ଖଣି ଆଇନ ସଂଶୋଧନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ପତ୍ର...

Sep 20, 2026 - 21:18
 6
ଖଣି ଆଇନ ସଂଶୋଧନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ  ବିରୋଧୀ ଦଳ ନେତା ନବୀନଙ୍କ ପତ୍ର...

ରାଜ୍ୟର ଅଧିକାର ଓ ଯୁବ ସମାଜର ଭବିଷ୍ୟତ ପାଇଁ ସମସ୍ତେ ଏକାଠି କାମ କରିବାକୁ ବିରୋଧୀ ଦଳ ନେତାଙ୍କ ଆହ୍ୱାନ 

ଓଡିଶାର ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ଏହି ବିବାଦୀୟ ଆଇନ ପ୍ରତ୍ୟାହାର ପାଇଁ ବିଧାନ ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟୀତ୍ୱ,

ଏହାକୁ ବିଜୁ ଜନତା ଦଳ ସମର୍ଥନ କରିବ – ନବୀନ ପଟ୍ଟନାୟକ

ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖିଛନ୍ତି । 

ଶ୍ରୀ ପଟ୍ଟନାୟକ ଲେଖିଥିବା ତାଙ୍କ ଦ୍ୱିତୀୟ ପତ୍ରରେ କହିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଓଡିଶାର ଅଧିକାର ଓ ଆମର ଯୁବ ସମାଜର ଭବିଷ୍ୟତ ସହିତ ରହି ଆସିଛି ଏବଂ ଏହାର ଦୃଢ ସମର୍ଥନ କରୁଛି । 

ତେଣୁ ନିକଟରେ ସଂସଦରେ ବିନା ଆଲୋଚନାରେ ଗୃହିତ ହୋଇଥିବା ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ବିଧାନ ସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ପାଇଁ ସବୁ ରାଜନୈତିକ ଦଳ ଏକାଠି କାମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହାକୁ ବିଜୁ ଜନତା ପୂର୍ଣ୍ଣ ସମର୍ଥନ କରିବ । 

ଏଭଳି ସମ୍ମିଳିତ ଉଦ୍ୟମକୁ ଏକ ଐତିହାସିକ ମୂହୁର୍ତ୍ତ ଭାବରେ ଓଡିଶାବାସୀ ମନେ ରଖିବେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । 

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଖଣିଜ ସମ୍ପଦ ଓ ଖଣି ଅଞ୍ଚଳ ଉପରେ ଟିକସ ଲାଗୁ କରିବା ସମ୍ପର୍କିତ ରାଜ୍ୟର ସାମ୍ବିଧାନିକ ଅଧିକାରକୁ ବିରୋଧ କରି ଖଣି କମ୍ପାନୀ ମାନେ ଅଦାଲତକୁ ଯାଇଥିଲେ । 

ଓଡିଶାର ଏହି ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡି ସରକାର ବହୁ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଲଢେଇ କରିଥିଲା । 

ପରେ ପରେ ରାଜ୍ୟ ବିଜେପି ସରକାର ଖଣି କମ୍ପାନୀ ବିରୁଦ୍ଧରେ ମଧ୍ୟ ସୁପ୍ରିମ କୋର୍ଟରେ ଏହି ଲଢେଇ ଜାରି ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡିଶାର ଆଡଭୋକେଟ ଜେନେରାଲ ମଧ୍ୟ ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କର ପକ୍ଷ ରଖିଥିଲେ । 

ଏଥିରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଯଦି ଖଣି ଓ ଖଣି ଅଞ୍ଚଳ ଉପରେ ଟିକସ ବସାଇବାର ଅଧିକାର କାଢି ନିଆଯାଏ ତେବେ ଏହା ରାଜ୍ୟର ଆର୍ଥିକ ପରିସ୍ଥିତି ଉପରେ କୁପ୍ରଭାବ ପକାଇବ ।  

ଆମର ନିରନ୍ତର ଉଦ୍ୟମ ଯୋଗୁ ଓଡିଶା ନ୍ୟାୟ ପାଇଲା ଏବଂ ମାନ୍ୟବର ସୁପ୍ରିମ କୋର୍ଟର ୯ ଜଣିଆ ସାମ୍ବିଧାନିକ ବେଞ୍ଚ ତାଙ୍କ ରାୟରେ ଓଡିଶା ସରକାର ଖଣି କମ୍ପାନୀ ବିରୁଦ୍ଧରେ ନେଇଥିବା ପଦକ୍ଷେପକୁ ଉଚିତ ଦର୍ଶାଇଥିଲେ ।  

ସୁପ୍ରିମ କୋର୍ଟଙ୍କ ଏହି ରାୟ ଓଡିଶା ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଥିଲା । କୋଟି କୋଟି ଟଙ୍କାର ବକେୟା ରାଜସ୍ୱ ଆଦାୟ ସହିତ ବାର୍ଷିକ ୧୨ ହଜାର କୋଟି ଟଙ୍କା ରାଜସ୍ୱ ଭାବେ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା । 

ଏହା ଦ୍ୱାରା ଆମର ଯୁବ ସମାଜର ଭବିଷ୍ୟତ ସୁରକ୍ଷିତ ହେବା ସହିତ ଓଡିଶାର ବିକାଶ ପାଇଁ ପ୍ରଚୁର ଅର୍ଥ ମିଳିଥାନ୍ତା । 

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡିଶାକୁ ମିଳିବାକୁ ଥିବା ରାଜସ୍ୱକୁ ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ କିପରି ସର୍ବୋତ୍ତମ ଭାବରେ ଉପଯୋଗ କରାଯାଇ ପାରିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ନିଶ୍ଚିତ ଭାବରେ ଆଲୋଚନା କରିଥିବେ । 

କିନ୍ତୁ ଦୁଃଖର କଥା, ସାରା ଦେଶକୁ ଆଚମ୍ବିତ କରି ସଂସଦରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ଗୃହିତ ହୋଇଗଲା । 

ଏହା ଫଳରେ ରାଜ୍ୟର ଖଣିଜ ସମ୍ପଦ ଉପରୁ ଟିକସ ଆଦାୟର ସାମ୍ବିଧାନିକ କ୍ଷମତା ଓଡିଶା ଠାରୁ କାଢି ନିଆଗଲା । ଓଡିଶା କଥା ଓଡିଶାବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ ଯାଇ ବିଜେପିର ୨୦ ଜଣ ସାଂସଦ ଏହି ସଂଶୋଧନକୁ ସମର୍ଥନ କଲେ । ଶେଷରେ ସେମାନେ ଖଣି ମାଲିକ ଯାହା ଚାହୁଁଥିଲେ ତାହା କଲେ । 

ବର୍ତ୍ତମାନ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ର ପର୍ବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଓଡିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ଏହାର ସାମ୍ବିଧାନିକ ଅଧିକାର ମଧ୍ୟ ଚାଲିଯାଇଛି । 

ଗୃହର ନେତା ଭାବରେ ବିଧାନ ସଭାରେ MMDR Amendment Act ପ୍ରତ୍ୟାହାର କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ କରିବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟୀତ୍ୱ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ସ୍ମରଣ କରାଇ ଦେଇଛନ୍ତି । ଏହାକୁ ବିଜୁ ଜନତା ଦଳ ସମର୍ଥନ କରିବ । 

ଏହାଦ୍ୱାରା ଓଡିଶାର ସାମ୍ବିଧାନିକ ଅଧିକାର ପୁନଃ ପ୍ରତିଷ୍ଠିତ ହେବା ସହିତ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡିଶାର ସ୍ୱାର୍ଥ ସୁରକ୍ଷିତ ରହିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

Files