ଜିଲ୍ଲା ଅଦାଲତରେ ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ନେଇ ଦିନିକିଆ କର୍ମଶାଳା...
ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଗୁରୁତ୍ୱ
ଆଇନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।
ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ଜିଲ୍ଲା ଅଦାଲତଗୁଡ଼ିକରେ ଥିବା ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ଏବଂ ସରକାରୀ ଅଧିବକ୍ତା, ଅତିରିକ୍ତ ସରକାରୀ ଅଧିବକ୍ତା ଓ ସହଯୋଗୀ ଓକିଲମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ଏହି କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଉପଯୁକ୍ତ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା ରହିଛି ।
ନ୍ୟାୟ ବ୍ୟବସ୍ଥାକୁ ଆଗେଇ ନେବା କ୍ଷେତ୍ରରେ ସରକାରୀ ଅଧିବକ୍ତା ଓ ଅତିରିକ୍ତ ସରକାରୀ ଅଧିବକ୍ତା ଓ ସହଯୋଗୀ ଓକିଲମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଆପଣମାନେ ହେଉଛନ୍ତି ସାମ୍ବିଧାନିକ ବ୍ୟବସ୍ଥା ତଥା ନ୍ୟାୟପାଳିକାର ଗୋଟିଏ ଗୋଟିଏ ଅଂଶସ୍ୱରୂପ । ତେଣୁ ବିଭିନ୍ନ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅବଲୋକନ କରିବା ସହିତ ନ୍ୟାୟିକ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ବେଶ୍ ଜରୁରୀ ।
ସେହିପରି ଆଜିର ପରିସ୍ଥିତିରେ କୃତ୍ରିମ ବୁଦ୍ଧିମତ୍ତାର ସଠିକ୍ ବ୍ୟବହାର ଓ ସମୟାନୁବର୍ତ୍ତିତା ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଦେୱାନୀ ଓ ଫୌଜାଦାରୀ ମାମଲାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସରକାରୀ ଓକିଲଙ୍କ ଦାୟିତ୍ୱ, Evidence, Cross Examination ଏବଂ Oral Argument ର ଗୁରୁତ୍ୱ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ।
ଏଥିସହିତ ନିଜ ନିଜ ଭିତରେ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ଆଇନଜୀବୀମାନେ ବିଭିନ୍ନ ନ୍ୟାୟିକ ମାମଲାରେ ଆସୁଥିବା ସନ୍ଦେହର ସମାଧାନ ମାର୍ଗ ପାଇପାରିବେ ବୋଲି ସେ କହିଥିଲେ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଡ୍ଭୋକେଟ୍ ଜେନେରାଲ୍ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ନ୍ୟାୟାଳୟରେ ସରକାରୀ ଆଇନଜୀବୀଙ୍କ ଭୂମିକା ଓ କର୍ତ୍ତବ୍ୟ ସହ ସାମ୍ବିଧାନିକ ବ୍ୟବସ୍ଥାର ସଠିକ୍ ଅନୁପାଳନ କରି ଦେୱାନି ମାମଲା ପରିଚାଳନା ଉପରେ ନିଜର ମତ ରଖିଥିଲେ ।
ବୈଠକରେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ସ୍ୱାଗତ ଭାଷଣ ଦେବା ସହ ଆଇନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଲୋକହିତକର କାର୍ଯ୍ୟକ୍ରମ, ଆଇନଜୀବୀଙ୍କ ଲାଗି ହୋଇଥିବା କଲ୍ୟାଣକାରୀ ଯୋଜନା ଏବଂ କର୍ମଶାଳାର ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଥିଲେ ।
ଏଥି ସହିତ ପୁରାଣବର୍ଣ୍ଣିତ ଗାଥାକୁ ଉଦ୍ଦୃତ କରି ଯୁଗେ ଯୁଗେ ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ ସଂସାରରେ ସବୁଠାରୁ ବଡ଼ ଧର୍ମ ବୋଲି କହିଥିଲେ ।
ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କର୍ମଶାଳାରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀ ଜଷ୍ଟିସ୍ ଦେବବ୍ରତ ଦାସ, Appeals and Recent Judicial Developments ଉପରେ ନିଜର ଅଭିଭାଷଣ ରଖିଥିବାବେଳେ ଓଡ଼ିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀ ଜଷ୍ଟିସ୍ ଆନନ୍ଦ ଚରଣ ବେହେରା Drafting and Case Management ଉପରେ ନିଜର ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ଡ. ଦୁର୍ଗେଶ ଚନ୍ଦ୍ର ମହାପାତ୍ର Civil Procedure Code (CPC) ଉପରେ ଅଭିଭାଷଣ ପ୍ରଦାନ କରିଥିବାବେଳେ ବରିଷ୍ଠ ଆଇନଜୀବୀ ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର ପ୍ରଶ୍ନୋତ୍ତର ଅଧିବେଶନରେ Practical Case Studies, ଦଳଗତ ଆଲୋଚନା ସହ ଅଧିବକ୍ତାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା କରିଥିଲେ ।