ଓଡ଼ିଶା ସରକାର ଏବଂ ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ...

Nov 11, 2026 - 09:18
 12
ଓଡ଼ିଶା ସରକାର ଏବଂ ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ    ବୁଝାମଣାପତ୍ର ସ୍ୱାକ୍ଷରିତ...

କୃଷି, ପୁଷ୍ଟି ସୁରକ୍ଷା, ମହିଳା ସଶକ୍ତିକରଣ ଓ ଜୈବବିବିଧତା ସଂରକ୍ଷଣ ଦିଗରେ ନୂତନ ସହଭାଗିତା 

ରାଜ୍ୟର କୃଷି ବ୍ୟବସ୍ଥାକୁ ଅଧିକ ସ୍ଥାୟୀ ଓ ଜଳବାୟୁ ସହନଶୀଳ କରିବା ସହ ପୁଷ୍ଟି ସୁରକ୍ଷା, ମହିଳା ସଶକ୍ତିକରଣ, ଜୈବବିବିଧତା ସଂରକ୍ଷଣ ଏବଂ ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । 

ଏହି ଉଦ୍ଦେଶ୍ୟରେ ଆଜି ଲୋକସେବା ଭବନଠାରେ ଓଡ଼ିଶା ସରକାର ଏବଂ ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଏମଏସଏସଆରଏଫ୍ ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏମଏସଏସଆରଏଫ୍ ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍ ଓ ଅନ୍ୟ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ । 

ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭାଶ୍ରୀ ନନ୍ଦ ଏବଂ ଫାଉଣ୍ଡେସନ୍ ପକ୍ଷରୁ ଡ. ସୌମ୍ୟା ସ୍ୱାମୀନାଥନ୍ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ସହଭାଗିତା ମାଧ୍ୟମରେ କୃଷି, ପୁଷ୍ଟି, ସ୍ୱାସ୍ଥ୍ୟ, ପରିବେଶ ଓ ଜୀବିକା କ୍ଷେତ୍ରରେ ବୈଜ୍ଞାନିକ ଗବେଷଣା, ପାରମ୍ପରିକ ଜ୍ଞାନ ଓ ସରକାରୀ ନୀତିର ସମନ୍ୱୟ କରାଯିବ । ଏମଏସଏସଆରଏଫ୍ ରାଜ୍ୟ ସରକାରଙ୍କ ବୈଷୟିକ ଜ୍ଞାନ ସହଯୋଗୀ ( ଟେକ୍ନିକାଲ ନଲେଜ ପାର୍ଟନର) ଭାବେ କାର୍ଯ୍ୟ କରି ବିଭିନ୍ନ ବିଭାଗକୁ ନୀତି ପ୍ରଣୟନ, କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି, ଗବେଷଣା, ଦକ୍ଷତା ବିକାଶ, ନବସୃଜନ ଓ କାର୍ଯ୍ୟକ୍ରମର ବିସ୍ତାର କ୍ଷେତ୍ରରେ ବୈଷୟିକ ସହଯୋଗ ଯୋଗାଇଦେବ । 

ଏହି ସହଯୋଗରେ ଜଳବାୟୁ ସହନଶୀଳ କୃଷି, କୃଷି-ପରିବେଶଭିତ୍ତିକ ଚାଷ ପଦ୍ଧତି, ମିଲେଟ୍ ଓ ଅନ୍ୟାନ୍ୟ ବିକଳ୍ପ ଫସଲର ପ୍ରୋତ୍ସାହନ, ପାରମ୍ପରିକ ବିହନ ଓ କୃଷି ଜୈବବିବିଧତାର ସଂରକ୍ଷଣ ତଥା ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାର ବିକାଶକୁ ପ୍ରାଧାନ୍ୟ ଦିଆଯିବ । ଏଥିସହ ମହିଳା କୃଷକଙ୍କ ଅଂଶଗ୍ରହଣ, ଆର୍ଥିକ ସଶକ୍ତିକରଣ, ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗକୁ ସୁଦୃଢ଼ କରାଯିବ ।

 'ସୁଭଦ୍ରା ଫାଷ୍ଟ' ଆଭିମୁଖ୍ୟ ଅନୁଯାୟୀ ମହିଳା ଓ ସାମାଜିକ-ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଗୁଡ଼ିକୁ ଜୀବିକା ସୁଯୋଗ ସହ ଯୋଡ଼ାଯିବାର ଲକ୍ଷ୍ୟ ରହିଛି ।

କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ବାୟୋ-ହାପିନେସ୍ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଜୈବବିବିଧତା ପରିଚାଳନା, ପରିବେଶ ଅନୁକୂଳ କୃଷି ଓ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ପ୍ରୋତ୍ସାହନ ଦିଆଯିବ । ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସୁରକ୍ଷା, ସ୍ଥାନୀୟ ଖାଦ୍ୟ ବ୍ୟବସ୍ଥାର ଉନ୍ନତି ଏବଂ ଜୀବିକା ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦିଆଯିବ । 

ଉପକୂଳବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ଜୀବିକା ଓ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 'ଫିସର ଫ୍ରେଣ୍ଡ' ମୋବାଇଲ୍ ଆପ୍ଲିକେସନ୍‌ର ଉନ୍ନତି, ଡିଜିଟାଲ୍ ସେବାର ପ୍ରସାର, ମତ୍ସ୍ୟଜାତ ଦ୍ରବ୍ୟର ସଂରକ୍ଷଣ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ସହ ମହିଳା ମତ୍ସ୍ୟଜୀବୀଙ୍କ ଉଦ୍ୟୋଗ ବିକାଶକୁ ସହାୟତା କରାଯିବ । ଏଥିସହ ଜଳାଶୟ, ଆର୍ଦ୍ରଭୂମି, ହେନ୍ତାଳବନ ଓ ଉପକୂଳବର୍ତ୍ତୀ ପରିବେଶର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ ମିଳିତ ଭାବେ କାର୍ଯ୍ୟ କରାଯିବ ।

ଦାଦନ ପ୍ରବଣ ଅଞ୍ଚଳରେ ସ୍ଥାନୀୟ ଜୀବିକା ସୃଷ୍ଟି, କୃଷି ଓ ଆନୁଷଙ୍ଗିକ କାର୍ଯ୍ୟର ପ୍ରସାର, ଦକ୍ଷତା ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗକୁ ସୁଦୃଢ଼ କରିବା ଓ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ । 

ଏହାଦ୍ୱାରା ସ୍ଥାନୀୟ ସ୍ତରରେ ନିଯୁକ୍ତି ଓ ଆୟର ସୁଯୋଗ ବୃଦ୍ଧି ସହ ଦାଦନଜନିତ ଅସୁରକ୍ଷା ହ୍ରାସରେ ସହାୟତା ମିଳିବ । ବୁଝାମଣାପତ୍ରର କାର୍ଯ୍ୟକାରିତା ଓ ଅଗ୍ରଗତିର ସମୀକ୍ଷା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ । 

ଏଥିରେ ସମ୍ପୃକ୍ତ ବିଭାଗଗୁଡ଼ିକର ସଚିବ ଓ ଏମଏସଏସଆରଏଫ ର ପ୍ରତିନିଧି ସଦସ୍ୟ ରହିବେ । କମିଟି ନିୟମିତ ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ଫଳାଫଳ ଓ କାର୍ଯ୍ୟକାରିତାର ସମୀକ୍ଷା କରିବ ।

ଏମଏସଏସଆରଏଫ୍ ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍ କହିଥିଲେ ଯେ, ଏହି ସହଭାଗିତା ଓଡ଼ିଶା ସହ ଫାଉଣ୍ଡେସନ୍‌ର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା ଦିଗରେ ମିଳିତ କାର୍ଯ୍ୟର ସୁଯୋଗ ସୃଷ୍ଟି କରିବ । 

ବିଭିନ୍ନ ବିକାଶମୂଳକ ସମସ୍ୟାର ସମାଧାନରେ ନବସୃଜନ, ସବୁଜ ପ୍ରଯୁକ୍ତିବିଦ୍ୟା, ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ, ମିଲେଟ୍‌ର ପ୍ରଚାରପ୍ରସାର ଓ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପ୍ରଯୁକ୍ତିର ବିକାଶ ଉପରେ ଏହି ସହଯୋଗରେ ଗୁରୁତ୍ୱ ଦିଆଯିବ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଗର୍ଗ କହିଥିଲେ ଯେ, ଏମଏସଏସଆରଏଫ୍ ଭଳି ସୁନାମଧନ୍ୟ ଅନୁଷ୍ଠାନ ସହ ଏହି ବୁଝାମଣାପତ୍ର ସ୍ୱାକ୍ଷର ରାଜ୍ୟ ପାଇଁ ଗୌରବର ବିଷୟ । ଏହା ରାଜ୍ୟରେ ବିଜ୍ଞାନଭିତ୍ତିକ, ସମାବେଶୀ ଓ ସ୍ଥାୟୀ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । 

ଏମଏସଏସଆରଏଫ୍ ବୈଷୟିକ ଜ୍ଞାନ ସହଯୋଗୀ ଭାବେ କୃଷି, ପୁଷ୍ଟି, ଜୈବବିବିଧତା ସଂରକ୍ଷଣ ଓ ଜୀବିକାର ଉନ୍ନତିରେ ପ୍ରମାଣଭିତ୍ତିକ ପଦକ୍ଷେପ ଗ୍ରହଣରେ ସହଯୋଗ କରିବ। 

'ସୁଭଦ୍ରା ଫାଷ୍ଟ' ଆଭିମୁଖ୍ୟରେ ମହିଳାମାନଙ୍କୁ କୃଷି ଓ ଜୀବିକାର ରୂପାନ୍ତରଣର କେନ୍ଦ୍ରରେ ରଖିବା ସହ ଜଳବାୟୁ ସହନଶୀଳତା ଓ ସ୍ଥାୟୀ ଜୀବିକା ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯିବ । 

ଏହି ପାଞ୍ଚବର୍ଷୀୟ ସହଭାଗିତା ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରି ରାଜ୍ୟର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟାପକ ଭାବେ କାର୍ଯ୍ୟକାରୀ ହୋଇପାରୁଥିବା ସମାଧାନର ମାର୍ଗ ପ୍ରଶସ୍ତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।