ଛାତ୍ର କଂଗ୍ରେସରୁ ଲଢ଼ନ୍ତୁ ଛାତ୍ର ସଂସଦ ନିର୍ବାଚନ - ବିଭୁତି (ଛାତ୍ର କଂଗ୍ରେସ ସଭାପତି)...
ଲଞ୍ଚ ହେଲା ବାରକୋଡ଼, ସ୍କାନକରି ପାର୍ଥି ହେବେ ଛାତ୍ରଛାତ୍ରୀ
ଛାତ୍ର ସଂସଦ ନିର୍ବାଚନ ନେଇ ସରକାରଙ୍କୁ ଛାତ୍ର କଂଗ୍ରେସର ଟାର୍ଗେଟ
ନିରପେକ୍ଷ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ଦାବି
ରାଜ୍ୟରେ ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଛାତ୍ର କଂଗ୍ରେସ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଥିବାବେଳେ, ନିର୍ବାଚନ ପ୍ରକ୍ରିୟା ଓ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଯାଇଛି।
ନିର୍ବାଚନ ପାଇଁ ଛାତ୍ର ସଂଗଠନଗୁଡ଼ିକୁ ଯଥେଷ୍ଟ ସମୟ ଦିଆଯାଇନଥିବା ଅଭିଯୋଗ କରିବା ସହ ଏହା ପଛରେ ସରକାରଙ୍କ ଷଡଯନ୍ତ୍ର ରହିଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି।
ଛାତ୍ର କଂଗ୍ରେସ ସଭାପତି ବିଭୁତି ଭୂଷଣ ମହାପାତ୍ର କହିଛନ୍ତି ଯେ, ଦୀର୍ଘ ସମୟ ପରେ କ୍ୟାମ୍ପସରେ ଛାତ୍ର ନିର୍ବାଚନ ଫେରୁଛି।
ଏହା କେବଳ ଏକ ନିର୍ବାଚନ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର, ନେତୃତ୍ୱ ବିକାଶ ଏବଂ ନିଜ ସମସ୍ୟାକୁ ନିଜେ ଉଠାଇବାର ଏକ ବଡ଼ ସୁଯୋଗ।
ତେବେ ନିର୍ବାଚନ ପାଇଁ ଖୁବ୍ କମ୍ ସମୟ ଦିଆଯାଇଥିବାରୁ ଛାତ୍ର ସଂଗଠନ ଓ ପ୍ରାର୍ଥୀମାନେ ପ୍ରସ୍ତୁତି ପାଇଁ ଆବଶ୍ୟକ ସମୟରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି।
ଏହାକୁ ସରକାରଙ୍କ ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ଅଭିଯୋଗ କରି ବିଭୁତି କହିଛନ୍ତି, “ସରକାରଙ୍କ ଏହି ଷଡଯନ୍ତ୍ରକୁ ଆମେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛୁ।
ଏହି ଷଡଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ। ପ୍ରତ୍ୟେକ କଲେଜରେ ଛାତ୍ର କଂଗ୍ରେସ ଦୃଢ଼ତାର ସହ ନିର୍ବାଚନ ଲଢ଼ିବ।”
ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜରେ ଦକ୍ଷ ଓ ଯୁବ ନେତୃତ୍ୱକୁ ନିର୍ବାଚନୀ ମଇଦାନକୁ ଆଣିବା ପାଇଁ ଆହ୍ୱାନ ଦିଆଯାଇଛି।
ଛାତ୍ର ସମସ୍ୟା, ଶିକ୍ଷା ବ୍ୟବସ୍ଥା, କ୍ୟାମ୍ପସରେ ମୌଳିକ ସୁବିଧା, ଛାତ୍ର ସୁରକ୍ଷା ଓ ଅଧିକାର ପାଇଁ ଲଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆଗେଇ ଆସି ଛାତ୍ର ସଂସଦ ନିର୍ବାଚନ ଲଢ଼ନ୍ତୁ ବୋଲି ସଂଗଠନ ଆହ୍ୱାନ ଦେଇଛି।
ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଏକ ‘ବାର୍ କୋର୍ଟ’ ଜାରି କରି ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ସଂଗଠନ ସହ ଯୋଡ଼ିବାକୁ ଅପିଲ୍ କରାଯାଇଛି।
ବିଭୁତି ଭୂଷଣ ମହାପାତ୍ର କହିଛନ୍ତି, “ଯେଉଁ ଛାତ୍ରଛାତ୍ରୀମାନେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ, ସେମାନେ ଆଗେଇ ଆସନ୍ତୁ।
ଛାତ୍ର କଂଗ୍ରେସ ସେମାନଙ୍କୁ ସମସ୍ତ ପ୍ରକାରର ସାଂଗଠନିକ ଓ ନିର୍ବାଚନୀ ସହଯୋଗ ଯୋଗାଇବ। ପ୍ରତ୍ୟେକ କଲେଜରେ ଛାତ୍ରଙ୍କ ସ୍ୱରକୁ ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ।”
ଛାତ୍ର କଂଗ୍ରେସ କହିଛି ଯେ, “କ୍ୟାମ୍ପସ ଗଣତନ୍ତ୍ର ହେଉଛି ଗଣତନ୍ତ୍ରର ପ୍ରଥମ ପାଠ।”
ତେଣୁ ଛାତ୍ରଛାତ୍ରୀମାନେ ନିଜ କ୍ୟାମ୍ପସର ନେତୃତ୍ୱ ବାଛିବାର ଅଧିକାରକୁ ସକ୍ରିୟ ଭାବେ ବ୍ୟବହାର କରନ୍ତୁ ବୋଲି ସଂଗଠନ ଆହ୍ୱାନ ଦେଇଛି।
ଅନ୍ୟପକ୍ଷରେ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ହରିଶଙ୍କର ରାଉତ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ବିଜେଡି ସରକାର ସମୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା।
କିଛି ନେତା ନିଜକୁ ରାଜନୈତିକ ଭାବେ ଅସୁରକ୍ଷିତ ମନେ କରିବାରୁ ନିର୍ବାଚନ ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଛାତ୍ର କଂଗ୍ରେସ ଆହୁରି ଅଭିଯୋଗ କରିଛି ଯେ, ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ସମର୍ଥିତ ଛାତ୍ର ନେତାଙ୍କୁ ବିଜୟୀ କରାଇବା ପାଇଁ ହ୍ୱିପ୍ ଜାରି କରିଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ତେଣୁ ନିର୍ବାଚନ ପ୍ରକ୍ରିୟାରେ ସରକାର କିମ୍ବା କୌଣସି ରାଜନୈତିକ ଦଳର ହସ୍ତକ୍ଷେପ ନ ରହିବା ଏବଂ ସମସ୍ତ ଛାତ୍ର ସଂଗଠନ ଓ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ ବୋଲି ଛାତ୍ର କଂଗ୍ରେସ ଦାବି କରିଛି।
ଛାତ୍ର କଂଗ୍ରେସ ପକ୍ଷରୁ ସରକାରଙ୍କୁ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିରପେକ୍ଷ, ଅବାଧ, ସ୍ୱଚ୍ଛ ଓ ଗଣତାନ୍ତ୍ରିକ ରଖିବା ସହ ସମସ୍ତ ପ୍ରାର୍ଥୀ ଓ ଛାତ୍ର ସଂଗଠନକୁ ସମାନ ସୁଯୋଗ ଦେବାକୁ ଦାବି କରାଯାଇଛି।
ଛାତ୍ର କଂଗ୍ରେସର ଆହ୍ୱାନ
“ଆଗେଇ ଆସନ୍ତୁ।
ଛାତ୍ର ସଂସଦ ନିର୍ବାଚନ ଲଢ଼ନ୍ତୁ।
ଛାତ୍ରଙ୍କ ସ୍ୱର ହୁଅନ୍ତୁ।
ଆପଣଙ୍କ ଲଢ଼େଇରେ ଛାତ୍ର କଂଗ୍ରେସ ଆପଣଙ୍କ ସହ ରହିବ।”
ବିଭୁତି ଭୂଷଣ ମହାପାତ୍ର
ସଭାପତି, ଛାତ୍ର କଂଗ୍ରେସ
ହରିଶଙ୍କର ରାଉତ
ପୂର୍ବତନ ଛାତ୍ର ସଭାପତି, ରେଭେନ୍ସା ବିଶ୍ୱବିଦ୍ୟାଳୟ