ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କୁ ୧୮ ଥର ଆକ୍ରମଣ କଲା ଅଭିଯୁକ୍ତ

ନାଶିକ: ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଜଣେ ଶୁକ୍ରବାର ଦିନ ରାତିରେ ଡାକ୍ତରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଛି । ଏହି ହୃଦୟ ବିଦାରକ ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯେଉଁଠାରେ ଜଣେ ବ୍ୟକ୍ତି ଅତି କମରେ ୧୮ ଥର ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ପୀଡିତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସୂଚନାନୁସାରେ , ଡାକ୍ତର ତାଙ୍କ ଫୋନରେ କଥା ହେଉଥିବା ସମୟରେ ତାଙ୍କ ପଛରେ ଜଣେ ବ୍ୟକ୍ତି ଠିଆ ହୋଇଥିବା ସେ ଜାଣି ପାରିନଥିଲେ । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ବାରମ୍ବାର ଡାକ୍ତରଙ୍କ ମୁହଁ ଏବଂ ବେକ ଉପରେ ଆକ୍ରମଣ କରିଚାଲିଛି । ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଜଣକ ହେଲେ ୪୮ ବର୍ଷିୟ କୈଳାସ ରାଠୀ । ସେ ନାଶିକର ପଞ୍ଚବଟୀ ଅଞ୍ଚଳରେ ଏକ ହସ୍ପିଟାଲରେ ଡ୍ୟୁଟି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି ।ଏହି ମାମଲା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହି ଆକ୍ରମଣ ପାଇଁ ପୀଡିତଙ୍କ ଜଣେ ପୂର୍ବତନ କର୍ମଚାରୀଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ଡାକ୍ତରଖାନାରେ କାମ କରୁଥିବାବେଳେ ୬ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ବରଖାସ୍ତ କରାଯାଇଥିଲା କିନ୍ତୁ ପରେ ପୁନଃ ନିଯୁକ୍ତ କରାଯାଇଥିଲା । ଏହାପରେ ସେ ଆଉ ୧୨ ଲକ୍ଷ ଟଙ୍କା ନେଇଥିଲେ ହେଲେ ଫେରସ୍ତ କରିବାକୁ ମନା କରିଦେଇଥିଲେ ।ଉକ୍ତ କର୍ମଚାରୀଙ୍କ ସ୍ୱାମୀ ଟଙ୍କା ଫେରସ୍ତକୁ ନେଇ ରାଗ ରଖି ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରି ଡାକ୍ତରଙ୍କ ପତ୍ନୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।ପୋଲିସ ଏକ ମାମଲା ରୁଜୁ କରି ଅଭିଯୋଗ ଆଧାରରେ ପୂର୍ବତନ କର୍ମଚାରୀ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

Feb 26, 2024 - 18:14
 4
ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କୁ ୧୮ ଥର ଆକ୍ରମଣ କଲା ଅଭିଯୁକ୍ତ