ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ କରିବାକୁ ସରପଞ୍ଚମାନଙ୍କୁ ମାନ୍ୟବର ମନ୍ତ୍ରୀଙ୍କ ଆହ୍ୱାନ...
ଆସନ୍ତା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ।
ଏହି ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖ ଓ ଅଂଶଗ୍ରହଣମୂଳକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି।
ମହାତ୍ମା ଗାନ୍ଧୀଙ୍କ *‘ଗ୍ରାମ ସ୍ୱରାଜ’* ର ଭାବନାକୁ ଆଧାର କରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ସ୍ଥାନୀୟ ସମସ୍ୟା, ଆବଶ୍ୟକତା, ସମ୍ଭାବନା ଓ ବିକାଶର ପ୍ରାଥମିକତା ଚିହ୍ନଟ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଏହାସହ ‘ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ୨୦୨୬-୨୭’ ମାଧ୍ୟମରେ ଲୋକଙ୍କ ମତାମତ ଓ ଅଂଶଗ୍ରହଣକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିର ଆଧାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଚଳିତ ବର୍ଷର ସ୍ୱତନ୍ତ୍ର ଗ୍ରାମସଭାର ଅନ୍ୟତମ ପ୍ରମୁଖ ବିଷୟ ଭାବେ ‘ରିଫର୍ମ ଉତ୍ସବ’ ରହିବ।
ଗ୍ରାମସଭାରେ ବିଭିନ୍ନ ସରକାରୀ ଯୋଜନା, ସଂସ୍କାରମୂଳକ ପଦକ୍ଷେପ ଓ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଷୟ ଉପରେ ଆଲୋଚନା ସହ ଗ୍ରାମବାସୀଙ୍କ ଅଧିକ ସକ୍ରିୟ ଭୂମିକା ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି।