ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬ ଉପସ୍ଥାପନା...
ଏହି ବିଲ୍ କେବଳ ଆଇନରେ ସଂଶୋଧନ ନୁହେଁ।
ଏହା ହେଉଛି ଶାସନ ବ୍ୟବସ୍ଥାକୁ ସରଳ କରିବା, ନାଗରିକଙ୍କ ଉପରେ ଅନାବଶ୍ୟକ ଭାର କମାଇବା ଏବଂ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
ସରଳ ନିୟମ, ସୁଦୃଢ଼ ବିଶ୍ୱାସ, ଦ୍ରୁତ ବିକାଶ ଏହାକୁ ମନ୍ତ୍ର କରି ଭାରତ ସରକାର ଏକ ବିଶ୍ୱାସଭିତ୍ତିକ ଶାସନ (Trust Based Governance) ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛନ୍ତି।
ଜାତୀୟସ୍ତରରେ, ଭାରତ ସରକାର 'ଜନ ବିଶ୍ୱାସ (ପ୍ରାବଧାନ ସଂଶୋଧନ) ଅଧିନିୟମ, ୨୦୨୩ ମାଧ୍ୟମରେ ଏହି ସଂସ୍କାର ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ଏହି ଅଧିନିୟମ ଅନେକ କେନ୍ଦ୍ରୀୟ ଆଇନ ଅଧୀନରେ ଥିବା କ୍ଷୁଦ୍ର ଅପରାଧଗୁଡ଼ିକୁ ଯୁକ୍ତିଯୁକ୍ତ କରିବା ସହିତ ଅପରାଧୀକରଣରୁ ମୁକ୍ତ କରିଥିଲା।
ଜାତୀୟ ଆଭିମୁଖ୍ୟ ସହ ସମନ୍ୱୟ ରଖି, ଓଡ଼ିଶା ସରକାର ଓଡ଼ିଶା ଜନ ବିଶ୍ୱାସ ଆଇନ, ୨୦୨୫ ମାଧ୍ୟମରେ ଏହି ସଂସ୍କାରକୁ ଆଗକୁ ବଢ଼ାଇଥିଲେ।
ଏହା ରାଜ୍ୟର ୧୬ଟି ଆଇନକୁ ଯୁକ୍ତିସଙ୍ଗତ କରିବା ସହିତ ବିଶ୍ୱାସଭିତ୍ତିକ ଶାସନ ବ୍ୟବସ୍ଥା ଦିଗରେ ନୂତନ ପରିବର୍ତ୍ତନର ଶୁଭାରମ୍ଭ କରିଥିଲା।
ଏହି ସଂସ୍କାରମୂଳକ ପ୍ରୟାସକୁ ଆହୁରି ଆଗକୁ ନେଇ, ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬ ରାଜ୍ୟର ନିୟମ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି ସରଳ, ସ୍ପଷ୍ଟ ଓ ସହଜ କରିବାକୁ ଲକ୍ଷ୍ୟ ରଖିଛି।
ଲୋକଙ୍କ ଉପରେ ଥିବା ଅନାବଶ୍ୟକ ନିୟମ ଓ ପ୍ରକ୍ରିୟାର ଭାର କମାଇବା ସହିତ, ନିୟମଗୁଡ଼ିକ ଯେପରି ସ୍ପଷ୍ଟ ଓ ପୂର୍ବରୁ ବୁଝିହେବା ଭଳି ହୁଏ, ସେଥିପାଇଁ ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି।
ଏହାସହିତ, ଯେଉଁ କ୍ଷେତ୍ରରେ ଅଧିକ ବିପଦ ରହିଛି, ସେଠାରେ ଆବଶ୍ୟକ ନିୟନ୍ତ୍ରଣ ଜାରି ରହିବ। ଜନସାଧାରଣଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଜନସ୍ୱାର୍ଥର ସୁରକ୍ଷା ପାଇଁ ଥିବା ଆବଶ୍ୟକ ସମସ୍ତ ବ୍ୟବସ୍ଥା ଅକ୍ଷୁଣ୍ଣ ରହିବ।
ଏହି ସଂସ୍କାର କେବଳ ଓଡ଼ିଶା ପାଇଁ ନୁହେଁ। ଏହା ସାରା ଦେଶରେ ଚାଲିଥିବା ଜନ ବିଶ୍ୱାସ ସଂସ୍କାର ଅଭିଯାନର ଏକ ଅଂଶ।
କେନ୍ଦ୍ର ସରକାରଙ୍କ ଜନ ବିଶ୍ୱାସ ଆଇନ, ୨୦୨୩ ଓ ୨୦୨୬ ଉପରେ ଆଧାର କରି ଦେଶର ବିଭିନ୍ନ ରାଜ୍ୟ ମଧ୍ୟ ଏହି ସଂସ୍କାରକୁ ଆଗକୁ ନେଉଛନ୍ତି।
୨୦୨୫ ମସିହାରେ ୯ଟି ରାଜ୍ୟ— ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ସିକ୍କିମ୍ ଓ ତ୍ରିପୁରା—ଜନ ବିଶ୍ୱାସ ସମ୍ବନ୍ଧୀୟ ଆଇନ ଗ୍ରହଣ କରିଥିଲେ। ଏହି ସଂସ୍କାର ୨୦୨୬ରେ ମଧ୍ୟ ଜାରି ରହିଛି।
ଏହି ବର୍ଷ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଗୋଆ, ନାଗାଲାଣ୍ଡ, ରାଜସ୍ଥାନ ଓ ଉତ୍ତରାଖଣ୍ଡ ସହିତ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀର ଭଳି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଜନ ବିଶ୍ୱାସ ସମ୍ବନ୍ଧୀୟ ଆଇନ ଗ୍ରହଣ କରିଛନ୍ତି।
ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇଟି ବଡ଼ ସମସ୍ୟାର ସମାଧାନ କରିବା:
????ଅପରାଧୀକରଣରୁ ମୁକ୍ତି (Decriminalization): ରାଜ୍ୟର କେତେକ ଆଇନରେ ଛୋଟ, ବୈଷୟିକ ବା ପ୍ରକ୍ରିୟାଗତ ଉଲ୍ଲଂଘନ ପାଇଁ ମଧ୍ୟ ଅପରାଧିକ ଦଣ୍ଡର ବ୍ୟବସ୍ଥା ରହିଛି।
କେତେକ କ୍ଷେତ୍ରରେ ପୁରୁଣା ଓ ଅପ୍ରାସଙ୍ଗିକ ଜରିମାନା ବ୍ୟବସ୍ଥା ବି ରହିଛି।
• ନିୟନ୍ତ୍ରଣର ସରଳୀକରଣ (Deregulation): ନାଗରିକ ଓ ବ୍ୟବସାୟୀମାନଙ୍କୁ ଅନେକ ସମୟରେ ବାରମ୍ବାର ଲାଇସେନ୍ସ ନବୀକରଣ, ପୂର୍ବ ଅନୁମତି ଏବଂ ଏକାଧିକ ଅନୁମୋଦନ ନେବାକୁ ପଡ଼ୁଛି।
ଯେଉଁଠାରେ ସମାନ ଉଦ୍ଦେଶ୍ୟକୁ ସରଳ ଓ ଅଧିକ କାର୍ଯ୍ୟକ୍ଷମ ବ୍ୟବସ୍ଥା ମାଧ୍ୟମରେ ପୂରଣ କରାଯାଇପାରେ।
ଏହି ବିଲର ମୁଖ୍ୟ ଲକ୍ଷ୍ୟ ହେଉଛି, ଅପରାଧୀକରଣରୁ ମୁକ୍ତି (Decriminalization) ଏବଂ ନିୟମ ଓ ଅନୁମତି ପ୍ରକ୍ରିୟାର ସରଳୀକରଣ (Deregulation)।
ଏହା ମାଧ୍ୟମରେ ଅନୁପାଳନ ପ୍ରକ୍ରିୟାକୁ ଆହୁରି ସହଜ କରାଯିବ ଏବଂ ସମ୍ଭବ ଥିବା ସ୍ଥାନରେ ଏହାକୁ ଡିଜିଟାଲ୍ କରାଯିବ।
ଏହା ଦ୍ୱାରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସଭିତ୍ତିକ ଏବଂ ସ୍ୱଚ୍ଛ ବ୍ୟବସ୍ଥା ଆହୁରି ମଜବୁତ ହେବ। ଏହି ବିଲ୍ର ଆଭିମୁଖ୍ୟ ବହୁତ ସରଳ, ସରଳ ପ୍ରକ୍ରିୟା, ସ୍ୱଚ୍ଛ ପ୍ରଶାସନ। ଗୁରୁତର କିମ୍ବା ଜାଣିଶୁଣି କରାଯାଇଥିବା ଅନିୟମିତତା ପାଇଁ କଠୋର ଆଇନ ରହିବ।
କିନ୍ତୁ ଛୋଟ ଭୁଲ, ସାମାନ୍ୟ ତ୍ରୁଟି ବା ପ୍ରକ୍ରିୟାଗତ ଉଲ୍ଲଂଘନ ପାଇଁ ସବୁବେଳେ ଅପରାଧିକ ମାମଲା କରାଯିବ ନାହିଁ।
ଏଭଳି ମାମଲାରେ ଯୁକ୍ତିସଙ୍ଗତ ଦେୱାନୀ ଜରିମାନାର ବ୍ୟବସ୍ଥା କରାଯିବ। ସେହିପରି, ଯେଉଁଠି ବାରମ୍ବାର ପୂର୍ବ ଅନୁମତି ନେବାର ଆବଶ୍ୟକତା ନାହିଁ, ସେଠାରେ ସରଳ ସୂଚନା ପ୍ରଦାନ ଓ ଅନୁପାଳନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ।
ଏକାଧିକ ସ୍ଥାନରେ ସମାନ ଅନୁମୋଦନ ପାଇଁ ବାରମ୍ବାର ପ୍ରକ୍ରିୟା କରିବାର ଆବଶ୍ୟକତାକୁ ମଧ୍ୟ କମାଇବାକୁ ପ୍ରୟାସ କରାଯିବ।
ଏହି ବିଲ୍ରେ ୧୫ଟି ରାଜ୍ୟ ଆଇନରେ ମୋଟ ୬୨ଟି ସଂଶୋଧନ ପ୍ରସ୍ତାବ ରଖାଯାଇଛି। ଏହି ସଂଶୋଧନଗୁଡ଼ିକୁ ଦୁଇଟି ଅନୁସୂଚୀ (Schedules) ଅଧୀନରେ ଭାଗ କରାଯାଇଛି:
????ଅନୁସୂଚୀ–I(Schedule-I):
ଏଥିରେ ୩୫ଟି ସଂଶୋଧନ ରହିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ଓ ସାମାନ୍ୟ ତ୍ରୁଟି ପାଇଁ ଥିବା ଅପରାଧିକ ବ୍ୟବସ୍ଥାକୁ ସରଳ କରିବା।
ଏଥିରେ ସାଧାରଣ ପ୍ରକ୍ରିୟାଗତ ଉଲ୍ଲଂଘନ ଓ ଗୁରୁତର କିମ୍ବା ଜାଣିଶୁଣି କରାଯାଇଥିବା ଉଲ୍ଲଂଘନ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ କରାଯିବ।
ଏହା ସହିତ ଜରିମାନା, ବିଚାର ଓ ଅପିଲ୍ ପାଇଁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା ରହିବ।
ଅନୁସୂଚୀ–II(ScheduleII):
ଏଥିରେ ୫ଟି ଆଇନରେ ୨୭ଟି ସଂଶୋଧନ ରହିଛି।
ଏହା ଅଧୀନରେ ୯ଟି ନିୟାମକୀୟ ଅନୁମୋଦନ(regulatory approvals) ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବା ପାଇଁ ବାରମ୍ବାର ଆବଶ୍ୟକ ହେଉଥିବା ଏବଂ ସମାନ ପ୍ରକାରର ଅନେକ ଅନୁମୋଦନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି।
ଏଥିରେ ସାର୍ବଜନୀନ ରାସ୍ତାଘାଟରେ କାର୍ଯ୍ୟ ଏବଂ ଅସ୍ଥାୟୀ ବାଣିଜ୍ୟିକ କାର୍ଯ୍ୟକଳାପ ସମ୍ବନ୍ଧୀୟ ଅନୁମୋଦନ ମଧ୍ୟ ଅନ୍ତର୍ଭୁକ୍ତ।
ଜନ ବିଶ୍ୱାସ ୨.୦ ଅଧୀନରେ ଅନ୍ତର୍ଭୁକ୍ତ ରାଜ୍ୟ ଆଇନଗୁଡ଼ିକ -
????The Odisha Warehouse Act, 1956
ଓଡ଼ିଶା ପଣ୍ୟାଗାର ଅଧିନିୟମ, ୧୯୫୬
????The Odisha Homoeopathic Act, 1956
ଓଡ଼ିଶା ହୋମିଓପାଥିକ୍ ଅଧିନିୟମ ୧୯୫୬
????The Odisha Livestock Improvement Act, 1957
ଓଡ଼ିଶା ପ୍ରାଣୀସମ୍ପଦ ବିକାଶ ଅଧିନିୟମ , ୧୯୫୭
????The Odisha Fire Works and Loudspeakers (Regulation) Act, 1958
ଓଡ଼ିଶା ଆତସବାଜି ଓ ଡ଼ାକବାଜି ଯନ୍ତ୍ର ବା ଲାଉଡସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮
????The Odisha Irrigation Act, 1959
ଓଡ଼ିଶା ଜଳସେଚନ ଅଧିନିୟମ ୧୯୫୯
????The Odisha Medical Registration Act, 1961
ଓଡ଼ିଶା ମେଡିକାଲ ପଞ୍ଜୀକରଣ ଆଇନ, 1961
????The Odisha Grama Panchayats Act, 1964
ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, 1964
????The Odisha Veterinary Practitioners Act, 1969
ଓଡ଼ିଶା ପ୍ରାଣୀ ଚିକିତ୍ସକ ଅଧିନିୟମ 1969
????The Odisha State-Aid to Industries Act, 1978
ଓଡ଼ିଶା ରାଜ୍ୟ-ଶିଳ୍ପ ସହାୟକ ଆଇନ, ୧୯୭୮
????The Odisha Requisitioning of Goods Vehicles Act, 1986
ଓଡ଼ିଶା ମାଲ ପରିବହନ ଯାନ ଅଧିଗ୍ରହଣ ଅଧିନିୟମ ୧୯୮୬
????The Odisha Electricity Reforms Act, 1995
ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ, ୧୯୯୫
????The Odisha Municipal Act, 1950
ଓଡ଼ିଶା ପୌର ଅଧିନିୟମ 1950
????The Odisha Agricultural Produce Markets Act, 1956
ଓଡ଼ିଶା କୃଷି ଉତ୍ପାଦ ବିପଣନ ଅଧିନିୟମ, 1956
????The Odisha Municipal Corporation Act, 2003
ଓଡ଼ିଶା ପୌର ମହାନଗର ନିଗମ ଅଧିନିୟମ ୨୦୦୩
????The Odisha Urban Police Act, 2003
ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, 2003
ଏହି ସଂସ୍କାର କାହିଁକି ଜରୁରୀ?
ଏହି ସଂସ୍କାର କେବଳ ଆଇନରେ ପରିବର୍ତ୍ତନ ନୁହେଁ। ଏହାର ସିଧାସଳଖ ପ୍ରଭାବ ଆମ ରାଜ୍ୟର ବ୍ୟବସାୟୀ, ଉଦ୍ୟୋଗୀ, କୃଷକ, ଶ୍ରମିକ, ଛୋଟ ବ୍ୟବସାୟୀ ଏବଂ ସାଧାରଣ ନାଗରିକଙ୍କ ଉପରେ ପଡ଼ିବ।
୧. ଇଜ୍ ଅଫ୍ ଡୁଇଂ ବିଜିନେସ୍(Ease of Doing Business)- ବାରମ୍ବାର ଅନୁମତି ନେବା, ସମାନ ପ୍ରକାରର କାଗଜପତ୍ର ଦେବା ଏବଂ ଛୋଟ ଛୋଟ ପ୍ରକ୍ରିୟା ପାଇଁ ସମୟ ଦେବାର ଆବଶ୍ୟକତା କମିବ। ନିୟମ ସ୍ପଷ୍ଟ ହେଲେ ବ୍ୟବସାୟୀମାନେ ନିଜର ସମୟ ଓ ଶକ୍ତିକୁ ଅନୁପାଳନର ଜଟିଳତାରେ ନ ଲଗାଇ ବ୍ୟବସାୟ ବଢ଼ାଇବା, ନିବେଶ କରିବା ଓ ନୂଆ ରୋଜଗାର ସୃଷ୍ଟି କରିବାରେ ଅଧିକ ଧ୍ୟାନ ଦେଇପାରିବେ।
୨. ଏମଏସଏମଇ ଓ ଆତ୍ମନିଯୁକ୍ତି ପାଇଁ ସୁବିଧା(MSME and Self-Employment)- ଜଣେ ଛୋଟ ବ୍ୟବସାୟୀ, ଦୋକାନୀ, ମାଇକ୍ରୋ ଉଦ୍ୟୋଗ କିମ୍ବା ଷ୍ଟାର୍ଟ-ଅପ୍ରେ ବଡ଼ କମ୍ପାନୀ ଭଳି ଅଲଗା ଅନୁପାଳନ କର୍ମଚାରୀ ନଥାନ୍ତି। ତେଣୁ ବାରମ୍ବାର ଅନୁମତି, କାଗଜପତ୍ର ଏବଂ ଛୋଟ ପ୍ରକ୍ରିୟାଗତ ତ୍ରୁଟି ପାଇଁ ଅପରାଧିକ ମାମଲାର ଭୟ ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇପାରେ। ସରଳ ପ୍ରକ୍ରିୟା ଦ୍ୱାରା ସେମାନଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିବ। ସେହି ସମୟ ଓ ଅର୍ଥକୁ ସେମାନେ ଉତ୍ପାଦନ ବଢ଼ାଇବା, କର୍ମଚାରୀଙ୍କୁ ଦରମା ଦେବା ଏବଂ ନୂଆ ଲୋକଙ୍କୁ ନିଯୁକ୍ତି ଦେବାରେ ବ୍ୟବହାର କରିପାରିବେ।
୩. ଇଜ୍ ଅଫ୍ ଲିଭିଂ(Ease of Living) - ଏହି ସଂସ୍କାର କେବଳ ଶିଳ୍ପ କିମ୍ବା ବଡ଼ ବ୍ୟବସାୟ ପାଇଁ ନୁହେଁ। ଏଥିରେ ପୌର ପ୍ରଶାସନ, ଗ୍ରାମ ପଞ୍ଚାୟତ, ସାର୍ବଜନୀନ ରାସ୍ତାଘାଟର କାର୍ଯ୍ୟ, ବୃତ୍ତିଗତ ପଞ୍ଜୀକରଣ, କୃଷି, ପ୍ରାଣୀସମ୍ପଦ ଏବଂ ବିଭିନ୍ନ ସ୍ଥାନୀୟ ସେବା ସମ୍ବନ୍ଧୀୟ ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଏହା ରୋଗୀ, ସାଧାରଣ ବାସିନ୍ଦା, କୃଷକ, ଛୋଟ ସେବା ପ୍ରଦାନକାରୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ପ୍ରକ୍ରିୟାକୁ ସହଜ କରିପାରିବ। ତେବେ, ପ୍ରତ୍ୟେକ ସଂଶୋଧନର ଲାଭ ତାହା କିପରି କାର୍ଯ୍ୟକାରୀ କରାଯାଉଛି, ତାହା ଉପରେ ମଧ୍ୟ ନିର୍ଭର କରିବ।
୪. ଜନସ୍ୱାର୍ଥ ସୁରକ୍ଷିତ ରହିବ(Public interest)- ଛୋଟ କିମ୍ବା ପ୍ରକ୍ରିୟାଗତ ତ୍ରୁଟି ପାଇଁ ଜେଲ୍ ଦଣ୍ଡ ହଟାଇବାର ଅର୍ଥ ଦାୟିତ୍ୱ ହଟାଇବା ନୁହେଁ। ଆବଶ୍ୟକ ସ୍ଥାନରେ ଦେୱାନୀ ଜରିମାନା, ବିଚାର ଓ ଅପିଲ୍ର ବ୍ୟବସ୍ଥା ରହିବ ଏହା ଦ୍ୱାରା ଉତ୍ତରଦାୟିତ୍ୱ ବଜାୟ ରହିବ। ଫଳରେ, ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଗୁରୁତର, ବାରମ୍ବାର କିମ୍ବା ଜାଣିଶୁଣି କରାଯାଇଥିବା ଉଲ୍ଲଂଘନ ଏବଂ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଇପାରିବେ।
ପ୍ରସ୍ତାବିତ ସଂସ୍କାରର ଆଶା କରାଯାଉଥିବା ପ୍ରଭାବ
ମାନନୀୟା ବାଚସ୍ପତି ମହୋଦୟା, ଏହି ସଂସ୍କାରଗୁଡ଼ିକ ଲାଗୁ ହେଲେ ସାଧାରଣ ଲୋକ, ବ୍ୟବସାୟୀ ଏବଂ ସରକାରୀ ବ୍ୟବସ୍ଥା—ସମସ୍ତଙ୍କ ପାଇଁ ଅନେକ ସୁବିଧା ହେବ। କାରଣ, ଅଧିକ ସୁବିଧା ଓ ଅଧିକ ସ୍ୱଚ୍ଛତା ଆଣିବ।
????ଅନାବଶ୍ୟକ କାଗଜପତ୍ର, ବାରମ୍ବାର ଅନୁମତି ନେବା, ପ୍ରକ୍ରିୟାଗତ ବିଳମ୍ବ ଏବଂ ଛୋଟ ତ୍ରୁଟି ପାଇଁ ହେଉଥିବା ଅନାବଶ୍ୟକ ମାମଲା କମିବ।
????ବିଚାର ଏବଂ ଅପିଲ୍ ବ୍ୟବସ୍ଥାକୁ ଆହୁରି ସ୍ପଷ୍ଚ ଓ ସୁଦୃଢ଼ କରାଯିବ। ଫଳରେ ପ୍ରବର୍ତ୍ତନକାରୀ ସଂସ୍ଥା(enforcement agencies) ଓ ନ୍ୟାୟାଳୟଗୁଡ଼ିକ ଛୋଟ ତ୍ରୁଟିରେ ସମୟ ନଦେଇ, ଗୁରୁତର ଓ ଜାଣିଶୁଣି କରାଯାଇଥିବା ଉଲ୍ଲଂଘନ ଉପରେ ଅଧିକ ଧ୍ୟାନ ଦେଇପାରିବେ।
????ନାଗରିକ ଏବଂ ବ୍ୟବସାୟୀମାନଙ୍କ ପାଇଁ ସରକାରୀ ପ୍ରକ୍ରିୟା ଅଧିକ ସରଳ, ସ୍ପଷ୍ଟ ଓ ସହଜ ହେବ। କେଉଁ କାମ ପାଇଁ କେଉଁ ଅନୁମତି ଆବଶ୍ୟକ, କେଉଁ ପ୍ରକ୍ରିୟା ପାଳନ କରିବାକୁ ପଡ଼ିବ—ଏହା ସ୍ପଷ୍ଟ ହେବ।
????ଜନସ୍ୱାର୍ଥର ସୁରକ୍ଷା ପାଇଁ ଆବଶ୍ୟକ ମୌଳିକ କ୍ଷମତା ଓ ଅଧିକାରକୁ ବଜାୟ ରହିବ।
ଏହା ସହିତ ବିଭାଗଗୁଡ଼ିକୁ ଅଧିକ ସରଳ ଓ ଦକ୍ଷ ଭାବେ ନିୟମ ପରିଚାଳନା କରିବାର ସୁଯୋଗ ମିଳିବ।
ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬ ଏହି ପବିତ୍ର ଗୃହର ମାନ୍ୟବର ସଦସ୍ୟମାନଙ୍କ ବିଚାରାର୍ଥେ ଗୃହରେ ଉପସ୍ଥାପନ କରୁଛି।
ମାନନୀୟା ବାଚସ୍ପତି ମହୋଦୟା,
ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬ ମାଧ୍ୟମରେ ଆମେ ଏପରି ଏକ ବ୍ୟବସ୍ଥା ଗଢ଼ିବାକୁ ଚାହୁଁଛୁ, ଯେଉଁଠି ନିୟମ ସରଳ ହେବ, ପ୍ରକ୍ରିୟା ସ୍ପଷ୍ଟ ହେବ ଏବଂ ଲୋକଙ୍କ ପାଇଁ ନିୟମ ପାଳନ କରିବା ସହଜ ହେବ।
ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ବଢ଼ିବ, ନାଗରିକ ଓ ବ୍ୟବସାୟୀମାନଙ୍କ ଉପରେ ଅନାବଶ୍ୟକ ଭାର କମିବ ଏବଂ ପ୍ରଶାସନ ଅଧିକ ଦକ୍ଷ ଓ ସ୍ୱଚ୍ଛ ହେବ। ତେବେ ଏହି ସରଳତା ସହିତ ଉତ୍ତରଦାୟିତ୍ୱ ମଧ୍ୟ ରହିବ।
ଜନସାଧାରଣଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଜନସ୍ୱାର୍ଥ ପାଇଁ ଯେଉଁ ସୁରକ୍ଷାମୂଳକ ବ୍ୟବସ୍ଥା ଆବଶ୍ୟକ, ସେଗୁଡ଼ିକୁ କୌଣସି ପରିସ୍ଥିତିରେ ଦୁର୍ବଳ କରାଯିବ ନାହିଁ।
କାରଣ ଆମର ମନ୍ତ୍ର, ସରଳ ଶାସନ, ସୁଗମ ଜୀବନ, ସମୃଦ୍ଧ ଓଡ଼ିଶା।