୟସେବା ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ବିଷୟରେ ଆଲୋଚନା କରି ସେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ର ପ୍ରଭାବ ଉପରେ ଆଲୋକପାତ କରିଥିଲେ, ଯାହା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସହାୟତା ଯୋଗାଇବାରେ ସକ୍ଷମ ହୋଇଛି।
ଅଣ-ସଂକ୍ରାମକ ରୋଗ (NCDs) ର ବଢୁଥିବା ଆହ୍ୱାନ ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଗତମାନେ କେବଳ ଚିକିତ୍ସା ଉପରେ ନୁହେଁ ବରଂ ପ୍ରତିରୋଧ ଏବଂ ପ୍ରାରମ୍ଭିକ ଚିହ୍ନଟ ଉପରେ ଧ୍ୟାନ ଦେବା ଉଚିତ ବୋଲି ଗୁରୁତ୍ୱ ଦେଇଥିଲେ।
ସେ ୧.୮୪ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ବିଷୟରେ କହିଥିଲେ, ଯାହା ସମୁଦାୟ ମଧ୍ୟରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇଁ ପ୍ରଥମ ଯୋଗାଯୋଗ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି।
ବିଶ୍ୱର ସବୁଠାରୁ ବଡ଼ ଜନସଂଖ୍ୟା ଭିତ୍ତିକ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଭାରତର ସଫଳତା ଉପରେ ସେ ଆଲୋକପାତ କରିଥିଲେ।
ଏହା ଅଧୀନରେ ୩୦ ବର୍ଷ ବା ତା'ଠାରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କର ମଧୁମେହ (ଡାଇବେଟିସ୍), ଉଚ୍ଚ ରକ୍ତଚାପ (ହାଇପରଟେନସନ), ମୁଖ କର୍କଟ (ଓରାଲ୍ କ୍ୟାନ୍ସର), ସ୍ତନ କର୍କଟ ଏବଂ ଜରାୟୁ ମୁଖ କର୍କଟ ସହିତ ପାଞ୍ଚଟି ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାର ସ୍କ୍ରିନିଂ କରାଯାଉଛି। ସେ ଏହାକୁ ପ୍ରତିଷେଧକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଥିଲେ।
ସ୍ୱାସ୍ଥ୍ୟସେବାରେ ଡିଜିଟାଲ୍ ରୂପାନ୍ତର ବିଷୟରେ ଆଲୋଚନା କରି ଶ୍ରୀମତୀ ଅନୁପ୍ରିୟା ପଟେଲ ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ (ABDM) ର ଭୂମିକା ଉପରେ ଆଲୋକପାତ କରିଥିଲେ।
ସେ ଦେଶରେ ମେଡିକାଲ ଶିକ୍ଷା ଭିତ୍ତିଭୂମିର ଉଲ୍ଲେଖନୀୟ ସମ୍ପ୍ରସାରଣ ବିଷୟରେ ମଧ୍ୟ ସୂଚନା ଦେଇ କହିଥିଲେ ଯେ ଆଜି ଭାରତରେ ୮୨୦ଟି ମେଡିକାଲ କଲେଜ, ପ୍ରାୟ ୧.୨୯ ଲକ୍ଷ ମେଡିକାଲ ସିଟ୍ ଏବଂ ପ୍ରାୟ ୮୫,୦୦୦ ପୋଷ୍ଟ ଗ୍ରାଜୁଏଟ୍ ସିଟ୍ ରହିଛି, ଯାହା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆସିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ଅଧିକ ସୁଯୋଗ ପ୍ରଦାନ କରୁଛି ଏବଂ ଏକ ମଜଭୁତ ସ୍ୱାସ୍ଥ୍ୟସେବା କାର୍ଯ୍ୟବଳର ବିକାଶରେ ସହଯୋଗ କରୁଛି।
ମେଡିକାଲ ଶିକ୍ଷା, ଗବେଷଣା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱରର ଉଲ୍ଲେଖନୀୟ ଅବଦାନକୁ ସେ ପ୍ରଶଂସା କରିଥିଲେ ଏବଂ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଓଡ଼ିଶା ଏବଂ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏମ୍ସ ଭୁବନେଶ୍ୱରର ଭୂମିକାକୁ ପ୍ରଶଂସା କରିଥିଲେ।
ଚିକିତ୍ସା ଶିକ୍ଷା, ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ପ୍ରତିଷ୍ଠାନର ଅବଦାନକୁ ସେ ପ୍ରଶଂସା କରିବା ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।
ମୁଖ୍ୟ ଅତିଥିଙ୍କ ଅନୁମୋଦନ କ୍ରମେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଦ୍ୱାରା ସମାବର୍ତ୍ତନ ଉତ୍ସବ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ସ୍ୱାଗତ ଭାଷଣ ପ୍ରଦାନ କରି ଡାକ୍ତର ବିଶ୍ୱାସ ଶିକ୍ଷା, ରୋଗୀ ସେବା, ଗବେଷଣା, ଭିତ୍ତିଭୂମି ବିକାଶ ଏବଂ ଇନୋଭେସନ କ୍ଷେତ୍ରରେ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ।
ଏହି ସମାବର୍ତ୍ତନ ଉତ୍ସବରେ ସମୁଦାୟ ୬୪ ଜଣ ଛାତ୍ରଛାତ୍ରୀ ଉପାଧି ଗ୍ରହଣ କରିଥିଲେ। ଉତ୍ତୀର୍ଣ୍ଣ ହୋଇଥିବା ବ୍ୟାଚ୍ ମଧ୍ୟରେ ୧୯୨ ଜଣ MBBS ଛାତ୍ରଛାତ୍ରୀ, ୧୬୩ ଜଣ MD/MS ଛାତ୍ରଛାତ୍ରୀ, ୬୦ ଜଣ DM/MCh ଛାତ୍ରଛାତ୍ରୀ, ୧୭ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (PDF), ୪ ଜଣ PhD ସ୍କଲାର, ୧୩୪ ଜଣ BSc (Hons.) ନର୍ସିଂ ଛାତ୍ରଛାତ୍ରୀ, ୭୫ ଜଣ BSc (Hons.) ପାରାମେଡିକାଲ୍ ଛାତ୍ରଛାତ୍ରୀ ଏବଂ ୩୯ ଜଣ MSc ନର୍ସିଂ ଛାତ୍ରଛାତ୍ରୀ ସାମିଲ ଥିଲେ।
ଉଲ୍ଲେଖନୀୟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୬୧ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଡାକ୍ତର ଅନିତା ସକ୍ସେନା (ସଭାପତି, ଏମ୍ସ ଭୁବନେଶ୍ୱର), ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା (ଡିନ୍, ଏକାଡେମିକ୍) ଏବଂ ଡାକ୍ତର ସୁଦୀପ୍ତ ରଞ୍ଜନ ସିଂ (ରେଜିଷ୍ଟ୍ରାର) ମଧ୍ୟ ଉପସ୍ଥିତ ଥିଲେ।