ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ...

Sep 2, 2026 - 10:44
 4
ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ...

'ଟିମ୍ ଇଣ୍ଡିଆ' ଭାବନା ଓ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ସମ୍ମିଳନୀ ଶୃଙ୍ଖଳାର ଏହା ପ୍ରଥମ ଶୁଭାରମ୍ଭ

କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ଏକାଠି କରି ପ୍ରାଥମିକତା ଉପରେ ଆଲୋଚନା ସହ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ ଏହି ସମ୍ମିଳନୀ

ଜଳ ଭିତ୍ତିଭୂମି, ଜନ ଭାଗୀଦାରୀ, ଉତ୍ସ ସ୍ଥାୟିତ୍ୱ ଓ 'ଜଳ ଜୀବନ ମିଶନ ୨.୦' - ୪ଟି ପ୍ରମୁଖ ଦିଗ ଉପରେ କେନ୍ଦ୍ରୀଭୂତ ହେବ ସମ୍ମିଳନୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ସେପ୍ଟେମ୍ବର ୨୦୨୬ ଅପରାହ୍ଣ ପ୍ରାୟ ୪ଟା ୩୦ ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନରେ ଜଳ ଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀର ଉଦ୍‌ଯାପନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ ମଧ୍ୟ କରିବେ।

୧-୨ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ବିଭାଗୀୟ ଶିଖର ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। 

ଟିମ୍ ଇଣ୍ଡିଆର ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଆହୁରି ଗଭୀର କରିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ମାଧ୍ୟମରେ ଜାତୀୟ ପ୍ରାଥମିକତାଗୁଡ଼ିକ ପ୍ରତି ସାମୂହିକ ଦାୟିତ୍ୱବୋଧ ବଢ଼ାଇବା ଏହାର ଉଦ୍ଦେଶ୍ୟ। 

ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ ପ୍ରାଥମିକତା ଉପରେ ମିଳିତ ଆଲୋଚନା କରିବା ସହ କାର୍ଯ୍ୟାନ୍ୱୟନ ଓ ଫଳାଫଳକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସୁବ୍ୟବସ୍ଥିତ ମଞ୍ଚ ପ୍ରଦାନ କରୁଛି।

ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃତ୍ୱ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରମୁଖ ପ୍ରାଥମିକତା ଉପରେ ଆଲୋଚନା କରିବେ, ପ୍ରମୁଖ ପଦକ୍ଷେପ ଓ ଅଭିଜ୍ଞତା ବାଣ୍ଟିବେ, କାର୍ଯ୍ୟାନ୍ୱୟନରେ ଥିବା ଆହ୍ୱାନଗୁଡ଼ିକର ସମାଧାନ କରିବେ ଏବଂ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବେ। 

ଜାତୀୟ ଲକ୍ଷ୍ୟଗୁଡ଼ିକ ପାଇଁ ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଏବଂ ଆଲୋଚନାର ଫଳାଫଳକୁ ଶାସନ ଓ ଜନସେବା ପ୍ରଦାନ କ୍ଷେତ୍ରରେ ମାପଯୋଗ୍ୟ ଉନ୍ନତିରେ ପରିଣତ କରିବା ଏହି ପଦକ୍ଷେପର ଲକ୍ଷ୍ୟ।

ଏହି ଶିଖର ସମ୍ମିଳନୀ ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେବ :

୧. ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ

୨. ଜଳ ସଞ୍ଚୟ ଜନ ଭାଗିଦାରୀ – କ୍ୟାଚ୍ ଦ ରେନ୍

୩. ପାନୀୟ ଜଳ ବ୍ୟବସ୍ଥାର ଜଳ ଉତ୍ସର ସ୍ଥାୟିତ୍ୱ

୪. ‘ଜଳ ଜୀବନ ମିଶନ ୨.୦’ ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ

ଏହି ଆଲୋଚନାରୁ ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା, ଜଳ ସଂରକ୍ଷଣରେ ଜନଭାଗିଦାରୀ ବଢ଼ାଇବା, ପାନୀୟ ଜଳ ଉତ୍ସର ସ୍ଥାୟିତ୍ୱ ସୁନିଶ୍ଚିତ କରିବା ଏବଂ ଗ୍ରାମୀଣ ପାନୀୟ ଜଳ ସେବାର ବିଶ୍ୱସନୀୟତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ବଳିଷ୍ଠ ଓ ସମୟବଦ୍ଧ ପଦକ୍ଷେପ ନିର୍ଦ୍ଧାରଣ ହେବ ବୋଲି ଆଶା କରାଯାଉଛି।