ବିଜେଡି ସରକାର ସମୟରେ ସାମାଜିକ ସୁରକ୍ଷା ପେନସନ ହିତାଧିକାରୀଙ୍କ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇଥିଲା...

Nov 11, 2026 - 20:28
 4
ବିଜେଡି ସରକାର ସମୟରେ ସାମାଜିକ ସୁରକ୍ଷା ପେନସନ ହିତାଧିକାରୀଙ୍କ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇଥିଲା...

ବିଜେଡି ସରକାର ସମୟରେ ୨୦୦୦ ମସିହାରେ ୩.୫୩ ଲକ୍ଷରୁ ବୃଦ୍ଧି ପାଇ ୨୦୨୪ ମସିହାରେ ୩୬ ଲକ୍ଷରେ ପହଞ୍ଚିଥିଲା ହିତାଧିକାରୀଙ୍କ ସଂଖ୍ୟା

ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନର ମୂଳଦୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ହୋଇଥିଲା । 

ବିଜେଡିର ୨୪ ବର୍ଷ ଶାସନ କାଳରେ ସାମାଜିକ ସୁରକ୍ଷା ପେନସନ ହିତାଧିକାରୀଙ୍କ ସଂଖ୍ୟା ୨୦୦୦ ମସିହାରେ ୩.୫୩ ଲକ୍ଷରୁ ବୃଦ୍ଧି ପାଇ ୨୦୨୪ ମସିହାରେ ୩୬ ଲକ୍ଷରେ ପହଞ୍ଚିଥିଲା । ଅର୍ଥାତ୍ ହିତାଧିକାରୀଙ୍କ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇଥିଲା ।

ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ୧ ଜାନୁଆରୀ ୨୦୦୮ରେ ମଧୁବାବୁ ପେନସନ ଯୋଜନା ଆରମ୍ଭ କରି ଏକ ଐତିହାସିକ ପଦକ୍ଷେପ ନେଇଥିଲା ବିଜେଡି ସରକାର । ଏହି ଯୋଜନା ମାଧ୍ୟମରେ ୬୦ ବର୍ଷ ଓ ତଦୂର୍ଦ୍ଧ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ନିରାଶ୍ରୀୟ ବର୍ଗଙ୍କୁ ମାସିକ ପେନସନ ପ୍ରଦାନ କରାଯାଉଥିଲା ।

 ବିଜେଡି ସରକାର କ୍ରମାଗତ ଭାବେ ସାମାଜିକ ସୁରକ୍ଷା ପେନସନର ରାଶି ବୃଦ୍ଧି କରିଥିଲେ । ଲକ୍ଷାଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ୨୦୨୪ ମସିହାରେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୩୬ ଲକ୍ଷରେ ପହଞ୍ଚିଥିଲା ।

 ଏହା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ନିର୍ମିତ ଏକ ବୃହତ ଜନକେନ୍ଦ୍ରିତ ସାମାଜିକ ସୁରକ୍ଷାର ଅଂଶ ଥିଲା, ଯାହା ପେନସନ, ସ୍ୱାସ୍ଥ୍ୟ ଓ ମାତୃତ୍ୱ ସହାୟତା, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ଗୃହ ଓ କୃଷକ ତଥା ସହରାଞ୍ଚଳ ଗରିବଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇଥିଲା । ମିଶନ ଶକ୍ତି, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଭଳି ଯୋଜନାଗୁଡ଼ିକ ସବୁଠାରୁ ଦୁର୍ବଳ ବର୍ଗଙ୍କ ପାଇଁ ଏକ ମଜବୁତ ସୁରକ୍ଷାକୁ ସୁଦୃଢ଼ କରିଥିଲା । 

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ୩୦ ମାସ ମଧ୍ୟରେ କେବଳ ପ୍ରାୟ ୫ ଲକ୍ଷ ହିତାଧିକାରୀ ସାମିଲ କରିଛନ୍ତି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧୀନରେ ୨୪ ବର୍ଷରେ ହୋଇଥିବା ୧୨ ଗୁଣ ବୃଦ୍ଧି ସହ ତୁଳନାରେ ଏହାର ପରିସର ସୀମିତ ରହିଛି । 

ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଗୋଟିଚାଳନା କରୁଛି ବିଜେପି । ପୁରୁଣା ହିତାଧିକାରୀଙ୍କୁ ପ୍ରତି ମାସରେ ଭତ୍ତା ଦେଇପାରୁ ନଥିବା ବିଜେପି ସରକାର, ନୂଆ ହିତାଧିକାରୀଙ୍କୁ ସାମିଲ କରିବା ଏକ ପ୍ରହସନ । ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ ଭଳି ଜନକଲ୍ୟାଣକାରୀ ଯୋଜନାର ପ୍ରକୃତ ଶ୍ରେୟ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ ଯାଏ । 

ବର୍ତ୍ତମାନର ବିଜେପି ସରକାର ଏହି ଯୋଜନାକୁ ନେଇ ରାଜନୈତିକୀକରଣ କରିବା ବନ୍ଦ କରନ୍ତୁ । ନିର୍ବାଚନୀ ଉଦେ୍ଦଶ୍ୟ ବିନା ଯୋଜନା ଗୁଡ଼ିକର ସ୍ୱଚ୍ଛ, ନିରନ୍ତର ସୁଦୃଢ଼ୀକରଣ ଉପରେ ଧ୍ୟାନ ଦିଅନ୍ତୁ ।