ଜବରଦଖଲ ମୁକ୍ତ ହେବ ସରକାରୀ ସମ୍ପତି

Aug 29, 2025 - 10:10
 19
ଜବରଦଖଲ ମୁକ୍ତ ହେବ ସରକାରୀ ସମ୍ପତି

ରାଜ୍ୟସାରା ସରକାରୀ ଜମି କୋଉଠି ପଡିଆ ପଡିଛି ତ କୋଉଠି ଜବରଦଖଲ ହୋଇ ରହିଛି ବର୍ଷ ବର୍ଷ ଧରି | 

ସରକାର ସେ ଦିଗରେ କୌଣସି ଦେୟ ପାଉନଥିବା ବେଳେ ଜବରଦାଖକାରୀମାନେ ଏହାର ମୁନାଫା ନେଉଛନ୍ତି |

ସମସ୍ତ ଜମିକୁ ଚିହ୍ନଟ କରି ନିଜ ଦଖଲକୁ ନେବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି |

ସାରା ରାଜ୍ୟରେ ସରକାରଙ୍କର ୪୦ ବିଭାଗ ଏବଂ ଏହାର ନିର୍ଦେଶାଳୟ, ନିଗମ, ବୋର୍ଡ ଆଦିର ମୂଲ୍ୟବାନ ଜମି ରହିଛି। ପ୍ରକଳ୍ପ, କାର୍ଯ୍ୟାଳୟ କିମ୍ବା ଅନ୍ୟ ନିର୍ମାଣ ପାଇଁ ସରକାରୀ ବିଭାଗଗୁଡ଼ିକୁ ଦିଆଯାଇଥିବା ଜମି ଆଦୌ ବ୍ୟବହାର ହୋଇପାରି ନାହିଁ। ସରକାର ସେଥିରୁ କୌଣସି ପ୍ରକାର ରାଜସ୍ବ ପାଉ ନାହାନ୍ତି ବରଂ ଖାଲି ଜମିକୁ ବର୍ଷ ବର୍ଷ ଧରି ଜବରଦଖଲରେ ରଖାଯାଇଛି। ଅନେକ ଜମିର ବାସ୍ତବ ସ୍ଥିତି ସମ୍ପର୍କରେ ବିଭାଗ ନିକଟରେ କିଛି ସୂଚନା ନାହିଁ। ସେଥିରୁ ଅଧିକାଂଶ ଜମି ଠାବ କରିବା ମଧ୍ୟ କଷ୍ଟକର। ଏହାକୁ ସରକାର ଗୁରୁତର ସହ ନେଇ ତାହାର ସଦୁପଯୋଗ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗକୁ ନେଇ ଅନୁଷ୍ଠିତ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କେଉଁ ଜିଲାରେ କେତେ ପରିମାଣର ଅବ୍ୟବହୃତ ସରକାରୀ ଜମି ଅଛି ତାହାକୁ ସବୁ ଚିହ୍ନଟ କରାଯାଉ, ଆବଶ୍ୟକସ୍ଥଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସହାୟତା ନିଆଯିବ। ସେହିସବୁ ଜମିକୁ ଅଧିଗ୍ରହଣ କଲା ପରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବ। ଏହାପରେ ଉକ୍ତ ଜମିର ଅବସ୍ଥିତି ଦେଖି ସେଠାରେ କ’ଣ କରାଯାଇ ପାରିବ ତାହା ଉପରେ ନିଷ୍ପତ୍ତି ହେବ। ବିଶେଷକରି ଘରୋଇ ସଂସ୍ଥାକୁ ୩୦ ବର୍ଷିଆ ଲିଜ୍ ସୂତ୍ରରେ ଦେବା କିମ୍ବା ସରକାରୀ ଘରୋଇ ଭାଗୀଦାରିରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ପାଇଁ ପଦକ୍ଷେପ ନିଆ ଯାଇପାରିବ | ଏହା ଦ୍ବାରା ଜମି ସୁରକ୍ଷିତ ରହିବ ଏବଂ ସରକାର ରାଜସ୍ବ ପାଇବେ। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ଶେଷ କରିବା ଲାଗି କୁହାଯାଇଛି।